ବ୍ରହ୍ମପୁର:ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଆକ୍ସନ ମୋଡରେ ପୋଲିସ । ଜିଲ୍ଲାର ବିଭିନ୍ନ ଥାନାରେ ଦାଖଲ କରାଯିବ ପ୍ରାୟ ୩୦୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ । ଆଗାମୀ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ କେଉଁ ଥାନା ଅଞ୍ଚଳରେ କେତେ ଗୋଟି ବନ୍ଧୁକ ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରିଛି ବ୍ରହ୍ମପୁର ପୋଲିସ । କ୍ରୀଡ଼ା, ଅବସରପ୍ରାପ୍ତ ସାମରିକ କର୍ମଚାରୀ ଏବଂ ବିଭିନ୍ନ ସମ୍ପତ୍ତିର ସୁରକ୍ଷା ପାଇଁ ନିଜ ପାଖରେ ରଖୁଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ସେମାନେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଥାନାରେ ଆଣି ସେମାନଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଗୁଡିକୁ ହସ୍ତାନ୍ତର କରିବାକୁ ନୋଟିସ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍ ।
ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟ ତଥା ଦେଶରେ ସାଧାରଣ ନିର୍ବାଚନ କରିବା ପାଇଁ ଖୁବ୍ ଶ୍ରୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାକୁ ରହିଥିବା ବେଳେ ଏହାରି ପୂର୍ବରୁ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ନିରପେକ୍ଷ ଓ ଶୃଙ୍ଖଳିତ ଭାବେ କିଭଳି ନିର୍ବାଚନ ପରିଚାଳନା ହେବ ସେଥି୍ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ । ଗୋଟିଏ ପଟେ ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ୍ ଏବଂ ଆଗାମୀ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁରୁଣା ମାମଲାରେ ସଂପୃକ୍ତ ରହିଥିବା ବହୁ ପୁରଣା ପେଶାଧର ଅପରାଧିଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟ ରଖାଯାଇଥିବା ବେଳେ ଏ ନେଇ ସେମାନଙ୍କୁ ୧୦୭ ସି.ଆର୍.ପି.ସି ଏବଂ ୧୧୦ ସି.ଆର୍.ପି.ସି ରେ ପ୍ରାୟ ଅଦ୍ୟାବଧି ଶହେ ଜଣଙ୍କୁ ହାଜର କରାଯାଇଥିବା କୁହାଯାଇଛି ।