ଭୁବନେଶ୍ୱର: ରାତି ପାହିଲେ ଜାଗର, ମହାପ୍ରଭୁ ଲିଙ୍ଗରାଜଙ୍କ ଅଗଣାରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼। ଯାହାକୁ ନେଇ ଚଳଚଞ୍ଚଳ ହେଲାଣି ଏକାମ୍ର କ୍ଷେତ୍ର। ଲିଙ୍ଗରାଜଙ୍କ ଜାଗର ଯାତ୍ରା ପୂର୍ବରୁ ସେବାୟତଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦରେ ପଡିଲା ଯବନିକା । ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲି ସାମୁହିକ ସେବାରେ ସହଯୋଗ କରିବା ନେଇ ଦେଲେ ପ୍ରତିଶ୍ରୁତି । ଲିଙ୍ଗରାଜ ମନ୍ଦିରରେ ସୁରୁଖୁରୁରେ ମହାଶିବରାତ୍ରୀ ପାଳନ ନେଇ ହୋଇଥିବା ସମୀକ୍ଷା ବୈଠକରେ ଏନେଇ ଆଲୋଚନା କରାଯାଇଛି । ଶୃଙ୍ଖଳିତ ଭାବେ ଦର୍ଶନ ହେବ ଓ ମହାଦୀପ ରାତି 10ଟାରେ ଉଠିବ ସେନେଇ ସମସ୍ତେ ପ୍ରତିଶ୍ରୁତି ମିଳିଛି । ବର୍ଷ ତମାମ ବିଭିନ୍ନ ସମୟରେ ସେବାୟତ ମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହୁଥିବା ଦେଖିବାକୁ ମିଳିଥାଏ। ତେଣୁ ସେବାୟତଙ୍କ ମଧ୍ୟରେ ଥିବା ବିଭିନ୍ନ ବିବାଦକୁ ଆଇନ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ସେବାୟତ । ଶିବରାତ୍ରୀ ପରେ ଏସବୁର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଶିବରାତ୍ରୀ ସୁରୁଖୁରୁରେ ପାଳିବାକୁ ସେବାୟତଙ୍କ ପ୍ରତିଶ୍ରୁତି:
ରାତି ପାହିଲେ ମହାଶିବରାତ୍ରୀ । ଆଜି (ମଙ୍ଗଳବାର) ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜରେ ମହାଶିବରାତ୍ରୀ ପାଳନ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶୃଙ୍ଖଳିତ ଜାଗର ଯାତ୍ରା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମହାଦୀପ ଉଠିବା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଆଉମଧ୍ୟ ଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଉପରେ ଯବନିକା ପଡିଛି । ସମସ୍ତେ ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲି ସୁରୁଖୁରରେ ଜାଗର ଯାତ୍ରା ଓ ମହାଶିବରାତ୍ରୀ ପାଳନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।ବୈଠକ ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ମହାପ୍ରଭୁଙ୍କର ଆସନ୍ତାକାଲି ଜାଗର ଯାତ୍ରା । ନୀତିକାନ୍ତିରେ ଯେଭଳି କୌଣସି ବିଘ୍ନ ନ ଘଟେ, ସମସ୍ତେ ଏକାଠି ହୋଇ କାମ କରିବା । ଚୂଡାନ୍ତ ପର୍ଯ୍ୟାୟର ସମୀକ୍ଷା ଆଜି ହୋଇଛି । ସବୁ ନିଯୋଗର ପ୍ରମୁଖ ଲୋକମାନେ ଆଜି ଉପସ୍ଥିତ ଥିଲେ । ନୀତିକାନ୍ତି କିଭଳି ଠିକ ଭାବେ ହେବ, ଶୃଙ୍ଖଳିତ ଭାବେ ଦର୍ଶନ ହେବ ଓ ମହାଦୀପ ରାତି 10ଟାରେ ଉଠିବ ସେନେଇ ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି ।"
ସେପଟେ ମହାପ୍ରଭୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିରରେ ଚାଲିଥିବା ଦ୍ଵନ୍ଦ୍ୱକୁ ସମାପ୍ତ କରି ନିର୍ଦ୍ଧାରିତ ସମୟ ଅର୍ଥାତ ରାତି ୧୦ ରେ ମହାଦୀପ ଉଠିବାକୁ ନେଇ ପ୍ରତିଶ୍ରୁତି ଦେଇଛନ୍ତି ସମସ୍ତ ନିଯୋଗ । ବୈଠକ ପରେ ସେବାୟତ କହିଛନ୍ତି," ନୀତି ନିର୍ଘଣ୍ଟ ଅନୁସାରେ ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସରିବ। ଠିକ୍ ରାତି ୧୦ଟା ସମୟରେ ମହାଦୀପ ଉଠିବ ।"
ମେୟର ସୁଲୋଚନା ଦାସ କହିଛନ୍ତି, "ମହାଶିବରାତ୍ରୀକୁ ନେଇ ସମସ୍ତ ନିଯୋଗକଙ୍କ କର୍ମକର୍ତ୍ତାଙ୍କ ସହ ବୈଠକ ହୋଇଛି । ସେମାନେ କହିଛନ୍ତି 10 ଟା ସୁଦ୍ଧା ମହାଦୀପ ଉଠିବ । ଯାହା ଆମ ତରଫରୁ ସହଯୋଗ କରିବାର ଅଛି ସେମାନେ ଆମକୁ ଦୋହରାଇଛନ୍ତି । ''
ଏହା ମଧ୍ୟ ପଢନ୍ତୁ-ଲିଙ୍ଗରାଜ ମନ୍ଦିରରେ ନୂଆ ବିବାଦ, ଅନିଶ୍ଚିତତାରେ ଜାଗର ଯାତ୍ରା - LINGARAJ TEMPLE
ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ:
ଏପଟେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାତି ୨ଟାରୁ ପୋଲିସ ଡ୍ୟୁଟି ଆରମ୍ଭ ହେବ। ତିନୋଟି ସିଫ୍ଟରେ ଜାଗର ରାତ୍ରିରେ ମହାଦୀପ ଉଠିବା ପରେ ୨ଘଣ୍ଟା ପର୍ଯ୍ୟନ୍ତ ଡ୍ୟୁଟି ରହିବ। ୪୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଧିକାରୀ ମୁତୟନ ହେବେ ବୋଲି ଭୁବନେଶ୍ବର ଡିସିପି ଏହି ବୈଠକରେ ଯୋଗ ଦେଇ କହିଛନ୍ତି । ଶ୍ରଦ୍ଧାଳୁଙ୍କ ଗମନାଗମନ ପାଇଁ ଟ୍ରାଫିକ କଟକଣା ମଧ୍ୟ ରହିଛି। ଆସନ୍ତାକାଲି ଦିନ ତମାମ କିପରି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ସେଥିପାଇଁ ପୋଲିସ ପ୍ରଶାସନ ଅର୍ଥାତ ବିଏମସି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପିଇବା ପାଣି ସହ ଭକ୍ତଙ୍କ ପାଇଁ ଛାଇର ବ୍ୟବସ୍ଥା କରାଯାଇଛି।
ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା:
ଶିବରାତ୍ର ଉପଲକ୍ଷେ ଭକ୍ତଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଛି । ବ୍ୟାରିକେଡ଼ ଜରିଆରେ କଡନ ବ୍ୟବସ୍ଥା କରାଯାଇଛିା। ଖରାରେ ଅଧିକ ସମୟ ଲୋକ ଠିଆ ହୋଇପାରି ଯେପରି ଧାଡ଼ିରେ ଅସ୍ତବ୍ୟସ୍ତ ନ ହୁଅନ୍ତି ସେଥିପାଇଁ ଟେଣ୍ଡ କପଡ଼ା ବନ୍ଧା ଯାଇଛି । ତା ସହିତ ପାଦ ନ ତାତିବା ପାଇଁ ତଳେ ରେଡ କାର୍ପେଟ ମଧ୍ୟ ବିଛାଯାଇଛି । ଲୋକଙ୍କୁ ଧାଡିରେ ଦର୍ଶନ କରିବାର ସୁବିଧା ସହିତ କେହି ଯେମିତି ଧାଡି ଭାଙ୍ଗି ଦର୍ଶନ ନ କରନ୍ତି ସେଥିପାଇଁ କଡ଼ା ନିର୍ଦେଶ ଦିଆଯାଇଛି।
ଭୋର ୩ ରୁ ମନ୍ଦିର ଖୋଲାଯିବ:
ଏପଟେ ମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ କାଲି ଭୋର ୩ ରୁ ମନ୍ଦିର ଖୋଲାଯିବ ସହ ୩ ଟା ୩୦ ରେ ଆଳତି ଓ ଅବକାଶ ନୀତି ପରେ ୪ ଟାରୁ ୫ ତା ଯାଏ ସେବାୟତ ପରିବାର ଦର୍ଶନ କରିବେ। ପରେ ୫ ଟାରୁ ୧୧ ପର୍ଯ୍ୟନ୍ତ ସାହଣ ମେଳା ଦର୍ଶନ କରିପାରବେ ଶ୍ରଦ୍ଧାଳୁ। ଦିନ ୧୧ ପର୍ଯ୍ୟନ୍ତ ଗର୍ଭଗୃଗ ରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏହା ପରେ ଗର୍ଭଗୃହ ଶୁଦ୍ଧ କରାଯିବ ସହ ଠାକୁର ଙ୍କ ନୀତି ଆରମ୍ଭ କରିବା ପାଇଁ ନିଷ୍ପତି ହୋଇଛି। ୧୧ ଟା ପରଠାରୁ ଶ୍ରଦ୍ଧାଳୁ ଆଡ଼କାଠି ଠାରେ ଦିନ ତମାମ ଦର୍ଶନ କରିବେ । ସନ୍ଧ୍ୟା ଧୂପ ପରେ ପ୍ରଭୁଲିଙ୍ଗରାଜ ଙ୍କ ମହାଦୀପ ଉଠିବ ବୋଲି ସେବାୟତ କହିଛନ୍ତି।