ଓଡିଶା

odisha

ETV Bharat / state

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଇତିହାସ, କ'ଣ ପାଇଁ ହେଉଛି ବିରୋଧ ? - GANDHAMARDAN ISSUE

ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଆଦାନୀ ଗ୍ରୁପର ଜମି କିଣାକୁ ନେଇ ଆନ୍ଦୋଳନ ଜୋର ଧରିଛି । ପୂର୍ବରୁ ୮୦ ଦଶକରେ ମଧ୍ୟ ଜମି କିଣାକୁ ନେଇ ପ୍ରବଳ ବିରୋଧ ହୋଇଥିଲା।

GANDHAMARDAN HILL ISSUE
GANDHAMARDAN HILL ISSUE (ETV Bharat Odisha)

By ETV Bharat Odisha Team

Published : Dec 1, 2024, 5:40 PM IST

ସମ୍ବଲପୁର: ପୁଣିଥରେ ଗନ୍ଧମାର୍ଦ୍ଦନକୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ । ବଲାଙ୍ଗୀର ଜିଲ୍ଲାର ପ୍ରାକୃତିକ ସମ୍ପଦ ଏ ଜୈବ ବିଭିଧତାରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଆଦାନୀ ଗ୍ରୁପ ଜମି କିଣାକୁ ନେଇ ପୁଣି ଆନ୍ଦୋଳନ ହାନା ବାନ୍ଧିଛି । ଏହାକୁ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଶାସକ ଦଳକୁ ବିରୋଧୀ ଘେରିଛନ୍ତି । ଗନ୍ଧମାର୍ଦ୍ଦନକୁ ନେଇ ଏକ ପ୍ରକାର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ୧୯୮୨ ମସିହାରେ ତତ୍କାଳୀନ ସରକାର ଗନ୍ଧମାର୍ଦ୍ଦନକୁ ବକ୍ସାଇଟ ଖଣି ଖନନ ପାଇଁ ବାଲକୋ କମ୍ପାନୀକୁ ଲିଜରେ ଦେଇଥିଲେ । ପରେ ଏହାକୁ ନେଇ ପ୍ରବଳ ଜନଆନ୍ଦୋଳନ ହେବା ପରେ ୧୯୮୯ରେ ଏହି ପ୍ରକଳ୍ପର ଲିଜକୁ ବାତିଲ କରିଥିଲେ । ସେତେବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା । ଏବେ ପୁଣିଥରେ ଆଦାନୀ କମ୍ପାନୀ ଜମି କିଣିବା ପରେ ଉଠିଛି ପ୍ରତିବାଦର ସ୍ବର ।

କେବେଠୁ ମୁଣ୍ଡ ଟେକିଛି ଗନ୍ଧମାର୍ଦ୍ଦନ ଆନ୍ଦୋଳନ:

GANDHAMARDAN HILL ISSUE (ETV Bharat Odisha)

ତେବେ ଏହି ଆନ୍ଦୋଳନ ବିଷୟରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ମୁଖ୍ୟ ଉପଦେଷ୍ଟା ସମ୍ବଲପୁରର ପୂର୍ବତନ ସାଂସଦ ଭବାନୀ ହୋତା କହିଛନ୍ତି, ୧୯୮୨ ମସିହାରେ ତତ୍କାଳୀନ ଖଣିମନ୍ତ୍ରୀ ଏନ.କେ.ପି ସାଲଭେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପକୁ ଛାତ୍ର, ଯୁବକ ଓ ସାଧାରଣ ନାଗରିକଙ୍କ ଦ୍ୱାରା ପ୍ରବଳ ବିରୋଧ ହେବା ସହ ଲାଠି ମାଡ଼ ହୋଇଥିଲା । ଫଳରେ ପ୍ରତିବାଦର ସ୍ୱର କିଛି ଦିନ ପାଇଁ ଚାପି ହୋଇ ଯାଇଥିଲା । ଏଥିରେ ପାଖାପାଖି ୭୦୦ ଲୋକ ଆହତ ହୋଇଥିଲେ । ଏହା ପରେ ନିଜେ ଭବାନୀ ହୋତା ଓ ସ୍ୱାମୀ ସୋମବେଶ ପ୍ରଭାବିତ ଅଞ୍ଚଳରେ ପାଖାପାଖି ଦେଢ଼ ବର୍ଷ ଲୋକଙ୍କୁ ସଚେତନ କରିବା ପରେ ସେଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗଠନ ହୋଇଥିଲା । ଏଥିରେ ନିରଞ୍ଜନ ବିଦ୍ରୋହୀ, ଗୌତମ ବିଶ୍ୱାଳ, ପଙ୍କଜିନୀ ରାଉତ ଆବାହକ ହୋଇଥିଲେ । ପରେ ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଥିଲା । ନୃସିଂହନାଥ ପାଖରେ ଦୈନିକ ୫୦୦ ମହିଳା ଵାଲକୋ କମ୍ପାନୀର ରାସ୍ତା ଅବରୋଧ କରୁଥିଲେ ଓ ଏମିତି ଲଗାତାର ୫ ବର୍ଷ ପାଇଁ ଚାଲିଥିଲା ।"

ପୂର୍ବରୁ ଫେରିଥିଲା ବାଲକୋ କମ୍ପାନୀ:

ଭବାନୀ ହୋତା ଆହୁରି କହିଛନ୍ତି, "୧୯୮୪ରେ ମୁଁ ପରିଷଦର ମୁଖ୍ୟ ଉପଦେଷ୍ଟା ଭାବରେ ଏହି ପ୍ରସଙ୍ଗକୁ ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଏକ ଚିଠି କରିଥିଲେ ଓ ଟି.ଏନ ସେସନଙ୍କୁ ମଧ୍ୟ ଭେଟିଥିଲି । ଏହା ପରେ ପରବର୍ତ୍ତୀ ସମୟରେ ୧୯୮୯ ମସିହାରେ ବିଶିଷ୍ଟ ବୈଜ୍ଞାନିକ ବି.ଡି. ନାଥ ଚୌଧୁରୀ ଅଧ୍ୟକ୍ଷତାରେ ଏକ ୩ ଜଣିଆ ସାଇଣ୍ଟିଫିକ ଟିମ ଗଠନ ହୋଇଥିଲା । ଏଥିରେ ଜିଓଲୋଜିକାଲ ସର୍ଭେ ଓ ୱାଟର କମିଶନ ଅଫ ଇଣ୍ଡିଆର ଜଣେ ଲେଖାଏଁ ବୈଜ୍ଞାନିକ ମଧ୍ୟ ଥିଲେ । ଏହି କମିଟି ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଖଣି ହେଲେ କଣ କ୍ଷୟ କ୍ଷତି ହେବ ତାରର ସର୍ବେକ୍ଷଣ ପାଇଁ ଗନ୍ଧମାର୍ଦ୍ଦନକୁ ଆସିଥିଲେ । ଏଠାରେ ସବୁ ସର୍ବେକ୍ଷଣ କଲା ପରେ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ । ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଏକ ତ୍ରିପାକ୍ଷିକ ବୈଠକ କରିବାକୁ କହିଥିଲେ । ଏହି ବୈଠକ ୧୯୮୯ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ୱରରେ ହୋଇଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ବାଲକୋ କମ୍ପାନୀ କର୍ତ୍ତୃପକ୍ଷ ଓ ୨୪ ଜଣ ଆନ୍ଦୋଳନକରୀ ଯେଉଁଥିଲେ ବାଳଗୋପାଳ ମିଶ୍ର ମଧ୍ୟ ପ୍ରମୁଖ ରହିଥିଲେ । ଏହି ବୈଠକରେ ଗନ୍ଧମାର୍ଦ୍ଦନ ପ୍ରକଳ୍ପକୁ ବିରୋଧ କରିବାର ଅକାଟ୍ୟ ଯୁକ୍ତି ଉପସ୍ଥାପନ କଲା ପରେ ବାଲକୋ କମ୍ପାନୀକୁ ଦିଆଯାଇଥିବା ଲିଜକୁ ରାଜ୍ୟ ସରକାର ୧୫.୦୯.୧୯୮୯ରେ ବାତିଲ କରିଥିଲେ ।"

କୌଣସି କମ୍ପାନୀ ଦିଆଯିବ ନାହିଁ ଗନ୍ଧମାର୍ଦ୍ଦନ:

ଅନ୍ୟପଟେ ବର୍ତ୍ତମାନ ପରିପ୍ରେକ୍ଷୀରେ ପୂର୍ବତନ ସାଂସଦ ଭବାନୀ ହୋତା ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଗନ୍ଧମାର୍ଦ୍ଦନକୁ ଅଦାନୀ ଗ୍ରୁପକୁ ଟେକି ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଲୋକଙ୍କ ଏହି ଧାରଣାକୁ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ଅଫିସିଆଲ ନୋଟିଫିକେସନ ଗେଜେଟରେ ପବ୍ଲିସ କରନ୍ତୁ ଯେ ଆଜି କିମ୍ବା ଭବିଷ୍ୟତରେ ଗନ୍ଧମାର୍ଦ୍ଦନକୁ ଅଦାନୀ କିମ୍ବା ଅନ୍ୟ କୌଣସି କମ୍ପାନୀକୁ ବକ୍ସାଇଟ ଖଣି ଖନନ ପାଇଁ ଲିଜରେ ଦିଆଯିବ ନାହିଁ । ଯଦି କୌଣସି କମ୍ପାନୀ ବନୀକରଣ କରିବାକୁ ଚାହେଁ ତାହେଲେ ନିୟମ ମୁତାବକ ସମ୍ପୃକ୍ତ କମ୍ପାନୀ ରାଜ୍ୟ ସରକାରଙ୍କୁ ଟଙ୍କା ଦିଅନ୍ତି ଓ ସେହି ଟଙ୍କାରେ ବନ ବିଭାଗ ବନିକରଣ କରିବାର ପ୍ରାବଧାନ ରହିଛି । ଏଠାରେ କମ୍ପାନୀକୁ ଜମି ଦିଆଯାଇଛି ଓ ଜମିରେ ବନିକରଣ କଲା ପରେ କମ୍ପାନୀ ଜମିକୁ ପୁଣି ସରକାରଙ୍କୁ ହସ୍ତାନ୍ତର କରିବ । ଏହା ସମ୍ପୂର୍ଣ୍ଣ ଅବାସ୍ତବ କଥା । ବେଦାନ୍ତ କମ୍ପାନୀ କୋରାପୁଟ ଓ କଳାହାଣ୍ଡିରେ ବନିକରଣ ପାଇଁ ଜମି ନେଇଛି । ଏହା ବଦଳରେ କମ୍ପାନୀ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରିମିୟମ ରୂପରେ ଅର୍ଥ ଦେଉଛି । ଆଦାନୀ କ୍ଷେତ୍ରରେ ରାଜ୍ୟ ସରକାର ପ୍ରିମିୟମ ପାଇବାରୁ ବଞ୍ଚିତ ହୋଇପାରନ୍ତି ।"

ଜୈବ ବିଭିଧତାରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ:

ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନରେ ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ ଜଡିତ ଥିବା ବେଳେ ଏଠାରେ ଶହ ଶହ ଔଷଧୀୟ ଚାରା ଗଛ ରହିଛ । ଏହା ସହ ଏଠାରେ ୨୨ଟି ଛୋଟ ବଡ଼ ଝରଣା ରହିଛି । ଏଠାରେ ୨୧୩ ମିଲିୟନ ଟନ ବକ୍ସାଇଟ ମଧ୍ୟ ମହଜୁଦ ରହିଥିବା ସୂଚନା ରହିଛି । ବକ୍ସାଇଟ ଖନନ ହେଲେ ସବୁ ପ୍ରାକୃତିକ ପରିବେଶ ନଷ୍ଟ ହୋଇଯିବ ବୋଲି ପରିବେଶବିତ ମତ ପ୍ରକାଶ କରନ୍ତି ।

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ମୁଖ୍ୟ ଉପଦେଷ୍ଟା ଭାବନୀ ହୋତାଙ୍କ କହିବା ଅନୁସାରେ, ୧୯୫୩ ମସିହାରେ ଜମ୍ମୁ କାଶ୍ମୀର ବଟାନିକାଲ ସର୍ଭେ ଅଫ ଇଣ୍ଡିଆର ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଡ଼ ଗୋପୀନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ଗନ୍ଧମାର୍ଦ୍ଦନକୁ ସର୍ଭେ ପାଇଁ ଆସିଥିଲେ । ସେମାନଙ୍କ ରିସର୍ଚ୍ଚ ଅନୁସାରେ, ଏଠାରେ ୨୨୫ ପ୍ରକାରର ଦୁର୍ଲଭ ଔଷଧୀୟ ବୃକ୍ଷ ଆଉ ଚାରା ରହିଛି ଓ ୨୫୦୦ ପ୍ରକାରର ଆଙ୍ଗିଓସ୍ପରମ (Angiosperms) ରହିଛି । ଏହି ରିସର୍ଚ୍ଚ ଗନ୍ଧମାର୍ଦ୍ଦନ ପର୍ବତର କେବଳ ୧୦% ଅଂଶରେ ହୋଇଥିଲା, ତେଣୁ ଏଠାରେ ଆହୁରି ବହୁତ ପ୍ରକାର ର ଔଷଧିୟ ଚାରା ଥାଇପାରେ ବୋଲି ଅନୁମାନ କରାଯାଏ ।

ଏହା ମଧ୍ୟ ପଢ଼ନ୍ତୁ...ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ଖନନ ଆବେଦନ କରିନାହାନ୍ତି କୌଣସି କମ୍ପାନୀ: ଡିଏଫଓ

ଏହା ମଧ୍ୟ ପଢ଼ନ୍ତୁ...ଗନ୍ଧମାର୍ଦ୍ଦନ-ଆଦାନୀ ଜମି କିଣା ପ୍ରସଙ୍ଗ: ସ୍ପଷ୍ଟୀକରଣ ଲୋଡିଲା ବିଜେଡି, ଜବାବ ରଖିଲା ବିଜେପି

ଗନ୍ଧମାର୍ଦ୍ଦନ ଜମି କିଣାକୁ ବରଦାସ୍ତ କରାଯିବ ନାହିଁ:

ଅନ୍ୟପଟେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ନେଇ ପଶ୍ଚିମ ଓଡିଶାର ଚାଷୀ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତିର ସଭାପତି ଅଶୋକ ପ୍ରଧାନ କହିଛନ୍ତି, "ଭାରତ ବର୍ଷର ଗୋଟିଏ ସବୁଠାରୁ ବଡ଼ ଲଢେଇ ହେଉଛି ଗନ୍ଧମାର୍ଦ୍ଦନ । ଏହା ହେଉଛି ୮୦ ଦଶକର ଲଢେଇ, ଯେତେବେଳେ ଦେଶରେ କର୍ପୋରେଟ ୱାର୍ଡ ସାଙ୍ଗେ ଦେଶରେ ଏତେ ବଡ ଲଢେଇ ହୋଇନଥିଲା । ଧନ୍ୟବାଦ ଆମର ସାଥି ଓ ଗୁରୁଜନମାନଙ୍କୁ, ଯେଉଁମାନେ ଏହି ଲଢେଇ ଲଢ଼ିଥିଲେ ଆଉ ଗନ୍ଧମାର୍ଦ୍ଦନକୁ ବଞ୍ଚେଇ ଦେଲେ । ଗନ୍ଧମାର୍ଦ୍ଦନ ଗୋଟିଏ ସାଧାରଣ ପର୍ବତ ନୁହେଁ, ଏଠାରେ ଯେତେ ପ୍ରକାର ଔଷଧିୟ ଚାରା ଅଛି, ପକ୍ଷୀ ରହୁଛନ୍ତି, ଯେତେ ପ୍ରକାର ମହତ୍ତ୍ବ ରହୁଛି, ଐତିହାସିକ ମହତ୍ତ୍ବ ରହୁଛି । ଆମ ପରମ୍ପରାରେ ଏହାର ବି ଗୁରୁତ୍ବ ରହୁଛି । ସବୁଠୁ ବଡ଼ ଅସୁବିଧା ହେଲା ଏଠି ୨୧୩ ମିଲିୟନ ଟନ ବକ୍ସାଇଟ ବି ଅଛି । ଏମିତି ପରିସ୍ଥିତିରେ ଏହି ପ୍ରସଙ୍ଗ ଯଥା ଖଣି ଖାଦାନ ଉପରେ କମ୍ପାନୀମାନଙ୍କର ଲୋଲୁପ ଦୃଷ୍ଟି ଉପରେ ଚାଷୀ ସଂଗଠନର ଏକ ବୈଠକ ହୋଇସାରିଛି । ଏମିତି ପାଖରେ ଜମି କିଣାଯିବା, ରେଳ ଲାଇନ ଯିବାର ଭଳି ଘଟଣାକୁ ପଶ୍ଚିମ ଓଡିଶାର ଚାଷୀ ବରଦାସ୍ତ କରିବନି ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details