ପୁରୀ: ପୁରୀଠୁ କୋଣାର୍କ ପର୍ଯ୍ୟନ୍ତ ଲମ୍ବିଛି ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ । ବଙ୍ଗୋପସାଗର କୂଳରେ ପ୍ରାୟ ୮୭ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ରହିଛି ଏହି ଅଭୟାରଣ୍ୟ । ଜଙ୍ଗଲରେ ଶୋଭାବର୍ଦ୍ଧନ କରୁଛି ଝାଉଁ ବଣ, କାଜୁ ଏବଂ ଆକାଶିଆ ଗଛ । ପ୍ରାକୃତିକ ପରିବେଶରେ ଶୋଭାବର୍ଦ୍ଧନ କରୁଥିବା ଅଭୟାରଣ୍ୟଟି ବଣ୍ୟପ୍ରାଣୀଙ୍କ ପାଇଁ ଅନ୍ୟତମ ସୁରକ୍ଷିତ ଆଶ୍ରୟସ୍ଥଳୀ । ଅଭୟାରଣ୍ୟରେ ମୁଖ୍ୟତଃ ଦେଖାଯାଆନ୍ତି ଚିତ୍ରା ହରିଣ । ଏହାସହ ବଣ ଭୁଆ, ଗଧିଆ, ବିଲୁଆ, ନେଉଳ ଏବଂ ଓଧ ମଧ୍ୟ ରୁହନ୍ତି । ବର୍ତ୍ତମାନ ଏଠାରେ ବିରଳ 'କୃଷ୍ଣସାର ମୃଗ' ରଖାଯାଇଛି । ବନ ବିଭାଗ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା କରୁଥିବା ବେଳେ, କୃଷ୍ଣସାର ମୃଗଙ୍କ ମୃତ୍ୟୁ ଚିନ୍ତା ବଢ଼ାଇ ଦେଇଛି ।
୨ ମାସରେ ୯ କୃଷ୍ଣସାର ମୃଗ ମୃତ:
ବିରଳ କୃଷ୍ଣସାର ମୃଗ ବଂଶବୃଦ୍ଧି ପାଇଁ ପୁରୀ ବନ ବିଭାଗ ପକ୍ଷରୁ କୋଣାର୍କ ବନଖଣ୍ଡ ଅଭୟାରଣ୍ୟରେ ୨ଟି ଏନକ୍ଲୋଜର ନିର୍ମାଣ କରାଯାଇଛି । ବିଭିନ୍ନ ସ୍ଥାନରୁ ଆସିଥିବା ୨୮ଟି କୃଷ୍ଣସାର ମୃଗଙ୍କୁ ଏହି ଏନକ୍ଲୋଜରରେ କିଛିଦିନ ରଖାଯିବା ପରେ ବଂଶବୃଦ୍ଧି ପାଇଁ ଅଭୟାରଣ୍ୟରେ ସ୍ଵାଧୀନ ଭାବେ ଛଡା ଯାଇଥିଲା । ସେମାନଙ୍କ ମଧ୍ୟରେ ୪ଟି ଛୁଆ ଜନ୍ମ ନେଇଥିଲେ । ଗତ ନଭେମ୍ବର ଓ ଡ଼ିସେମ୍ବର ମାସରେ ପର୍ଯ୍ୟାୟକ୍ରମରେ ୭ଟି ବଡ଼ ଓ ୨ଟି ଶାବକଙ୍କ ମୃତ୍ୟୁ ହୋଇଛି । କୋଣାର୍କ ପଶୁ ଡାକ୍ତର ଶୁଭସ୍ମିତା ଗଡ଼ନାୟକ ମୃତ କୃଷ୍ଣସାର ମୃଗଙ୍କ ବ୍ୟବଚ୍ଛେଦ କରିଛନ୍ତି । ପରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ, ଭୁବନେଶ୍ବର ଓୟୁଏଟିକୁ ( Odisha University of Agriculture & Technology, Bhubaneswar) ବ୍ୟବଚ୍ଛେଦ ରିପୋର୍ଟ ପଠାଯାଇଛି । ଏହାସହ ମୃତଦେହର ବିଭିନ୍ନ ଅଂଶର ନମୁନା ମଧ୍ୟ ପଠାଯାଇଛି । ଓୟୁଏଟିରୁ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
କେଉଁଠୁ ଆସିଥିଲେ କୃଷ୍ଣସାର ମୃଗ :
ବନ ବିଭାଗ ପକ୍ଷରୁ ଗତ ୨୦୨୪ ଜୁନ ୧୮ତାରିଖରେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ପାଇଁ ପରୀକ୍ଷା ମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ କୋଣାର୍କ ବାଲୁଖଣ୍ଡ ବନାଞ୍ଚଳକୁ ନନ୍ଦନକାନନରୁ ୬ଟି ମାଈ ଓ ୪ଟି ଅଣ୍ଡିରା ସମେତ ୧୦ଟି ବିରଳ କୃଷ୍ଣସାର ମୃଗ ଅଣାଯାଇଥିଲା । କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ଆଦର୍ଶ ବିଦ୍ୟାଳୟ ସମୁଖ ଜଙ୍ଗଲରେ ୩ କିଲୋମିଟର ଊର୍ଦ୍ଧ୍ବ କୁରୁଜଙ୍ଗ ପଞ୍ଚାୟତ ଅଧୀନ ଖଣ୍ଡିଆ ନଈ ନିକଟ ଅଭୟାରଣ୍ୟରେ ଥିବା ୧୦ ଏକର ପରିମିତ ଜାଗାରେ ନିର୍ମିତ ପ୍ରଥମ ସ୍ଵତନ୍ତ୍ର ଏନକ୍ଲୋଜରରେ ରଖାଯାଇଥିଲା । କିଛି ଦିନ ସେଠାରେ ରଖାଯାଇ କୋଣାର୍କ ଅଭୟାରଣ୍ୟରେ ସ୍ଵାଧୀନ ଭାବେ ବିଚରଣ ପାଇଁ ଛଡ଼ା ଯାଇଥିଲା ।
ଗତ ୨୦୨୪ ସେପ୍ଟେମ୍ବର ୧୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୭ଟି ଅଣ୍ଡିରା ଓ ୬ଟି ମାଈ ସମେତ ୧୩ଟି ବିରଳ କୃଷ୍ଣସାର ମୃଗ ନନ୍ଦନକାନନରୁ ଅଣାଯାଇ ଛଡାଯାଇଥିଲା । ଶେଷରେ ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ତୃତୀୟ ପର୍ଯ୍ୟାୟରେ ନନ୍ଦନକାନନରୁ ଆଉ ୨ଟି କୃଷ୍ଣସାର ମୃଗ ଅଣାଯାଇ ମୋଟ ୨୫ଟି ମୃଗ ଛଡାଯାଇ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିଲା । କୋଣାର୍କ ଚିତରେଶ୍ୱେରି ଅଭୟାରଣ୍ୟରେ ନିର୍ମିତ ଦ୍ଵିତୀୟ ଏନକ୍ଲୋଜରରେ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ଗଞ୍ଜାମ ଜିଲ୍ଲା ଜଙ୍ଗଲରୁ ୨ଟି ମାଈ ଓ ଗୋଟିଏ ଅଣ୍ଡିରା ସମେତ ୩ଟି କୃଷ୍ଣସାର ମୃଗ ଛଡ଼ା ଯାଇଥିଲା ।
'କୃଷ୍ଣସାର ମୃଗଙ୍କ ପାଇଁ ଉପଯୁକ୍ତ ପରିବେଶ ଜରୁରୀ' :
ପୁରୀର ବୁଦ୍ଧିଜୀବୀ ତଥା ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ସିହ୍ନା କହିଛନ୍ତି, "ବାଲୁଖଣ୍ଡ ଅଭୟାରଣ୍ୟ ଏକ ଲୁଣା ଜଙ୍ଗଲ । ଏହା ସମୁଦ୍ର କୂଳରେ ଅବସ୍ଥିତ ଝାଉଁ ଜଙ୍ଗଲ । ପୂର୍ବରୁ ଏହି ଜଙ୍ଗଲ ମେଣ୍ଢି ନାମକ ଏକ ଲଟା ଥିଲା । ଏହାକୁ ଖାଦ୍ୟ ଭାବେ ଖାଇ କୃଷ୍ଣସାର ମୃଗମାନେ ବଞ୍ଚୁଥିଲେ । ହେଲେ ଦୀର୍ଘବର୍ଷ ହେବ ଏହା ସମ୍ପୂର୍ଣ୍ଣ ଲୋପ ପାଇଯାଇଛି । ଫଳରେ ଖାଦ୍ୟାଭାବ ଓ ପରିବେଶକୁ ଖାପ ଖୁଆଇ ନ ପାରି ବାଲୁଖଣ୍ଡ ଜଙ୍ଗଲରୁ ବିରଳ କୃଷ୍ଣସାର ମୃଗ ଲୋପ ପାଇଗଲେ । ସରକାର ଏବେ ପୁଣି କୃଷ୍ଣସାର ମୃଗ ବଂଶବୃଦ୍ଧି ପାଇଁ ଯୋଜନା କରିଛନ୍ତି । ହେଲେ ବାଲୁଖଣ୍ଡ ଅଭୟାରଣ୍ୟରେ ପର୍ଯ୍ୟାପ୍ତ ଘାସ ନାହିଁ । ମହାବାତ୍ୟା ଫନିରେ (2019, ଏପ୍ରିଲ ୨୬) ଅନେକ ଗଛ ଭାଙ୍ଗିଯାଇଛି । ଫଳରେ ଖାଦ୍ୟାଭାବ, ପ୍ରବଳ ଖରା ଏବଂ ବିପର୍ଯ୍ୟସ୍ତ ପରିବେଶ ପ୍ରଭାବରେ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହେଉଛି । ଯେଉଁ ଜଙ୍ଗଲରେ ପ୍ରଚୁର ଘାସ ରହିଛି ସେଠାରେ କୃଷ୍ଣାସାର ମୃଗ ରହିଥାନ୍ତି । ହେଲେ ବାଲୁଖଣ୍ଡ ଅଭୟାରଣ୍ୟକୁ ଅଭୟାରଣ୍ୟ ଘୋଷଣା ହୋଇଥିଲେ ମଧ୍ୟ ଜଙ୍ଗଲରେ ଘାସ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ " କୃଷ୍ଣସାର ମୃଗଙ୍କ ପାଇଁ ଯେଉଁ ଜଳବାୟୁ ଏବଂ ପରିବେଶ ଦରକାର ତାହା ବାଲୁଖଣ୍ଡ ଅଭୟାରଣ୍ୟରେ ଆଉ ନାହିଁ । କୃଷ୍ଣସାର ମୃଗ ବଂଶବୃଦ୍ଧି ଯୋଜନା ଏଠାରେ ଫେଲ ହେବ । ଗଞ୍ଜାମରେ ଗ୍ରାମବାସୀଙ୍କ ଲାଳନ ପାଳନ ଯୋଗୁଁ କୃଷ୍ଣସାର ମୃଗ ବଞ୍ଚି ରହୁଛନ୍ତି । ଏଠାରେ ବନ କର୍ମଚାରୀଙ୍କ ଏଥିରେ ଅନ୍ତରିକତା ନାହିଁ । ବାଲୁଖଣ୍ଡ ଅଭୟାରଣ୍ୟକୁ ବ୍ୟବସ୍ଥିତ କରିବା ନାମରେ କେବଳ କୋଟି କୋଟି ଟଙ୍କା ହରିଲୁଟ ଚାଲିଛି । କୃଷ୍ଣସାର ମୃଗଙ୍କ ପାଇଁ ଜଙ୍ଗଲକୁ ବ୍ୟବସ୍ଥିତ କରିବାକୁ ପଡ଼ିବ । ବର୍ଷା ଦିନେ ଘାସ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ । ଜଙ୍ଗଲକୁ ହରିଣଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ପଡ଼ିବ । "
ବନ ବିଭାଗର ଅବହେଳା: ପରିବେଶବିତ
ପରିବେଶବିତ ସରୋଜ କୁମାର ଜେନା କହିଛନ୍ତି, "ବାଲୁଖଣ୍ଡ ଅଭୟାରଣ୍ୟର ବିରଳ କୃଷ୍ଣସାର ମୃଗ ବଂଶବୃଦ୍ଧି ପାଇଁ ସ୍ଵତନ୍ତ୍ର ଏନକ୍ଲୋଜର କରାଯାଇଥିଲା । ହେଲେ ଦୁଃଖର କଥା ୯ଟି କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକି ବଂଶବୃଦ୍ଧି ଯୋଜନା ଏକ ପ୍ରକାର ବିଫଳ ହେବାରେ ଲାଗିଛି । ବାଲୁଖଣ୍ଡ ଅଭୟାରଣ୍ୟର ବିଲୁପ୍ତ ହୋଇ ଯାଇଥିବା କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ପାଇଁ ୨୦୨୩ରେ ବନବିଭାଗ ଯେଉଁ ପଦକ୍ଷେପ ନେଇଥିଲା, ସେଥିରେ ଆମେ ବେଶ୍ ଖୁସି ହୋଇଥିଲୁ । ଏହା ସଫଳ ହେବା ପରିବର୍ତ୍ତେ ବିପର୍ଯ୍ୟୟ ହେଇଛି । ବନ ବିଭାଗ ହରିଣ ମୃତ୍ୟୁକୁ ନେଇ ନିମୋନିଆର କାରଣ କହୁଥିବା ବେଳେ ବିଭାଗ କାହିଁକି ସତର୍କ ହେଲାନାହିଁ । ଗୋଟିଏ ପରେ ଗୋଟିଏ ହରିଣ ମୃତ୍ୟୁବରଣ କଲେ । ଏଥିରେ ବନ ବିଭାଗ କର୍ମଚାରୀଙ୍କ ସମ୍ପୂର୍ଣ ଅବହେଳା ରହିଛି । କୃଷ୍ଣସାର ମୃଗଙ୍କ ଯତ୍ନ ପାଇଁ ଅଭିଜ୍ଞ କର୍ମଚାରୀ ନାହାନ୍ତି । କୃଷ୍ଣସାର ମୃଗଙ୍କ ଉପରେ ଜ୍ଞାନ ନ ଥିବା କର୍ମଚାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ଯାହାଫଳରେ ୯ଟି କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । କୃଷ୍ଣସାର ମୃଗ ବଂଶବୃଦ୍ଧି ପାଇଁ ଯୋଜନାକୁ ନେଇ ଆମେ ବେଶ ଖୁସିଥିଲୁ । ହେଲେ ଏହା ବିଫଳ ହେବାକୁ ବସିଥିବାରୁ ଆମେ ବନ ବିଭାଗର ଅବହେଳାକୁ ଦାୟୀ କରୁଛୁ । ସମଗ୍ର ଘଟଣାକୁ ସରକାର ତଦନ୍ତ କରନ୍ତୁ । କାହା ଅବହେଳାରୁ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହେଲା । ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ହୋଇଛି ନା ଏଥିରେ ଦୁର୍ନୀତି ହେଇଛି ତାହାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ।"
ଅଭୟାରଣ୍ୟରେ ବିରଳ କୃଷ୍ଣସାର ମୃଗଗୁଡିକ ନିଜର ବଂଶବୃଦ୍ଧି କରିବା ପୂର୍ବରୁ ସେଥିରୁ କିଛି ଆଖି ବୁଜି ଦେଇଥିବା ଦୁଃଖଦ ଖବର ମିଳିଛି । କୋଟି କୋଟି ଟଙ୍କା ଖର୍ଚ୍ଚ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ଯୋଜନା ଫେଲ୍ ହେବାକୁ ବସିଥିବା ଆଶଙ୍କା ପ୍ରକଟ କରିଛନ୍ତି ପରିବେଶବିତ ।
କୃଷ୍ଣସାର ମୃଗ ମୃତ୍ୟୁର କାରଣ କ'ଣ ?:
ବାଲୁଖଣ୍ଡ ଅଭୟାରଣ୍ୟରରେ ଥିବା କୃଷ୍ଣସାର ମୃଗଙ୍କ କାହିଁକି ମୃତ୍ୟୁ ହେଲା ସେନେଇ ପ୍ରତିକ୍ରିୟା ଦେଇ ପୁରୀ ଡିଏଫ୍ଓ ବିବେକ କୁମାର କହିଛନ୍ତି, "ବିଭିନ୍ନ କାରଣକୁ ନେଇ ହରିଣଙ୍କ ମୃତ୍ୟୁ ହୋଇଛି । କେତେକ କାରଣ ମଧ୍ୟ ପ୍ରାକୃତିକ ରହିଛି । ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡୁଛି ଯେ, ଗୋଟିଏ ହରିଣର ମୃତ୍ୟୁ ନିମୋନିଆ କାରଣରୁ, ଗୋଟିଏ ହରିଣର ମୃତ୍ୟୁ ହରିଣଙ୍କ ମଧ୍ୟରେ ଲଢେଇ ଯୋଗୁଁ ହୋଇଛି । ଗୋଟିଏ ଶାବକ ଜନ୍ମ ହେବାର ୨୪ ଘଣ୍ଟା ଭିତରେ ମୃତ୍ୟୁ ବରଣ କରିଛି । ଏହି ଭଳି ବିଭିନ୍ନ କାରଣ ଓ ପ୍ରାକୃତିକ କାରଣରୁ ୭ଟି ବଡ ହରିଣ ଓ 2ଟି ଶାବକର ମୃତ୍ୟୁ ହୋଇଛି । କୃଷ୍ଣସାର ମୃଗ ମୃତ୍ୟୁ ପଛରେ କିଛି ବି ପରିବେଶକୁ ପ୍ରଭାବ ନାହିଁ । ବନବିଭାଗ ପକ୍ଷରୁ ଭଲ ବ୍ୟବସ୍ଥା ରହିଛି । "
ପୁରୀ ଡିଏଫ୍ଓ ବିବେକ କୁମାରଙ୍କ କହିବା କଥା "ଗତ ସେପ୍ଟେମ୍ବର ମାସରେ କୃଷ୍ଣସାର ମୃଗ ଅଣାଯାଇଥିଲା । ନନ୍ଦନକାନନରୁ ଆସିଥିବା ୨୫ଟି ମୃଗ ମଧ୍ୟରୁ ଏବେ ୨୦ଟି ଅଛନ୍ତି । ଗଞ୍ଜାମରୁ ଆସିଥିବା ୪ଟି ଠିକ୍ ଅଛନ୍ତି । କୃଷ୍ଣସାର ମୃଗଙ୍କ ସ୍ବାସ୍ଥ୍ୟର ଯତ୍ନ ପାଇଁ ପ୍ରତି ୧୫ ଦିନରେ ଜଣେ ପଶୁ ଚିକିତ୍ସକ ଆସି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଇତି ମଧ୍ୟରେ କନ୍ଧମାଳ ଘୁମୁସର ଡିଭିଜନରୁ ୮ଟି କୃଷ୍ଣସାର ମୃଗ ଆସିବାର ଯୋଜନା ରହିଛି । ୪ଟି ଆସିଥିବା ବେଳେ ଖୁବଶୀଘ୍ର ଆଉ ୪ଟି ଆସିବ । କୃଷ୍ଣସାର ମୃଗ ବଂଶବୃଦ୍ଧି ଯୋଜନା ସଫଳ ହେବ ବୋଲି ଆମର ଆଶା ରହିଛି ।"
କଣ ଏହି କୃଷ୍ଣସାର ମୃଗ ପ୍ରଜାତି ? :
କୃଷ୍ଣସାର ମୃଗ ଏବେ ସ୍ବତନ୍ତ୍ର ପ୍ରଜାତିର ମୃଗ । ଏହା ମୁଖ୍ୟତଃ ଭାରତ ଓ ନେପାଳରେ ଦେଖାଯାଆନ୍ତି । ଅବାଧ ଶିକାର, ଜଙ୍ଗଲ କ୍ଷୟ ଓ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏହା ବିଲୁପ୍ତ ଅବସ୍ଥାକୁ ଆସିଯାଇଛନ୍ତି । ଏହାର ବଂଶବୃଦ୍ଧି ପାଇଁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଦେଶର ଅନେକ ପ୍ରାଣୀ ଉଦ୍ୟାନ, ଅଭୟାରଣ୍ୟରେ ଏମାନଙ୍କୁ ରଖାଯାଇ ବଂଶବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି । ଏହା ଏକ ଶାକାହାରୀ ପ୍ରାଣୀ । ଏହାର ଜୀବନ କାଳ ୧୦ରୁ ୧୫ ବର୍ଷ । ଏହା ୫୦ରୁ ୮୦ କିମି ବେଗରେ କ୍ଷୀପ୍ର ବେଗରେ ଦୌଡ଼ିପାରେ । ପୁରୁଷ କୃଷ୍ଣସାର ମୃଗର ଶିଙ୍ଗ ୨୮ ଇଞ୍ଚ ଲମ୍ବ ହୋଇଥାଏ । ଓଜନ ୨୦ରୁ ୫୭ କିଲୋଗ୍ରାମ । ମାଈ ମୃଗ ୨୦ରୁ ୩୩ କିଲୋଗ୍ରାମ । ଏହା ଖୋଲା ଘାସ ଥିବା ଅଞ୍ଚଳ ଓ କମ ଜଙ୍ଗଲ ଅଞ୍ଚଳରେ ବିଚରଣ କରିଥାନ୍ତି । ଚିରଶ୍ରୋତା ନଦୀ ଥିବା ଅଞ୍ଚଳରେ ଏହା ଦେଖାଯାଆନ୍ତି । କୃଷ୍ଣସାର ମୃଗ ଅତ୍ୟଧିକ ଥଣ୍ଡା ସହ୍ୟ କରିପାରନ୍ତି ନାହିଁ । ତେଣୁ ଏହା ରାଜସ୍ଥାନର ମରୁଭୂମି ଓ ଉପକୂଳ ଅଞ୍ଚଳରେ ଦେଖାଯାଆନ୍ତି । ଭାରତର ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଓଡ଼ିଶାର କିଛି ଅଞ୍ଚଳରେ ଦେଖାଯାଆନ୍ତି । ଏମାନେ ଦଳ ହୋଇ ରହିଥାନ୍ତି ।
ବିଲୁପ୍ତ ତାଲିକାରେ କୃଷ୍ଣସାର ମୃଗ:
ଇଣ୍ଟରନ୍ୟାସନାଲ ୟୁନିୟନ୍ ଫର୍ କଞ୍ଜରବେସନ ଅଫ ନେଚର କୃଷ୍ଣସାର ମୃଗକୁ ରେଡ ଲିଷ୍ଟରେ ରଖିଛି । ଏହା ସହ ସୂଚୀରେ ଏହାକୁ ବିଲୁପ୍ତ ପ୍ରଜାତିରେ ରଖାଯାଇଛି । ଭାରତୀୟ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ୧୯୭୨ ଅନୁଯାୟୀ କୃଷ୍ଣସାର ମୃଗ ଶିକାର ନିଷିଦ୍ଧ କରାଯାଇଛି ।
କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲ ଯାଇଥିଲେ ବଲିଉଡ ଷ୍ଟାର ସଲମାନ ଖାନ:
ହରିୟଣା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ପଞ୍ଜାବରେ ରହୁଥିବା ବିଷ୍ମୋୟୀ ସମାଜ କୃଷ୍ଣସାର ମୃଗକୁ ଭଗବାନ କୃଷ୍ଣଙ୍କ ଅବତାର ବୋଲି ମାନିଥାନ୍ତି । ସେମାନେ ଏହି ମୃଗଙ୍କୁ ପୂଜା କରିଥାନ୍ତି । ତେବେ ୧୯୯୮ ମସିହାରେ କୃଷ୍ଣସାର ମୃଗ ଶିକାର କରି ଫସିଥିଲେ ବଲିଉଡ ଅଭିନେତା ସଲମାନ ଖାନ୍ । ଏକ ଫିଲ୍ମ ସୁଟିଂ ବେଳେ ସଲମାନ ଖାନ କୃଷ୍ଣାସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସଲମାନ ଖାନ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । କୃଷ୍ଣସାର ମୃଗକୁ ଶିକାରୀମାନେ ଶିକାର କରି ସେମାନଙ୍କ ଅଙ୍ଗ, ଶିଙ୍ଘ ଓ ନଖ ଆଦି ଚୋରାରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥାନ୍ତି । ଅନ୍ତର୍ଜାତୀୟ ବଜାରରେ ଏହାର ବେଶ୍ ଚାହିଦା ରହିଛି । ତେଣୁ ଏହି ଜୀବ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ସବୁବେଳେ ରହିଥାଏ ।
ଇଟିଭି ଭାରତ, ପୁରୀ