ସମ୍ବଲପୁର: ସହରରେ ଥିବା ଏକ ମାନସିକ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ମାଡ଼ ମାରିବା ଘଟଣାରେ ତଦନ୍ତ ଜାରି ରହିଛି l ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଉକ୍ତ କେନ୍ଦ୍ରକୁ କଳା ତାଲିକାଭୂକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିସାରିଛି । ସେଠାରେ ଥିବା ଅନ୍ତେବାସୀଙ୍କୁ ବଇଜାମୁଣ୍ଡା ସ୍ଥିତ ସମନ୍ବିତ ଥଇଥାନ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରି ଥଇଥାନ କରାଯାଇଛି ।
ଗତକାଲି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଉପ-ଜିଲ୍ଲାପାଳଙ୍କଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ (DSSO) ଥବୀର ମହାନନ୍ଦଙ୍କୁ ଘଟଣା ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।
- DSSOଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶଅ ନୋଟିସ
ଘଟଣା ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ ଆଜି ଅନ୍ତେବାସୀଙ୍କୁ ବୈଜମୁଣ୍ଡା ସ୍ଥିତ ସମନ୍ବିତ ଥଇଥାନ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରାଯାଇଛି l ତାହା ସମ୍ପୂର୍ଣ୍ଣ ସରକାରୀ ବିଲ୍ଡିଂ l ସେଠାରେ "ପିପୁଲସ ଫୋରମ" ନାମକ ଏକ ସଂସ୍ଥାର ତତ୍ତ୍ବାବଧାନରେ ଅନ୍ତେବାସୀମାନେ ରହିବେ l ଏହି ସଂସ୍ଥାର ସବୁ ଜିଲ୍ଲାରେ କାମ ଚାଲିଛି ଓ ତାଙ୍କର ଡାକ୍ତର ସହିତ ସବୁ ପ୍ରକାର ମାନବ ସମ୍ବଳ ରହିଛି l ସେମାନେ ଏହି ଅନ୍ତେବାସୀଙ୍କୁ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଯତ୍ନ ନେବେ l ଯେଉଁ ସଂସ୍ଥା, ଏମାନଙ୍କ ପାଇଁ କାର୍ଯ୍ୟ କରୁଥିଲା ସେମାନଙ୍କୁ ବ୍ଲାକ ଲିଷ୍ଟ କରିବା ପାଇଁ ବିଭାଗକୁ ଚିଠି କରାଯାଇଛି l ଏହା ସହ ଏହି ଅଭାବନୀୟ ଘଟଣା ପାଇଁ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି l’’
ଏହା ମଧ୍ୟ ପଢନ୍ତୁ:- 'ସମର୍ଥ'ରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ଗିରଫ ଗଲେ ଜେଲ୍ ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା, ରିପୋର୍ଟ ଦେଲେ ଉପଜିଲ୍ଲାପାଳ |
- ଭାଇରାଲ ହୋଇଥିଲା ନିର୍ଯାତନାର ଭିଡିଓ, ଏପର୍ଯ୍ୟନ୍ତ 2 ଗିରଫ
ଧନୁପାଲି ଥାନା ଅଧୀନରେ ଥିବା ଏକ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ମାଡ଼ପିଟ୍ ଘଟଣା ସାରା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଏଠାରେ ଥଇଥାନ ହୋଇଥିବା ମାନସିକ ଭିନ୍ନକ୍ଷମଙ୍କୁ ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତି ନିର୍ଯାତନା ଦେଉଥିବା, ଏପରିକି ନିର୍ଧୂମ ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ବଢିଥିଲା । ପୋଲିସ ଉକ୍ତ କେନ୍ଦ୍ରରେ ଚଢାଉ କରିଥିଲା । ଅନୁଷ୍ଠାନର ସେକ୍ରେଟାରୀ ଓ ମହିଳା କେୟାର ଟେକରଙ୍କୁ ଗିରଫ କରାଯାଇସାରିଛି । ଉକ୍ତ ଅନୁଷ୍ଠାନର ପଞ୍ଜୀକରଣ ବାତିଲ କରି ବ୍ଲାକ ଲିଷ୍ଟ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆଜି ଏହାରି ମଧ୍ୟରେ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଆସିଛି ।
ଇଟିଭି ଭାରତ, ସମ୍ବଲପୁର