ବାଲେଶ୍ୱର: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବାଲେଶ୍ୱର ଜିଲ୍ଲା ଶ୍ରମ ଅଫିସରଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଦାବି କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ କିଛି କାର୍ଯ୍ୟକାରୀ ନହେଲେ ୨୨ ତାରିଖ ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟରେ ଡିଏଲସି (ଡିଭିଜିନାଲ ଲେବର କମିଶନର) ଏବଂ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡ଼ିଛି । ଫଳରେ ଲୋକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଆଜି ସେନେଇ ଶ୍ରମିକମାନଙ୍କ ଦ୍ୱାରା ବିକ୍ଷୋଭ କରାଯାଇଥିଲା । ବିକ୍ଷୋଭକାରୀମାନଙ୍କ ପକ୍ଷରୁ ସେହି ଖାଲି ଥିବା ପଦରେ ନିଯୁକ୍ତି ପାଇଁ ଦାବି କରାଯାଇଛି । କର୍ମଚାରୀ ଅଭାବରୁ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନରେ ବର୍ଷବର୍ଷ ଧରି ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏପରି କି ପଞ୍ଜିକରଣ ପ୍ରମାଣପତ୍ରର ବାର୍ଷିକ ନବୀକରଣ ସଠିକ୍ ସମୟରେ କରାଯାଇପାରୁ ନାହିଁ । ଶ୍ରମିକମାନଙ୍କ ପାଇଁ ପ୍ରଣିତ ଶ୍ରମ ଆଇନ ଓ ଶିଳ୍ପ ସଂପର୍କ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉ ନଥିବା ସଂସ୍ଥାଗୁଡ଼ିକର ମଧ୍ୟ ଦୀର୍ଘବର୍ଷ ଧରି ତଦନ୍ତ ହେଉନାହିଁ ।
ଅବସର ପରେ ଗ୍ରାଚ୍ୟୁଇଟି ଓ କାର୍ଯ୍ୟରତ ଶ୍ରମିକମାନଙ୍କୁ କ୍ଷତିପୂରଣ ମକଦ୍ଦମାଗୁଡ଼ିକ ବିଚାର ହୋଇପାରୁ ନାହିଁ । ଫଳରେ ଦୀର୍ଘବର୍ଷ ଧରି ପଡ଼ି ରହିଥିବା ସଂପର୍କରେ ଶ୍ରମିକନେତାମାନେ ବିକ୍ଷୋଭ ସମାବେଶରେ ପ୍ରକାଶ କରିଛନ୍ତି । ତେବେ ସେନେଇ ଶ୍ରମ ଅଫିସର ଶିବନାରାୟଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଉପସ୍ଥାପନ କରାଯାଇଥିବା ସମସ୍ତ ଦାବିଗୁଡ଼ିକ ପୂରଣ କରିବା ପାଇଁ କୁହାଯାଇଛି । ନହେଲେ ଆସନ୍ତା ୨୨ ତାରିଖ ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି ।