ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ତଥା ବିବାଦୀୟ ‘ଓ୍ବାକଫ (ସଂଶୋଧନ) ବିଲ୍ କାର୍ଯ୍ୟକାରିତା ଦିଗରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ସରକାରକୁ ବଡ ସଫଳତା ମିଳିଛି । ଏହି ବିବାଦୀୟ ସଂଶୋଧନ ବିଲ୍ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅନୁମାଦନ ଲାଭ କରିଛି । ଏହି ବିଲ୍ ୧୪ଟି ସଂଶୋଧନ ସର୍ତ୍ତାବଳୀ ସହ ଗତବର୍ଷ (2024) ଅଗଷ୍ଟରେ ସଂସଦରେ ଉପସ୍ଥାପିତ ହୋଇଥିଲା । ତେବେ ଏହାକୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ ଓ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟ । ଫଳରେ ଏହର ତର୍ଜମା ଓ ଆବଶ୍ୟକସ୍ଥଳେ ସଂଶୋଧନ ପାଇଁ ଏହାକୁ ‘ଯୁଗ୍ମ ସଂସଦୀୟ କମିଟି’ (ଜେପିସି)କୁ ପଠାଯାଇଥିଲା । ତେବେ 44ଟି ବିନ୍ଦୁ ଉପରେ ଆଲୋଚନା ହୋଇଥିବା ବେଳେ ସଂସଦୀୟ କମିଟି 16ଟି ସଂଶୋଧନ ପ୍ରସ୍ତାବ ଗ୍ରହଣ କରିଛି । ସଂଖ୍ୟା ଆଧାରରେ ଏହି ବିଲ୍ ଯୁଗ୍ମ ସଂସଦୀୟ କମିଟିର ଅନୁମୋଦନ ଲାଭ କରିଛି ।
- କଣ କହିଲେ ଜେପିସି ଅଧ୍ୟକ୍ଷ
‘ଜେପିସି’ ଅଧ୍ୟକ୍ଷ ଜଗଦମ୍ବିକା ପାଲ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି," ୬ ମାସ ଧରି ଏହି ବିଲର ସମସ୍ତ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏନେଇ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିଲା । ଆମେ ସମସ୍ତ ସଦସ୍ୟଙ୍କଠାରୁ ମତାମତ ଓ ପ୍ରସ୍ତାବ ଚାହୁଁଥିଲୁ । ଏହା ଆମର ଶେଷ ବୈଠକ ଥିଲା, ତେଣୁ କମିଟି ଦ୍ୱାରା ୧୪ଟି ସଂଶୋଧନ ଗ୍ରହଣ କରାଯାଇଛି ଓ ଏହାକୁ ବହୁମତର ସହ ଅନୁମୋଦିତ କରାଯାଇଛି । ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ କିଛି ସଂଶୋଧନ ପାଇଁ ପରାମର୍ଶ ଦେଇଥିଲେ । ସେହି ପ୍ରତ୍ୟେକ ସଂଶୋଧନକୁ ଉପସ୍ଥାପନ କରାଯାଇ ଭୋଟିଂ ହୋଇଥିଲା, କିନ୍ତୁ ସେମାନଙ୍କ ସପକ୍ଷରେ (ବିରୋଧୀଙ୍କ ପ୍ରସ୍ତାବିତ ସଂଶୋଧନ) 10ଟି ଏବଂ ସେମାନଙ୍କ ବିପକ୍ଷରେ 16ଟି ଭୋଟ ପଡ଼ିଥିଲା ।’’
ଏହା ମଧ୍ୟ ପଢନ୍ତୁ :- ଅଡିଲେ ବିରୋଧୀ: ଯୁଗ୍ମ ସଂସଦୀୟ କମିଟିକୁ କଲା ଓ୍ବାକଫ ସଂଶୋଧନ ବିଲ୍ - Waqf Bill referred jpc
- ଜେପିସି ବୈଠକରେ ହୋଇଥିଲା ହୋହଲ୍ଲା
ଜାନୁଆରୀ 24 ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ JPC ବୈଠକରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ । ଡ୍ରାଫ୍ଟରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକର ଅନୁସନ୍ଧାନ ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ । ଦିଲ୍ଲୀ ନିର୍ବାଚନ ଯୋଗୁଁ ବିଜେପି ୱାକଫ ସଂଶୋଧନ ବିଲ୍ ସଂସଦରେ ଆଗତ କରିବାକୁ ଚାହୁଁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ତେବେ ପ୍ରାୟ 6 ମାସ ପରେ ଏହି ବିଲ ଏବେ ଯୁଗ୍ମ ସଂସଦୀୟ କମିଟିର ଅନୁମୋଦନ ହାସଲ କରିବାରେ ସଫଳ ହୋଇଛି । ଖୁବଶୀଘ୍ର ଏହାକୁ ଗୃହରେ ଆଗତ କରାଯିବ ଓ ଚର୍ଚ୍ଚା ପରେ ଭୋଟିଂ ଆଧାରରେ ପାରିତ କରିବାକୁ ମୋଦି ସରକାର ପ୍ରୟାସ କରିବ ।
- ବିଲ୍ ଆଗତ ସମ୍ପର୍କରେ...
ଗତବର୍ଷ (2024) ଅଗଷ୍ଟ 8 ତାରିଖରେ ‘ଓ୍ବାକଫ (ସଂଶୋଧନ) ବିଲ୍-2024’ କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଲୋକସଭାର ଆଗତ କରିଥିଲେ । ଏହାକୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ । ଫଳରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା । ଏହାକୁ ଆଗତ କରିବା ପୂର୍ବରୁ ସରକାର କୌଣସି ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇନଥିବା ଅଭିଯୋଗ ହୋଇଥିଲା । ଏବେ ଏହି ବିଲ ଯଗ୍ମ ସଂସଦୀୟ କମିଟି ଦ୍ବାରା ତର୍ଜମା ହୋଇଥିଲା । ଏହି କମିଟିରେ ରାଜ୍ୟସଭା ଓ ଲୋକସଭାର 31 ସଦସ୍ୟ ଥିବା ଏହି ଯୁଗ୍ମ କମିଟିରେ ଜଗଦମ୍ବିକା ପଲ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ