ଫୁଲବାଣୀ:ଚଳିତ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାର 3 ଜଣ ବିଧାୟିକା ପ୍ରାର୍ଥିନୀଙ୍କୁ ଅଣ ଆଦିବାସୀ ପ୍ରାର୍ଥୀ କହି ଆସନ୍ତାକାଲି 16 ତାରିଖ (ମଙ୍ଗଳବାର) କୁଇ ସମାଜ ସେବା ସମିତି କନ୍ଧମାଳ ବନ୍ଦ ଡାକରା ଦେଇଛି । କିନ୍ତୁ ଏହି ବନ୍ଦ ଡାକରାକୁ ସମର୍ଥନ କରିବାକୁ ମନା କରିଛି ସମନ୍ଵୟ ସମିତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କୁଇ ସମାଜ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ।
ସୂଚନା ଅନୁସାରେ, ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଓ ଭାଜପା ବିଧାୟିକା ପ୍ରାର୍ଥିନୀ ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଅଣ ଆଦିବାସୀ ବୋଲି ଦାବି କରିଥିଲେ ଜିଲ୍ଲାର କିଛି କୁଇ ସମାଜ ସେବା ସମିତିର ସଦସ୍ୟ । ଏହାକୁ ନେଇ ଆସନ୍ତା 16 ତାରିଖରେ କନ୍ଧମାଳ ବନ୍ଦ ଡାକରା ଦେଇଥିଲେ । କିନ୍ତୁ ଏନେଇ ସମନ୍ଵୟ ସମିତି ଏବଂ କୁଇ ସମାଜ ସହ ସଂଶ୍ଳିଷ୍ଟ ଅନ୍ୟ ସଂଗଠନମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିବା କହିଛନ୍ତି କୁଇ ସମାଜ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ।
ଲମ୍ବୋଦର କହଁର କହିଛନ୍ତି, " ଟିକେଟ ପାଇବାରେ କିଛି ବିଫଳ ନେତାଙ୍କ ଅପଚେଷ୍ଟାରେ ଆସନ୍ତାକାଲି 16 ତାରିଖ କନ୍ଧମାଳ ବନ୍ଦ ଡାକରା କିଛି ବ୍ୟକ୍ତିଙ୍କ ଏକତରଫା ନିଷ୍ପତ୍ତି । ଏନେଇ ସମନ୍ଵୟ ସମିତି ଏବଂ କୁଇ ସମାଜ ସହ ସଂଶ୍ଳିଷ୍ଟ ଅନ୍ୟ ସଂଗଠନମାନଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । କୁଇ ସମାଜ ଏକ ସମ୍ପୂର୍ଣ୍ଣ ଅଣରାଜନୈତିକ ସଂଗଠନ । ଭୋଟ ରାଜନୀତିରେ ସମ୍ପୃକ୍ତ ହେବ ନାହିଁ ବୋଲି ଏହାର ସମ୍ବିଧାନରେ ଉଲ୍ଲେଖ ରହିଛି । ଯେଉଁ ପ୍ରାର୍ଥୀମାନଙ୍କ ଆଦିବାସୀ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ତାହାର କୌଣସି ଯାଥାର୍ଥତା ନାହିଁ ।"