କୋରାପୁଟ: ମୁଣ୍ଡରେ କ୍ଲିପ, ବେକରେ ରଙ୍ଗ ବେରଙ୍ଗ ପୋତି ଓ ରୁପା ମାଳି, ହାତରେ ଚୁଡ଼ି, ଶରୀରରେ ହାତବୁଣା କେରେଙ୍ଗ ପୋଷାକ । ପୂରା ପାରମ୍ପରିକ ବେଶଭୂଷା । ଏ ହେଉଛି ଏମାନଙ୍କ ଦୈନନ୍ଦିନ ଜୀବନ ଚର୍ଯ୍ୟା । ଆମେ କହୁଛୁ କୋରାପୁଟ ଗାଦବା ସମ୍ପ୍ରଦାୟ ବା ଗାଦବା ସମୁଦାୟ ମହିଳାଙ୍କ କଥା । ଆଜି ଏମାନଙ୍କ କଥା ଏଥିପାଇଁ ଚର୍ଚ୍ଚାରେ । କାରଣ ଗାଦବା ସମ୍ପ୍ରଦାୟର ସ୍ବତନ୍ତ୍ର ବସ୍ତ୍ରକୁ ଦେଖିବ ଦୁନିଆ । ପଲ୍ଲୀରେ ଧ୍ୟାନ ଆକର୍ଷଣ କରୁଥିବା ଏହି ଆଦିବାସୀଙ୍କ ହାତ ତିଆରି ଦୁର୍ଲଭ ବସ୍ତ୍ର କଥା ଜାଣିବେ ଦେଶବାସୀ । ରାଜଧାନୀ ନୂଆଦିଲ୍ଲୀରେ ପ୍ରଦର୍ଶିତ ହେବ 'କେରେଙ୍ଗ ବସ୍ତ୍ର' ।
ରାଇପଡ଼ାରୁ ରାଜଧାନୀ, ଦେଶ ଦେଖିବ କେରେଙ୍ଗ ବସ୍ତ୍ର:
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ରାଇପଡ଼ାର ଗାଦବା ସମ୍ପ୍ରଦାୟ । ଆଉ ଏହି ସମୁଦାୟର ଦୁଇଜଣ ଆଦିବାସୀ ମହିଳା ସେବତୀ ଶିଶା ଓ ମଣି କିରସାନି ବାହାରି ପଡିଛନ୍ତି ନୂଆଦିଲ୍ଲୀ ଅଭିମୁଖେ । ଚଳିତ ମାସ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି 'ଜାତୀୟ ସ୍ତରୀୟ ଇଣ୍ଟାକ ଉତ୍ସବ' । ଏହି ଜାତୀୟ ସ୍ତରୀୟ ପ୍ରଦର୍ଶନୀରେ ସାମିଲ ହେବେ ସେବତୀ ଶିଶା ଓ ମଣି କିରସାନି । ଦିଲ୍ଲୀ ଦରବାରରେ ଚମକିବ କୋରାପୁଟଗାଦବା ସମ୍ପ୍ରଦାୟର 'କେରେଙ୍ଗ ବସ୍ତ୍ର' । ଲୁପ୍ତପ୍ରାୟ ଏହି ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ଜାରି ରହିଛି ଉଦ୍ୟମ ।
ସହଜରେ ମିଳେନି କେରେଙ୍ଗ ଶାଢୀ:
କାହିଁକି ଯାଉଛନ୍ତି ନୂଆଦିଲ୍ଲୀ, ସେ ନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେବତୀ ଶିଶା କହିଛନ୍ତି, "ଆମେ ଆମର କେରେଙ୍ଗ ବସ୍ତ୍ର ଦେଖାଇବା ପାଇଁ ଦିଲ୍ଲୀ ଯାଉଛୁ ଆଜ୍ଞା । ସମସ୍ତେ ଶାଢ଼ୀ ପିନ୍ଧୁଛନ୍ତି । ସାଧାରଣ ଶାଢ଼ୀ ସବୁଠି ମିଳେ । ହେଲେ କେରେଙ୍ଗ ଶାଢୀ ସହଜରେ ମିଳେ ନାହିଁ ।"
ସେବତୀ ଶିଶାଙ୍କ କହିବା କଥା, "ଆମେ ଏହି ଶାଢ଼ୀ ହାତରେ ବୁଣିଥାଉ । ବନ ସୂତା, ଖାଲା ସୂତା, ରଙ୍ଗ ସୂତା ଏବଂ ନେଲି ସୂତାରେ କେରେଙ୍ଗ ଶାଢ଼ୀ ବୁଣୁ । ଗୋଟିଏ ଶାଢ଼ୀ ତିଆରିବାକୁ ଦୁଇ ସପ୍ତାହ ଅର୍ଥାତ ୧୫ ଦିନ ସମୟ ଲାଗେ । "
ଇନଟାକ ଉତ୍ସବରେ କେରେଙ୍ଗ ବସ୍ତ୍ର:
ନୂଆଦିଲ୍ଲୀର ଲୋଧି ରୋଡରେ ଚଳିତ ଜାନୁଆରୀ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ପ୍ରଦର୍ଶନୀ । ଦେଶ ଦେଖିବ କେରେଙ୍ଗ ବସ୍ତ୍ର । ପ୍ରଦର୍ଶିତ ହେବ ଗାଦବା ସାମ୍ପ୍ରଦାୟର ଏହି ପାରମ୍ପରିକ ଏବଂ ଅର୍ଗାନିକ ‘କେରେଙ୍ଗ ବସ୍ତ୍ର’ । ଲୁପ୍ତପ୍ରାୟ ଏହି ବସ୍ତ୍ରର ପ୍ରଚାର ପ୍ରସାର ହୋଇପାରିବ । ପୂର୍ବରୁ ଇନଟାକ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବୟନ ବିଭାଗର ସହଯୋଗରେ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରାଯାଇ ପାରିଛି ।
କିପରି ପ୍ରସ୍ତୁତ ହୁଏ କେରେଙ୍ଗ ବସ୍ତ୍ର ?
ସାଧାରଣତଃ ଅନ୍ୟ ବସ୍ତ୍ରଠାରୁ କେରେଙ୍ଗ ବସ୍ତ୍ର ସ୍ବତନ୍ତ୍ର । କେରଙ୍ଗ ଗଛରୁ ସୂତା ତିଆରି ହୋଇ ବୁଣାଯାଏ ଶାଢ଼ୀ । ଏହାସହ ସିଉନା ଗଛରୁ ମଧ୍ୟ ସୂତା ବାହାର କରାଯାଏ । ସେହିପରି ଜାଫ୍ରା ଗଛରୁ ରଙ୍ଗ ବାହାର କରାଯାଇ, ସୂତାକୁ ପ୍ରାକୃତିକ ରଙ୍ଗ ଦିଆଯାଏ । ସୂତା ପ୍ରସ୍ତୁତି ସରିବା ପରେ ତନ୍ତରେ ପୋଷାକ ବୁଣନ୍ତି ଗାଦବା ସଂପ୍ରଦାୟ ମହିଳା । କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗାଦବା ଜନଜାତି ଏହି ବସ୍ତ୍ର ବୁଣିଥାନ୍ତି । ଜଙ୍ଗଲରୁ କେରେଙ୍ଗ ଗଛର ଛାଲି ସଂଗ୍ରହ କରି ସେଥିରୁ ବସ୍ତ୍ର ତିଆରି କରନ୍ତି ।
ଶୀଘ୍ର ନଷ୍ଟ ହୁଏନି କେରେଙ୍ଗ ବସ୍ତ୍ର:
କେରଙ୍ଗ ଗଛର ତନ୍ତୁରୁ ସୂତା ବାହାର କରି ସ୍ବତନ୍ତ୍ର ତନ୍ତରେ ବୁଣା ଯାଉଥିବା ଏହି ବସ୍ତ୍ର ଶତାଧିକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରୁହେ । ପିଢି ପରେ ପିଢି ଏହାକୁ ବ୍ୟବହାର କରିପାରିବେ ବୋଲି କହିଛନ୍ତି ଇନଟାକ କୋରାପୁଟ ଚାପ୍ଟରର ଆବାହକ ପ୍ରଫୁଲ୍ଲ ମହାପାତ୍ର ।
କେରେଙ୍ଗ ବସ୍ତ୍ରକୁ ମିଳିବ ନୂଆ ପରିଚୟ :
ଇନଟାକ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବୟନ ବିଭାଗର ସହଯୋଗରେ ଗାଦବା ଜନଜାତିର ଲୁପ୍ତପ୍ରାୟ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରାଯାଇପାରିଛି । ଲମତାପୁଟର ରାଇପଡା ଗ୍ରାମର ମହିଳା ଓ ପୁରୁଷ ବୁଣାକାର ନୂତନ ଭାବେ ବସ୍ତ୍ର ବୁଣିବା ଆରମ୍ଭ କରିଥିବା ବେଳେ ଏଥିପାଇଁ ସହଯୋଗ କରୁଛି ଇନଟାକ ।