କୋରାପୁଟ: ସବୁଜ ବନାନୀ, ଆକାଶ ଛୁଆଁ ସୁଉଚ୍ଚ ପାହାଡ଼ ପର୍ବତ, କଳ କଳ ନାଦରେ ବହିଯାଉଥିବା ନଦୀ-ଝରଣା ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ଋତୁରାଜ ବସନ୍ତର ଆଗମନରେ ଏହି ସୌନ୍ଦର୍ଯ୍ୟ ଦୁଇଗୁଣିତ ହୋଇ ଉଠିଛି । ପହିଲି ଆମ୍ବ ବଉଳର ବାସ୍ନା ସାଙ୍ଗକୁ ମୃଦୁ ମଳୟ ପବନ । କୋଇଲିର କୁହୁ କୁହୁ ରାବ ସାଙ୍ଗକୁ ରଙ୍ଗ ବେରଙ୍ଗର ଫୁଲକୁ ଦେଖିବା ପାଇଁ ଘଡିଏ ଅଟକି ଯାଉଛି ପଥିକ । ପ୍ରକୃତିର ଏହି ସୁନ୍ଦରତାକୁ ଦେଖି ମନକୁ ଅଟକାଇ ନପାରି କବି ଲେଖି ପକାଉଛି କବିତା । ସେପଟେ ଅଦିନରେ କଫି ବଗିଚାରେ ଫୁଟିଛି ପେନ୍ଥା ପେନ୍ଥା କଫି ଫୁଲ, ଯାହା ପର୍ଯ୍ୟଟକମାନଙ୍କୁ କୋରାପୁଟକୁ ଟାଣି ଆଣୁଛି ।
ବର୍ଷର ଛଅଟି ଋତୁରେ ପ୍ରକୃତି ନିଜକୁ ନିତ୍ୟ ନୂତନ ବେଶରେ ସଜାଇ ହେଉଥିବା ବେଳେ ବର୍ତ୍ତମାନ ବସନ୍ତ ଋତୁରେ କୋରାପୁଟ ଜିଲ୍ଲାର ପର୍ବତ ଶିଖର ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଓ ପତ୍ରରେ ଭରି ଯାଇଛି । କେଉଁଠି ଆମ୍ବ ଗଛରେ ଭରି ପଡିଥିବା ବଉଳର ସମ୍ଭାର ପର୍ଯ୍ୟଟକର ଦୃଷ୍ଟି ଆକର୍ଷଣ କରୁଛି ତ ଆଉ କେଉଁଠି ଆଦିବାସୀ ଜନଜାତିର ସାଂସ୍କୃତିକ ଜୀବନ ବିଚିତ୍ରତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଧଳା ରଙ୍ଗର କୁରେଇ ଫୁଲର ସୌନ୍ଦର୍ଯ୍ୟ ମନକୁ ବିମୋହିତ କରୁଛି । ବିଶେଷ କରି ବସନ୍ତ ଋତୁର ମଳୟ ପବନରେ ବଉଳ ପେନ୍ଥାରୁ ଝଡି ଆସୁଥିବା ଟିକି ଟିକି ଫୁଲ, ବୃକ୍ଷରାଜିର ମାଟି ପ୍ରତି କୃତଜ୍ଞତାର ନିଦର୍ଶନ ସ୍ୱରୂପ ମାଟି ଉପରକୁ ଝଡି ଆସୁଥିବା ଶୁଖିଲା ପତ୍ର, କବି ପାଇଁ କବିତାର ଖୋରାକ ଯୋଗାଉଛି ।