ଭୁବନେଶ୍ବର:ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଭୁବନେଶ୍ବରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଜାଗର ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ବସିଛି ପ୍ରସ୍ତୁତି ବୈଠକ । ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଛି ପ୍ରସ୍ତୁତି ବୈଠକ । ଏହି ବୈଠକରେ ପୂଜା ସମ୍ବନ୍ଧୀୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଆଲଚନା ସହ ଭୋର ୩ଟାରୁ ମନ୍ଦିର ଖୋଲାଯାଇ ରାତି ୧୦ରେ ମହାଦୀପ ଉଠିବା ନେଇ ପୂର୍ବରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିବା ବେଳେ ସେହି ମୁତାବିକ ସମସ୍ତ ସେବାୟତଙ୍କୁ ସମନ୍ୱୟ ରଖି ଜାଗର ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ କହିଛନ୍ତି । ବୈଠକରେ ବାବା ଲିଙ୍ଗରାଜଙ୍କ ସମସ୍ତ ପାଳିଆ ଓ ସେବାୟତ ମନ୍ଦିରରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ତେଣୁ ଉପସ୍ଥିତ ସେବାୟତ ସବୁ ମାନଅଭିମାନ ଭୁଲି ଜାଗର ଯାତ୍ରାରେ ଯୋଗଦେବେ ବୋଲି ସହମତି ପ୍ରକାଶ କରିଛନ୍ତି ।
ତେବେ ଜାଗର ଅବସରରେ ମନ୍ଦିରର ଅନ୍ତଃଗୃହ, ବେଢ଼ା ପରିଷ୍କାର ପରିଚ୍ଛନ୍ନତା, ପାଦୁକା ନାଳ ସଫା, ଆଲୋକିକରଣ, ବ୍ୟାରିକେଡିଂ, ଟ୍ରାଫିକ୍ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ମୁତୟନ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇ ତଦନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଶାନ୍ତିଶୃଙ୍ଖଳାର ସହ ଜାଗର ଯାତ୍ରା ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।