ବ୍ରହ୍ମପୁର:ଖଲ୍ଲିକୋଟ ହିଂସାକାଣ୍ଡ ମାମଲା । ପୋଲିସ ୮ ଜଣଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସମୟରେ ପୋଲିସ ଗାଡ଼ିକୁ ଢେଲାମାଡ଼ ହୋଇଛି । ଗତକାଲି(ମଙ୍ଗଳବାର) ରାତିରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି-ବିଜେପି ମଧ୍ୟରେ ଉପୁଜିଥିଲା ହିଂସା । ଆଜି ଦିନ ତମାମ ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକ ଓ ବିଜେପି କର୍ମୀ ମିଳିତ ଭାବେ ରାସ୍ତାରୋକ କରିଥିଲେ । ଏପରିକି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବା ସମୟରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଉପରକୁ ଢେଲା ପଥରମାଡ଼ କରିଥିବାବେଳେ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ବିଧାୟିକାଙ୍କ ଗାଡି ଭଙ୍ଗାରୁଜା କରିଥିବାବେଳେ ଥାନା ଭିତରେ ବିକ୍ଷୋଭ କରୁଥିବା ବିଜେପି କର୍ମୀଙ୍କ ଉପରେ ପୋଲିସର ଲାଠିମାଡ଼ ଯୋଗୁଁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ପଞ୍ଚାୟତରେ ପୋଷ୍ଟର ଓ ବ୍ୟାନର ମାରିବାକୁ କେନ୍ଦ୍ର କରି ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖଣ୍ଡାରେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଫଳରେ ଶ୍ରୀକୃଷ୍ଣ ସରଣପୁର ପଞ୍ଚାୟତର ଦିଲିପ ପାହାନ, ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ ଓ ଅଭିମନୁ ପାହାନ ଗୁରୁତର ଥିବାବେଳେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ଦିଲିପ ପାହାନ, ଜିତେନ୍ଦ୍ର ପ୍ରଧାନ ଓ ବାପୁଜୀ ପାହାନକୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେହି ସମୟରେ ଅତ୍ୟଧିକ ରକ୍ତସ୍ରାବ ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଜିତେନ୍ଦ୍ରଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ଘଟିବା ପରେ ପରେ ଶହ ଶହ ବିଜେପି କର୍ମୀମାନେ ଟାୟାର ଜାଳି ଥାନା ଆଗରେ ଧାରଣା ଦେବା ସହ ଥାନା ଭିତରେ ପଶି ବିକ୍ଷୋଭ କରିଥିଲେ ।