କେନ୍ଦ୍ରାପଡା: ଗାଁକୁ ବ୍ୟାପୁଛି ରକ୍ତହୀନତା ରୋଗ । ପ୍ରାୟ ୮ରୁ ୯ ପରିବାରର ୧୦ରୁ ଅଧିକ ଶିଶୁ ଏବେ ଏଥିରେ ଆକ୍ରାନ୍ତ ହୋଇସାରିଲେଣି । ବର୍ଷ ବର୍ଷ ଧରି ଚିକିତ୍ସା ହୋଇଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି । ଅନ୍ୟପଟେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବ ଓ କଟକ ବଡ଼ ମେଡିକାଲରେ ରକ୍ତ ବଦଳରେ ରକ୍ତ ଦେବାକୁ କୁହାଯାଉଥିବାରୁ ଦିନ ମଜୁରୀ ଲାଗି ପେଟ ପୋଷୁଥିବା ପରିବାରଗୁଡିକ ଉପରେ ଯେମିତି ବଜ୍ର ପଡିଛି । କେନ୍ଦ୍ରାପଡା ସଦର ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଦେଖିବାକୁ ମିଳିଛି ଏପରି ସ୍ଥିତି ।
- ଗାଁର ଏକାଧିକ ଶିଶୁଙ୍କୁ ରକ୍ତହୀନତା ରୋଗ:
କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂର ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ । ଏହି ଗାଁର ଦଳିତ ବସ୍ତିରେ ରୁହନ୍ତି ବ୍ରହ୍ମାନନ୍ଦ ସେଠୀ । ପତ୍ନୀ ଓ ୯ ବର୍ଷ ବୟସର ବଡ଼ପୁଅ ଆଉ ୭ ବର୍ଷ ବୟସର ଝିଅକୁ ନେଇ ବ୍ରହ୍ମାନନ୍ଦଙ୍କ ପରିବାର । ଉଭୟ ଶିଶୁ ଜନ୍ମରୁ ସମ୍ପୂର୍ଣ୍ଣ ଠିକ୍ ଥିଲେ । ପରବର୍ତ୍ତୀ ସମୟରେ ହଠାତ ଜ୍ୱର ହେଲା ଓ କୌଣସି ପ୍ରକାର ଔଷଧ କାମ କଲା ନାହିଁ । ପରେ ବ୍ରହ୍ମାନନ୍ଦ ଉଭୟ ପୁଅ ଓ ଝିଅଙ୍କ ରକ୍ତ ପରୀକ୍ଷା କରିବାରୁ ସେମାନେ ରକ୍ତହୀନତା ରୋଗର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ରୋଗର ଲକ୍ଷଣ ଅନୁସାରେ, ବଞ୍ଚିବା ପାଇଁ ପ୍ରତିମାସରେ ଥରେ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । ପୂର୍ବରୁ ରକ୍ତ ଭଣ୍ଡାରରୁ କଷ୍ଟେ ମଷ୍ଟେ ରକ୍ତ ମିଳି ଯାଉଥିବା ବେଳେ ଏବେ ରକ୍ତ ମିଳିବା କଷ୍ଟକର ହୋଇପଡିଛି ।
- ‘ଏସସିବି’ ମେଡିକାଲରେ ରକ୍ତ ବଦଳରେ ରକ୍ତ !
କଟକ ବଡ଼ ମେଡିକାଲ (ଏସସିବି)ରେ ରକ୍ତ ବଦଳରେ ରକ୍ତ ମିଳିବ ବୋଲି କୁହାଯିବା ପରେ ପ୍ରତିମାସରେ ରକ୍ତଦାତା କେମିତି ଠିକ କରିବେ ଓ ଦୁଇ ପୁଅଝିଅଙ୍କୁ କେମିତି ରକ୍ତ ଦେବେ ସେନେଇ ଚିନ୍ତାରେ ବ୍ରହ୍ମାନନ୍ଦଙ୍କ ପରିବାର । ବ୍ରହ୍ମାନନ୍ଦଙ୍କ କହିବା ଅନୁସାରେ, ‘‘ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀ ରୋକଠୋକ ରକ୍ତଦାତା ଯୋଗାଡ଼ ନକଲେ ରକ୍ତ ମିଳିବ ନାହିଁ ବୋଲି କହୁଛନ୍ତି । ଏପଟେ ମାସରେ ଥରେ କଟକ ଯାଇ ରକ୍ତ ଦେଲେ, ଯିବା ଆସିବା ବାବଦରେ ଅତିକମରେ ଦୁଇ ହଜାର ଟଙ୍କା ଖର୍ଚ୍ଚ ହେଉଛି ।’’ ସେପଟେ କେବଳ ବ୍ରହ୍ମାନନ୍ଦଙ୍କ ପୁଅ-ଝିଅ ନୁହନ୍ତି, ଏହି ଗାଁର ବାଇଧର ସେଠୀଙ୍କ ୧୨ ବର୍ଷର ଝିଅ, ମକର ସେଠୀଙ୍କ ଝିଅଙ୍କ ସମେତ ଆହୁରି ୬ରୁ ୭ଜଣ ଶିଶୁ ଏବଂ କିଶୋର କିଶୋରୀ ମଧ୍ୟ ରକ୍ତହୀନତାରେ ଶିକାର ହୋଇଛନ୍ତି ।
- କେନ୍ଦ୍ରାପଡା ରକ୍ତଭଣ୍ଡାରରେ ନାହିଁ କଟକ ଭଳି ସୁବିଧା !
ଆକ୍ରାନ୍ତ ଶିଶୁମାନଙ୍କ ଅଭିଭାବକଙ୍କ ଅଭିଯୋଗ କରିଛନ୍ତି ଯେ,‘‘ ମାତ୍ର ୬ ମାସ ବୟସରୁ ପିଲାମାନଙ୍କ ନିକଟରେ ଏଭଳି ରୋଗ ଦେଖାଯିବା ପରେ ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପିଲାମାନଙ୍କୁ କଟକ ଶିଶୁ ଭବନ ନେଇଥିଲେ । ସେଠାରେ ଏମାନଙ୍କ ଶରୀରରେ ରକ୍ତର ଅଭାବ କଥା କହିଥିଲେ ଡାକ୍ତର । ତେବେ କେନ୍ଦ୍ରାପଡା ରକ୍ତ ଭଣ୍ଡାରରେ "ହୋଲ୍ଡ ବ୍ଲଡ" ରହୁଥିବା ଏହି ରକ୍ତ ନେବା ପରେ ପିଲାମାନଙ୍କ ଶରୀରରେ ଜଣ୍ଡିସ ମାତ୍ରା ବଢ଼ିଯାଉଛି ।’’
- ରକ୍ତ ଦେବାରେ ବିଳମ୍ବ କଲେ ହୁଏ ଏହି ଅସୁବିଧା:
ଆକ୍ରାନ୍ତଙ୍କ ଅଭିଭାବକ କହିଛନ୍ତି,‘‘ଏହି ରୋଗରେ ଆକ୍ରାନ୍ତଙ୍କୁ ପ୍ରତିମାସରେ ରକ୍ତ ନେବାର ଆବଶ୍ୟକତା ରହିଥାଏ । ରକ୍ତ ନେବାର ଏହି ସମୟ ଗଡ଼ିଗଲେ ରୋଗର ଶିକାର ହୋଇଥିବା ଶିଶୁମାନଙ୍କ ଗୋଡ଼-ହାତ ସରୁ ହୋଇଯିବ । ସେମାନେ ନିସ୍ତେଜ ହୋଇ ଗୋଟିଏ ସ୍ଥାନରେ ପଡି ରହିବେ । ମୁହଁ ଫୁଲିବା ଓ ପେଟ ବାହାରି ପଡିବା ଭଳି ଲକ୍ଷଣ ଦେଖାଯାଏ ।’’