କେନ୍ଦ୍ରାପଡା: 'ଶିକ୍ଷାକୁ ସେବା ଭାବି ପ୍ରଶିକ୍ଷଣ '। 'ହାରିବା ଦୁର୍ବଳତା ନୁହେଁ ବରଂ ଚେଷ୍ଟା ନ କରିବା ହିଁ ଦୁର୍ବଳତା' । ପ୍ରତିଟି ଘରେ ସରକାରୀ ଚାକିରିଆ ସୃଷ୍ଟି ପାଇଁ ଲାଗି ପଡିଛନ୍ତି ଯୁବପିଢ଼ି । ଶାରୀରିକ ଶିକ୍ଷା ସାଙ୍ଗକୁ ଦିଆଯାଉଛି ବିଭିନ୍ନ ପରୀକ୍ଷା ପାଇଁ ଟିପ୍ସି । ଯେଉଁଥିପାଇଁ ଗରିବଠାରୁ ଧନୀ ଘରର ପିଲାମାନଙ୍କୁ ଦେବାକୁ ପଡୁନାହିଁ କୌଣସି ଅର୍ଥ । ଏଭଳି ଏକ ପ୍ରଶିକ୍ଷଣ କେନ୍ଦ୍ର ହେଲା "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର"।
- କିଏ, କାହିଁକି କରିଥିଲେ ଏପରି ଅନୁଷ୍ଠାନ ?
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ । ଏହି ପଞ୍ଚାୟତର ବୀଣାପାଣି ହାଇସ୍କୁଲ ନିକଟରେ ରହିଛି "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର" । ୨୦୧୩ ମସିହାରେ ସ୍ଥାନୀୟ ଯୁବକ ଦିବ୍ୟରଞ୍ଜନ ଦାସ ଓଡ଼ିଶା ପୋଲିସରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ପୋଲିସ ଚାକିରିରେ ପାଇଥିବା ତାଲିମକୁ ନିଜ ଅଞ୍ଚଳର ଯୁବପିଢ଼ିଙ୍କୁ ଦେଇଥିଲେ । ନାମାଚାର୍ଯ୍ୟ ବାୟା ବାବାଙ୍କ ନାଁ ଅନୁସାରେ ଆରମ୍ଭ କରିଥିଲେ ଏକ ଅନୁଷ୍ଠାନ । ଯାହାର ନାମ ରଖିଥିଲେ "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର"। ସେହିପରି ତାଙ୍କ ସହ ଚାକିରି ପାଇଥିବା ଅନ୍ୟଜଣେ ସାଙ୍ଗ ଅମୀୟ ସ୍ୱାଇଁଙ୍କ ସମେତ ଅନ୍ୟ ତିନିଜଣ ଯୁବକ ମଧ୍ୟ ସାମିଲ ହୋଇ ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଳ୍ପ ବା ବରଗଛ ମୂଳରେ ଏହି ଅନୁଷ୍ଠାନର ମୂଳଦୁଆ ପଡିଥିବାରୁ ଏହାର ନାମ ଦିଆଯାଇଥିଲା "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର"।
- ଗରିବ ଛାତ୍ରଛାତ୍ରୀଙ୍କ ଆଶାର ଆଲୋକ "କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ":
ଏହି ନିପଟ ମଫସଲ ଅଞ୍ଚଳରେ ପ୍ରତିଷ୍ଠିତ ନାମାଚାର୍ଯ୍ୟ ବାୟା ବାବାଙ୍କ ଏହି କଳ୍ପତରୁ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆଖପାଖ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ବିନା ଅର୍ଥରେ ଶାରୀରିକ ଓ ବୌଦ୍ଧିକ ଜ୍ଞାନ ପ୍ରଦାନ କରାଯାଉଛି ।"
- ବିନା ଅର୍ଥରେ କେମିତି ଚାଲିଛି ପ୍ରତିଷ୍ଠାନ :
ବିନା ଅର୍ଥରେ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଉଭୟ ଶାରିରୀକ ଓ ବୌଦ୍ଧିକ ଜ୍ଞାନ ପ୍ରଦାନ କରିବା ସମସ୍ତଙ୍କୁ ଅସମ୍ଭବ ଲାଗୁଥିଲେ ମଧ୍ୟ ସମ୍ଭବ କରି ଦେଖାଇଛନ୍ତି ଅନୁଷ୍ଠାନର ସଦସ୍ୟମାନେ । କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରରେ କୌଣସି ଆଗଧାଡ଼ିର ତଥା ମୋଟାଅଙ୍କର ବେତନ ନେଇ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ଏହି କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଯେଉଁମାନେ ସଫଳତା ପାଇଛନ୍ତି ବା ଚାକିରି କରିଛନ୍ତି । ସେମାନେ ଛୁଟିରେ ଆସିଲେ ପ୍ରଶିକ୍ଷଣ ଦେଇଥାନ୍ତି । ଯେଉଁମାନେ ନିକଟରେ ଚାକିରି ପାଇଛନ୍ତି, ସେମାନେ ଖାଲି ସମୟରେ ଆସି ପ୍ରଶିକ୍ଷଣ ଦିଅନ୍ତି । କେବଳ ସେତିକି ନୁହେଁ ପ୍ରଶିକ୍ଷଣ କେନ୍ଦ୍ର କିପରି ଠିକ୍ ଭାବରେ ଚାଲିବ ଓ ଛାତ୍ରଛାତ୍ରୀ କୌଣସି ଅସୁବିଧାରେ ନପଡିବେ । ସେଥିପାଇଁ ଆର୍ଥିକ ସହଯୋଗ ବି କରିଥାନ୍ତି ।