ନିଆଳି:ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗ୍ଯାସ ବିସ୍ଫୋରଣ ଘଟଣାକୁ ମାସେ ପୂରିଛି। ହେଲେ ଏବେବି ଜ୍ୟୋତିଙ୍କୁ ମନେ ପକାଇ ପରିବାର ପରିବାର ଆଖିରୁ ଲୁହୁ ଶୁଖୁନି । ମେଡିକାଲ ପକ୍ଷରୁ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମନି ପର୍ସ ହସ୍ତାନ୍ତର କରାଯାଇଛି। ସେହି ଶେଷ ସନ୍ତକ ମନି ପର୍ସରୁ ଜ୍ୟୋତିଙ୍କ ପରିବାର ସାଉଁଟୁଛନ୍ତି ସ୍ମୃତି। ଜ୍ୟୋତି ନାହାନ୍ତି ସତ, ତାଙ୍କ ଫଟୋ ଓ ମନି ପର୍ସ ଜ୍ୟୋତିଙ୍କ ସ୍ମୃତିକୁ ତାଜା କରିଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା କୂଳ ବ୍ରାହ୍ମଣ ଗ୍ରାମର ରମେଶ ମଲ୍ଲିକଙ୍କ ଏକ ମାତ୍ର ପୁଅ ହେଉଛନ୍ତି ଜ୍ୟୋତି ରଞ୍ଜନ । ମାତ୍ର ୨୪ ବର୍ଷ ବୟସରେ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ତାଙ୍କର ଜୀବନ ଯାଇଛି ।
ଘରୋଇ ହସ୍ପିଟାଲରେ ଘଟିଥିବା ବିସ୍ଫୋରଣ ପରେ ମୃତଦେହ ଅଦଳବଦଳ ଘଟଣା କାହାକୁ ଅଛପା ନାହିଁ । ଯାହାକୁ ନେଇ ବହୁ ପ୍ରତିବାଦ ପରେ ଜ୍ୟୋତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ମେଡିକାଲ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି ମାତ୍ର ୪ ଲକ୍ଷ ଟଙ୍କା । ପ୍ରଦାନ କରାଯାଇଥିବା ଅନୁକମ୍ପା ରାଶିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜ୍ୟୋତିଙ୍କ ବାପା ରମେଶ ମଲ୍ଲିକ । ଜ୍ୟୋତିଙ୍କ ମା' ଏବେବି ଗୁମୁରି ଗୁମୁରି କାନ୍ଦିବା ସହିତ ଖାଇବା ପିଇବା କରୁନାହାନ୍ତି ।