ରାଇରଙ୍ଗପୁର (ମୟୁରଭଞ୍ଜ): ମହୁମାଛି ଆକ୍ରମଣରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ । ମୃତକ ହେଉଛନ୍ତି ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ-ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ 33 ବର୍ଷୀୟ ଇଂ.ବିଶ୍ବନାଥ ମୁର୍ମୁ । ଆଜି ସକାଳେ ଅଫିସ୍ ବାହାରୁ ଥିବା ସମୟରେ ସେ ମହୁଲଡିହାସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ଵାଘୁଆ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
- ଅଫିସ ଯିବା ରାସ୍ତାରେ ହଠାତ ଆକ୍ରମଣ କରିଥିଲେ ମହୁମାଛି
ସୂଚନାଯୋଗ୍ୟ ଯେ, ତିରିଂ ବ୍ଳକ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ଆଜି (ରବିବାର) ପୂର୍ବାହ୍ନ ପ୍ରାୟ ୮.୪୫ ସମୟରେ ରାଇରଙ୍ଗପୁର ସ୍ଥିତ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ଯ୍ୟସ୍ଥଳକୁ ଅଭିମୁଖେ ବାହାରିଥିଲେ । ହଠାତ୍ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ କୃଷ୍ଣଚୂଡା ଗଛରେ ଥିବା ମହୁଫେଣାରୁ ଶହ ଶହ ସଂଖ୍ୟାରେ ବାଘୁଆ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ । ଭୀଷଣ ଯନ୍ତ୍ରଣାରେ ସେଠାରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲକୁ ଆଣିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦିନ ପ୍ରାୟ ୧୦ଟା ସମୟରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।