ଭୁବନେଶ୍ଵର: ସାଧାରଣତଃ କୌଣସି ଅଙ୍ଗ ଅକାମୀ ହେଲେ ମେଡିକାଲ ସାଇନ୍ସରେ ରୋପଣ ପ୍ରତ୍ୟାରୋପଣ ଭଳି ସୁବିଧା ଉପଲବ୍ଧ ଅଛି । ନିର୍ଦ୍ଧାରିତ ମୂଲ୍ୟ ଦେଇ ରୋଗୀଟିଏ ଶରୀରରେ ପ୍ରତ୍ୟାରୋପଣ କରିଥାଏ । କ୍ୟାନସର ଭଳି ଦୂରାରୋଗକୁ ବି ଆଜିର ଉନ୍ନତ ଚିକିତ୍ସା ବିଜ୍ଞାନ ଦ୍ବାରା ମୁକାବିଲା କରି ହେଉଛି । କିନ୍ତୁ ଜଣେ କ୍ୟାନସର ରୋଗୀର ସବୁଠାରୁ ବଡ ସମସ୍ୟା ବିଷୟରେ କେବେ ପଚାରି ବୁଝିଛନ୍ତି କି ? ଆଜ୍ଞା ହଁ ଏହା ହେଉଛି କେଶ ସମସ୍ୟା । ସାଧାରଣ ଲୋକକୁ ଏହା ଏକ ସାଧାରଣ କଥା ଲାଗୁଥାଇ ପାରେ କିନ୍ତୁ ଜଣେ କ୍ୟାନସର ରୋଗୀଙ୍କ କେଶ ଚାଲିଯିବା ତାଙ୍କୁ ମାନସିକ ଅବସାଦକୁ ଠେଲି ଦେଇଥାଏ ।
ନାରୀ ହେଉ କି ପୁରୁଷ ବ୍ୟକ୍ତିଙ୍କ ସୁନ୍ଦରତାକୁ ବୃଦ୍ଧି କରାଇଥାଏ କେଶ । ହେଲେ କ୍ୟାନସରରେ ପୀଡିତ ହେବା ପରେ ନିଜ କେଶ ହରାଇ ରୋଗୀ ବେଳେବେଳେ ମାନସିକ ଭାରସାମ୍ୟ ହରାଇଥାଏ । ଆଉ ଏହି କର୍କଟ ରୋଗୀଙ୍କ କଥା ଚିନ୍ତାକରି ସେମାନଙ୍କ ପାଇଁ କେଶଦାନ କଲେ ଯୁବ ସାମ୍ବାଦିକ ବିନୋଦ କୁମାର ବେହେରା । ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ସହଯୋଗରେ ସେ ‘କେଶ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ’ ଅଭିଯାନରେ ସାମିଲ ହୋଇ ପ୍ରାୟ 18 ଇଞ୍ଚ୍ ଲମ୍ବର କେଶ ଦାନ କରିଛନ୍ତି । କ୍ୟାନସର ପୀଡିତଙ୍କ ଉଦ୍ଦେଶ୍ୟରେ ନିୟମିତ କେଶ ଦାନ ଅଭିଯାନ ଚଳାଇ ଆସୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ପକ୍ଷରୁ ବିନୋଦଙ୍କ ପ୍ରୟାସକୁ ପ୍ରଶଂସା କରାଯିବା ସହ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
- 18 ଇଞ୍ଚର କେଶ ଦାନ
କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତର ନାଗପଡା ଗ୍ରାମର ବାସିନ୍ଦା ବୈକୁଣ୍ଠ ବେହେରା ଓ ବୈଶାଳୀ ବେହେରାଙ୍କ ପୁତ୍ର ବିନୋଦ ଏକ ଘରୋଇ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି । କୋଭିଡ୍ ପ୍ରଥମ ଲହର ସମୟରେ ସେଲୁନ୍ ଓ ସ୍ପା କଟକଣା କାରଣରୁ ନିଜ କେଶ କାଟି ପାରିନଥିଲେ । ପରେ ସେ କିଛି ବନ୍ଧୁଙ୍କ ପରାମର୍ଶ କ୍ରମେ କ୍ୟାନସର ପୀଡିତଙ୍କ କ୍ଷେତ୍ରରେ ଏହି କେଶ ବ୍ୟବହାରଯୋଗ୍ୟ ଜାଣି ସେଥିପ୍ରତି ଉତ୍ସାହିତ ହୋଇଥିଲେ । ସେବେଠାରୁ ଆବଶ୍ଯକ ଲମ୍ବ ହେବା ଯାଏଁ ସେ କେଶର ଯତ୍ନ ନେଇଥିଲେ । ଏବେ ପ୍ରାୟ ଦୀର୍ଘ 5 ବର୍ଷ ପରେ ସେ 18 ଇଞ୍ଚ ଲମ୍ବର କେଶ ଦାନ କରିଛନ୍ତି ।