ଓଡିଶା

odisha

ETV Bharat / state

କ୍ଷୀରଚୋରା ଗୋପୀନାଥଙ୍କ ପୀଠରେ ଆଜି ଜନ୍ମ ନେବେ ନନ୍ଦଲାଲା, କାହିଁକି ଗୋଟିଏ ଦିନ ପରେ ପାଳନ ହୁଏ ଜନ୍ମାଷ୍ଟମୀ ? - Janmashtami 2024 - JANMASHTAMI 2024

Janmashtami 2024 At Khirachora Gopinath Temple: ଆଜି ବାଲେଶ୍ବର ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥଙ୍କ ପୀଠରେ ଜନ୍ମାଷ୍ଟମୀ ଉତ୍ସବ । ତେବେ ଏଠାରେ କାହିଁକି ଗୋଟିଏ ଦିନ ପରେ ପାଳନ ହୁଏ ଜନ୍ମାଷ୍ଟମୀ । ଅଧିକ ପଢ଼ନ୍ତୁ

Janmashtami 2024
Janmashtami 2024 (ETV Bharat Odisha)

By ETV Bharat Odisha Team

Published : Aug 27, 2024, 10:56 PM IST

ବାଲେଶ୍ବର: କେତେବେଳେ ସେ ଗୋପୀଙ୍କ ବସ୍ତ୍ର ଚୋରି କରି ଚୋରର ଆଖ୍ୟା ପାଇଛି, ପୁଣି କେତେବେଳ ଲହୁଣୀ ଚୋରି କରି ଗଛରେ ବନ୍ଧା ହୋଇଛି । ଭକ୍ତର ମନ ଚୋରି କରି ପୁଣି ତା ପ୍ରେମରେ ତାକୁ ବାନ୍ଧି ରଖିଛି । ସେ କଳାକାହ୍ନୁର ମାୟା ବୁଝିବା ଯେତିକି କଷ୍ଟ ତାକୁ ଭାବ ବନ୍ଧନରେ ବାନ୍ଧିବା ବହୁତ ସହଜ । ଭକ୍ତର ମନ ବୁଝିପାରେ ବୋଲି ତ ସେ କୃଷ୍ଣମୁରାରୀକୁ ଛଳିଆ ବୋଲି କୁହାଯାଇଥାଏ । ସବୁ ଯୁଗରେ ଚୋରର ଆଖ୍ୟା ପାଇଥିବା କଳାକାହ୍ନୁ ଭକ୍ତ ପାଇଁ କ୍ଷୀର ଭୋଗ ଚୋରି କରି ଶେଷରେ କ୍ଷୀରଚୋରା ନାଁ ମୁଣ୍ଡେଇଛି । ସେ ଭାବର ଠାକୁର ବୋଲି ତ ତାକୁ ଯିଏ ଯେମିତି ଡାକିଛି ସେମିତି ପାଇଛି । ଗୋପୀନାଥ ରୂପରେ ପୂଜା ପାଉଥିବା କଳାକାହ୍ନୁ ଭକ୍ତର ମନକଥା ବୁଝିପାରି କ୍ଷୀର ଭୋଗ ଚୋରି କରି ପୁଣି ସେ ଭକ୍ତ ପାଖରେ ପହଞ୍ଚାଇ ଆଜି କ୍ଷୀରଚୋରା ଗୋପୀନାଥ ବୋଲି ନାଁ ନେଇଛି । ଯେଉଁ କ୍ଷୀର ଭୋଗ ପ୍ରଭୁ ଗୋପୀନାଥ ଦିନେ ଭକ୍ତଙ୍କ ପାଇଁ ଚୋରି କରିଥିଲେ ଆଜି ସେହି କ୍ଷୀର ଭୋଗ ସଭିଙ୍କ ପ୍ରିୟ ଭୋଗ ପାଲଟିଛି ।

Janmashtami 2024 (ETV Bharat Odisha)



ଗୋପୀନାଥଙ୍କ ଆଜି ଜନ୍ମାଷ୍ଟମୀ:

ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ରହିଛି ପ୍ରଭୁ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର । ବର୍ଷକ 12 ମାସରେ 13 ପର୍ବ ମଧ୍ୟରେ ଗୋପୀନାଥଙ୍କ ଆରାଧନା କରାଯାଇଥାଏ । ଆଜି ହେଉଛି ଗୋପୀନାଥଙ୍କ ମନ୍ଦିର ଜନ୍ମାଷ୍ଟମୀ ଉତ୍ସବ । ଆଜି କୃଷ୍ଣ ଜନ୍ମ ନେବେ ଏବଂ ଆସନ୍ତାକାଲି ଅର୍ଥାତ ବୁଧବାର ନନ୍ଦୋତ୍ସଵ ପାଳନ କରାଯିବ । ତେବେ ସବୁ ମନ୍ଦିରରେ ଗତକାଲି ଜନ୍ମାଷ୍ଟମୀ ପାଳନ କରାଯାଇଥିବା ବେଳେ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିରରେ ଆଜି ଅର୍ଥାତ ଜନ୍ମାଷ୍ଟମୀର ଗୋଟିଏ ଦିନ ପରେ ପାଳନ କରାଯାଉଛି ।

କିପରି ହେବ ଗୋପୀନାଥଙ୍କ ଜନ୍ମାଷ୍ଟମୀ ପାଳନ:

ତେବେ ଏହି ପୀଠର କଣ ରହିଛି ମହିମା, କେମିତି ଏଠି ହୁଏ ପୂଜାର୍ଚ୍ଚନା ସେସବୁ ବିଷୟରେ ସୂଚନା ଦେଇଛନ୍ତି ଗୋପୀନାଥଙ୍କ ସେବକ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, "ସାଧାରଣତଃ କଥାରେ ବୁଝିବା ପାଇଁ ଗଲେ ଯିଏ ଚୋରି କରିଥାଏ ତାକୁ ଚୋର କୁହାଯାଏ । ଇଏ ସେମିତି ଚୋର, ଇଏ କାହାପାଇଁ ଚୋର, ଇଏ ଭକ୍ତ ପାଇଁ ଚୋର । ସେଇ ଚୋର ମଧ୍ୟରେ ସାର ରାଜା ହେଲେ ସ୍ୱୟଂ କୃଷ୍ଣ ଭଗବାନ । ଆଜିର ଜନ୍ମାଷ୍ଟମୀ ଗୋପୀନାଥଙ୍କର ବୈଷ୍ଣବ ମତରେ ତାଙ୍କର ସେବା ହୁଏ । ଠାକୁରଙ୍କ ଜନ୍ମନୀତି ଗୁପ୍ତ ରଖାଯାଏ । ତାହାକୁ ସର୍ବସମ୍ମୁଖରେ ଆଲୋଚନା କରିହେବନାହିଁ । କିନ୍ତୁ ଯେମିତି ପିଲା ଜନ୍ମ ହୁଅନ୍ତି ଭଗବାନ ସେମିତି ପିଲା ରୂପରେ ଜନ୍ମ ହେବେ, ତାଙ୍କର ଏନ୍ତୁଡ଼ି ସେକାଯିବ । ଆହୁତି ହେବ ଓ ହୋମଯଜ୍ଞ ହେବ । ପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ମଧ୍ୟରେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ନୀତିକାନ୍ତି ।"

କିପରି ହୁଏ କ୍ଷୀରଚୋରା ଗୋପୀନାଥଙ୍କ ନୀତିକାନ୍ତି:

ସେବକ ପ୍ରମୋଦ କୁମାର ପଣ୍ଡାଙ୍କ କହିବା ଅନୁସାରେ, "ସକାଳ 5ରେ ମଙ୍ଗଳ ଆଳତୀ, ତା ପରେ ସିଙ୍ଗାର ଭୋଗ, ପରେ ବାଲ୍ୟ ଭୋଗ, ମଝିରେ ସିଙ୍ଗାର ଆରତୀ, ପୁଣି ତାପରେ ଖେଚୁଡ଼ି ଭୋଗ, ଏହାପରେ ରାଜଭୋଗ, ରାଜଭୋଗ ପରେ ପୁଣି ଦରଜା ବନ୍ଦ ହେବ । 4ଟାରେ ଖୋଲିବ କ୍ଷୀର ଭୋଗ ଲାଗିବ, କ୍ଷୀର ଖାଇକି ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ପୁଣି ସନ୍ଧ୍ୟାରେ ସନ୍ଧ୍ୟା ଆରତୀ, ଏହାପରେ ବାଲିଭୋଗ, ପରେ ସାଢେ ଆଠରେ ବନ୍ଦ ଶୟନ ଆରତୀ ଆଉ ଅନ୍ନ ଭୋଗ । ପୁଣି ସେଇଠି କ୍ଷୀର ଭୋଗ ଯେଉଁ କ୍ଷୀର ଗୋପୀନାଥ ଚୋରି କରିଥିଲେ ସେହି ସମୟରେ ସେହି ଭୋଗ ସେଇଠି ଲାଗିବ ।"

ବୈଷ୍ଣବ ପରମ୍ପରା ଅନୁସାରେ ଜନ୍ମାଷ୍ଟମୀ:

ସେହିପରି ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି, "ପ୍ରଭୁ ଶ୍ରୀକୃଷ୍ଣଙ୍କର ଗୋପୀନାଥ ମନ୍ଦିରରେ ଆଜି ବୈଷ୍ଣବ ପରମ୍ପରା ଅନୁସାରେ ଆଜି ହିଁ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏହା ହେଉଛି ଗୋପୀ ବଲ୍ଲଭପୁରରେ ଯେଉଁ ମଠ ମହନ୍ତ ଅଛନ୍ତି ତାଙ୍କର ନିର୍ଦ୍ଦେଶ କ୍ରମେ ମନ୍ଦିରର ପରିଚାଳନା କରାଯାଏ । ସେହି ଅନୁସାରେ, ଆଜି ଜନ୍ମାଷ୍ଟମୀ ଓ ଆସନ୍ତାକାଲି ହେଉଛି ନନ୍ଦୋତ୍ସଵ । ଠାକୁରଙ୍କ ପାଖରେ ଭୋଗ, ହୋମ, ପୂଜା ଏସବୁ ରାତି 10ଟା ପରେ ଆରମ୍ଭ ହେବ । ପରେ ନୀତି ଅନୁସାରେ ଠାକୁର ଜନ୍ମ ହେବେ, ତାଙ୍କର ଏନ୍ତୁଡ଼ି ଶାଳ କରାଯାଇଛି । ଗୋଟିଏ ପିଲା ଜନ୍ମ ହେଲେ ଯେମିତି ତାଙ୍କ ଅଭିଭାବକ ସେଠାରେ ଥାଆନ୍ତି ଠିକ ସେହିଭଳି ଠାକୁରଙ୍କ ନୀତିକାନ୍ତି କରାଯାଏ ।"

ଦୂର ଦୁରାନ୍ତରରୁ ଛୁଟୁଛି ଭକ୍ତଙ୍କ ସୁଅ:

କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ପାଇଁ ବହୁ ଦୂର ଦୁରାନ୍ତରରୁ ଭକ୍ତମାନଙ୍କ ସୁଅ ଛୁଟି ଥାଏ । କେବଳ ଓଡିଶା ନୁହେଁ ଓଡିଶା ବାହାରୁ ମଧ୍ୟ ଭକ୍ତମାନେ ଗୋପୀନାଥଙ୍କ ସାନିଧ୍ୟ ଲାଭ ପାଇଁ ଆସିଥାନ୍ତି । ସେମିତି ପଶ୍ଚିମବଙ୍ଗରୁ ଆସିଥିବା ଜଣେ ଭକ୍ତ ଅମ୍ରିତା ଦାଶ କୁହିଛନ୍ତି, "ଭଗବାନଙ୍କ ଦର୍ଶନ ତ ସବୁବେଳେ ମହତ୍ୱପୂର୍ଣ୍ଣ ହୋଇଥାଏ । ଯେବେ ତାଙ୍କ ଦର୍ଶନ ମିଳିଥାଏ ସବୁକିଛି ଦୁଃଖ ଖୁସିରେ ବଦଳି ଯାଇଥାଏ । ଯେବେ ବି ପ୍ରଭୁ କ୍ଷୀରଚୋରାଙ୍କ ଦର୍ଶନ କରେ ମୋତେ କିଛି ସ୍ୱତନ୍ତ୍ର ଅନୁଭବ ହୋଇଥାଏ । ଗୋପୀନାଥଙ୍କ ମାହୋଲ ସବୁବେଳେ ବହୁତ ସୁନ୍ଦର ରହିଥାଏ ଏବଂ ଯିଏ ଏଠାକୁ ଆସନ୍ତି ସମସ୍ତଙ୍କ ମନ ବହୁତ ଖୁସି ହୋଇଯାଇଥାଏ ।"

ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ:

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଓଡ଼ିଶାର ଏକ ପୌରାଣିକ ପୀଠସ୍ଥଳୀ ଭାବରେ ରେମୁଣାର କ୍ଷୀରଚୋରା ଗୋପୀନାଥ ପୀଠ ଅନ୍ୟତମ । ଏହାସହ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ଗଣାଯାଏ । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ମନ୍ଦିର । ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏଠାରେ ତିନି ଠାକୁର ଶ୍ରୀ ମଦନମୋହନ, ଶ୍ରୀ ଗୋବିନ୍ଦ, ଶ୍ରୀ ଗୋପୀନାଥ ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ ।

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ, ବିଭିନ୍ନ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି - Janmashtami 2024

ଇଟିିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details