ପୁରୀ:ଦିନକୁ ଦିନ ଓଡ଼ିଆର ଅସ୍ମିତା ମହାପ୍ରଭୁ ଜଗନାଥଙ୍କ ନୀତିକାନ୍ତିରେ ବିଭ୍ରାଟ ହେଉଥିବା ଦେଖିବାକୁ ମିଳୁିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି କରିବା ପାଇଁ ଦାବିରେ କରିଛି ସଂଗଠନ । ସେହିପରି ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ସମାଜର ଆରାଧ ଏବଂ କୋଟି ଓଡ଼ିଆଙ୍କ ଅସ୍ଥା ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ତଥା ଏ ଜାତିର ପରିଚୟ । ସେ ଭକ୍ତର ଭଗବାନ ଓ ଭାବର ଠାକୁର କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନର ସରକାରରେ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ତଥା ଅଣପାରମ୍ପରିକ ଭାବରେ ବିଭିନ୍ନ ନୀତିନାନ୍ତି କରୁଥିବା ଅଭିଯୋଗ ହୋଇଛି ।
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଅଭିଯୋଗ କରିଛି ଯେ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ସଂଲଗ୍ନ ମଠ ଗୁଡ଼ିକୁ ଧୂଳିସାତ ତଥା ସୌନ୍ଦର୍ଯ୍ୟ କରଣ ନାମରେ ଉତ୍କଳର ପୁରାତନ ଐତିହ୍ୟ କୀର୍ତ୍ତିରାଜକୁ ମାଟିରେ ମିଶାଗଲା ତାହା ସମସ୍ତଙ୍କୁ ଜଣା । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଯାଇ ତିନି ଦ୍ଵାର ବନ୍ଦ କରି ଘଣ୍ଟା ଘଣ୍ଟା ସମୟ ଧାଡ଼ିରେ ଠିଆ ହୋଇ ଭକ୍ତମାନେ ବହୁ କଷ୍ଟ ପାଉଛନ୍ତି ।
ସଂଗଠନର ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ କହିଛନ୍ତି," ରାଜ୍ୟ ସରକାର ନିଜର ଆତ୍ମ ପ୍ରଚାର ପାଇଁ ଭକ୍ତମାନଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି । କାହା ନିର୍ଦ୍ଦେଶରେ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ? ମହାପ୍ରଭୁଙ୍କୁ ଭିକାରୀ ସଜେଇ କାହିଁକି ଡାଲା ଅଟୋରେ ସାରା ଓଡ଼ିଶା ବୁଲାଇଲେ ରାଜ୍ୟ ସରକାର । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନାଁରେ ଗାଁ ଗାଁରୁ ସଂଗ୍ରହ କରାଗଲା ଚାଉଳ, ଗୁଆ ଓ ଟଙ୍କା । ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇ ଶ୍ରୀମନ୍ଦିର ସଂସ୍କୃତି ତଥା ପରମ୍ପରାକୁ ଅପବିତ୍ର କରାଯାଇଛି । ଶ୍ରୀମନ୍ଦିର ଭିତରକୁ ଉଷୁନା ଚାଉଳ ଯିବା ମନା । ତେବେ ଚାଉଳର ମାନ ପରୀକ୍ଷା ପାଇଁ ଗଠିତ କମିଟିର ସଦସ୍ୟ ଏହି ଚାଉଳରୁ ଉଷୁନା ଚାଉଳ ବାହାର କରିବା ପରେ ଶହ ଶହ ବର୍ଷର ପରମ୍ପରା ନଷ୍ଟ ହେଲା । ବାର ମିଶା ଚାଉଳ ଶ୍ରୀମନ୍ଦିରକୁ ଗଲା କେମିତି ?"
ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛି ସଂଗଠନ । ସରକାର ଜାଣି ଜାଣି ଇଚ୍ଛାକୃତ ଭାବେ ନିଜର ପ୍ରଚାର ପାଇଁ ଏସବୁ କରୁଥିବା ବେଳେ ଜଗନାଥଙ୍କ ସହ ରାଜ୍ୟବାସୀଙ୍କୁ ନିସ୍ଵାର୍ଥ କ୍ଷମା ମାଗନ୍ତୁ ବୋଲି କହିଛି ସଂଗଠନ । ଅପମିଶ୍ରିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ସହ ଖୁବଶୀଘ୍ର ଚାରି ଦ୍ୱାର ଖୋଲାଯାଇ ଦର୍ଶନ ବ୍ୟବସ୍ଥାକୁ ସହଜ ଓ ଶୃଙ୍ଖଳିତ କରାଯାଉ ବୋଲି ଦାବି କରିଛି ସଂଗଠନ ।