ଭଦ୍ରକ:ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସା ସ୍ଥିତି ପରେ ଭଦ୍ରକରେ ଶାନ୍ତି ଫେରିଛି । ଗତକାଲି ମଧ୍ୟରାତ୍ରିରୁ ପ୍ରଶାସନ 28 ତାରିଖରୁ ଜାରି ହୋଇଥିବା ସମସ୍ତ ପ୍ରକାର ଇଣ୍ଟରନେଟ୍ ସେବା କଟକଣା ପ୍ରତ୍ୟାହାର କରିଛି । ଫଳରେ ସହରରେ ଇଣ୍ଟରନେଟ୍ ସେବା ପୂର୍ବପରି ସ୍ବାଭାବିକ ହୋଇଛି । ଗତକାଲି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ଭଦ୍ରକ ତଥା ଧାମନଗର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ ।
ଡିଜିପି ଓ ତାଙ୍କ ଟିମ୍ ପୁରୁଣା ବଜାର ଥାନା ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ଭଦ୍ରକ ଏସପି ଉତ୍ତରାଞ୍ଚଳ ଡିଆଇଜି ଓ ଅନ୍ୟ ଅଧିକାରୀମାନେ ଡିଜିଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ଅନ୍ୟପଟେ ଗତକାଲି ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି ।
- ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ :-
ଅନୁଧ୍ୟାନ ପରେ ଡିଜିପି କହିଛନ୍ତି, ‘‘ସୋସିଆଲ ମିଡ଼ିଆରେ ଭୁଲ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ତେବେ ଜନସାଧାରଣ ଆପତ୍ତିଜନକ ପୋଷ୍ଟ ଦେଖିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ । ପୋଲିସ ଯଥାଶୀଘ୍ର ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେଣୁ ପୋଲିସକୁ ସହଯୋଗ କରିବା ସହ ସୋସିଆଲ ମିଡିଆ ଏବଂ ଗୁଜବରୁ ଦୂରେଇ ରହିବା ଉଚିତ ।
- ‘ଆଇନକୁ ହାତକୁ ନିଅନ୍ତୁ ନାହିଁ, ପୋଲିସକୁ ଜଣାନ୍ତୁ’
ଡିଜି କହିଛନ୍ତି, ‘‘ଅନ୍ୟପକ୍ଷରେ କେହିବି ଆଇନକୁ ହାତକୁ ନେବା ପାଇଁ ପ୍ରଚେଷ୍ଟା କରନ୍ତୁ ନାହିଁ । କୌଣସି ବ୍ୟକ୍ତି ଆଇନକୁ ହାତକୁ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’ ତେବେ ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି । ଏହା ସହ ଡିଜିପି ଆକ୍ରମଣ ଘଟଣାରେ ଆହତ ହୋଇଥିବା ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ, ସହରାଞ୍ଚଳ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ତହସିଲଦାର ସଂଗ୍ରାମ କେଶରୀ ପ୍ରିୟଦର୍ଶୀଙ୍କ ସହ ଆଲୋଚନା କରିଛନ୍ତି ।’’
- ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅଣାୟତ୍ତ ହୋଇଥିଲା ସ୍ଥିତି:-