ପୁରୀ: ଶ୍ରୀକ୍ଷେତ୍ରରୁ ବିଶ୍ବ ଦେଖିଲା ଭାରତୀୟ ଜଳଶକ୍ତିର ସାମର୍ଥ୍ୟ । ପୁରୀ ଉପକୂଳରେ ସାମର୍ଥ୍ୟ ଦେଖାଇଲା ନୌସେନା । ଯୁଦ୍ଧ ଜାହାଜ ଓ ବିମାନର ଗର୍ଜନରେ ପ୍ରକମ୍ପିତ ହେଲା ଗଗନ-ପବନ, ରୋମାଞ୍ଚିତ ହେଲେ ଉଭୟ ଅତିଥି ଓ ଲକ୍ଷ ଲକ୍ଷ ଦର୍ଶକ । ବେଳାଭୁମିରେ ସୃଷ୍ଟି ହେଲା ଯୁଦ୍ଧକ୍ଷେତ୍ରର ଭ୍ରମ । ଆଜି ଅପରାହ୍ନରେ ବ୍ଲୁ-ଫ୍ଲାଗ ବିଚରେ କିଛି ଏପରି ଢଙ୍ଗରେ ପାଳିତ ହୋଇଛି ଭାରତୀୟ ନୌସେନା ଦିବସ-2024 । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏକାଧିକ କେନ୍ଦ୍ରମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦେଶବ୍ୟାପୀ ତମାମ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତୀୟ ସାମୁଦ୍ରିକ ଶକ୍ତି ଓ ସାମର୍ଥ୍ୟର ସାକ୍ଷୀ ହୋଇଛନ୍ତି ।
- ରାଷ୍ଟ୍ରପତିଙ୍କୁ ଗାର୍ଡ-ଅଫ-ଅନର ଦେଲା ନୌସେନା:-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବା ପରେ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ-ଅଫ-ଅନର ପ୍ରଦାନ କରାଯାଇଥିଲା । ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଅଭିବାଦନ ସହ ମଞ୍ଚକୁ ପାଛୋଟି ନେଇଥିଲେ । ଏହା ପରେ ଜାତୀୟ ସଙ୍ଗୀତ ଗାନ ସହ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଅପରେସନାଲ ଡେମୋନଷ୍ଟ୍ରେସନ । ପ୍ରଥମେ ଫ୍ଲାଗ ଫରମେସନରେ ତିନୋଟି ହେଲିକପ୍ଟର ତ୍ରିରଙ୍ଗା ଓ ଭାରତୀୟ ନୌସେନାର ଧ୍ବଜା ସହ ଉଡାଣ ଭରି ଯୁଦ୍ଧକଳା ପ୍ରଦର୍ଶନ ଆରମ୍ଭ କରିଥିଲେ ।ପଛକୁ ପଛ ଏକାଧିକ ହେଲିକପ୍ଟର ଓ ଲଢୁଆ ବିମାନଗୁଡିକ ଭିନ୍ନ ଭିନ୍ନ ଫରମେସନରେ ଉଡାଣ ଭରି ଯୁଦ୍ଧକୌଶଳ ପ୍ରଦର୍ଶନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ।
Navy Day 2024 Puri, Indian Navy conducts a mega Demonstration , President Droupadi murmu attendes (ETV Bharat Odisha) - ମାର୍କୋ କମାଣ୍ଡୋଙ୍କ ଡେମୋ-ଅପରେସନରେ ଅଭିଭୂତ ଦର୍ଶକ
ନୌସେନାର ସ୍ପେଶାଲ ୟୁନିଟ୍ ମରିନ କମାଣ୍ଡୋ (ମାର୍କୋ)ମାନେ ଛଦ୍ମବେଶୀ ଆତଙ୍କବାଦୀଙ୍କ ଦ୍ବାରା ବନ୍ଧକ ଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସମ୍ପୂର୍ଣ୍ଣ ସାମରିକ ଅପରେସନର ଭ୍ରମ ସୃଷ୍ଟି ସହ ଦର୍ଶକଙ୍କୁ ବିମୋହିତ କରିଥିଲେ । ପରେ ବେଳାଭୂମିରେ ଶୁଣାଯାଇଥିଲା ଟ୍ୟାଙ୍କର ଗର୍ଜନ । ଏକାଧିକ ଟ୍ୟାଙ୍କ କଳାକୌଶଳ ପ୍ରଦର୍ଶନ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ
- ଅଂଶଗ୍ରହଣ କଲେ 15ଟି ଯୁଦ୍ଧ ଜାହାଜ ଓ 40ଟି ଏୟାରକ୍ରାଫ୍ଟ:-
ପରେ ଭାରତୀୟ ନୌସେନାରେ କାର୍ଯ୍ୟକ୍ଷମ ଥିବା ଏକାଧିକ ଶ୍ରେଣୀର ଯୁଦ୍ଧପୋତ ଗୋଟିଏ ପରେ ଗୋଟିଏ ଅଭିବାଦନ ମଞ୍ଚ ସମ୍ମୁଖରେ ସମୁଦ୍ରରେ ଅତିକ୍ରମ କରିଥିଲେ । ଗୋଟିଏ ବୁଡ଼ାଜାହାଜ (ସବମେରାଇନ) ମଧ୍ୟ ଏହି ଅଭ୍ୟାସରେ ସାମିଲ ହୋଇଥିଲା । ସ୍କାଏ-କିଙ୍ଗ ହେଲିକପ୍ଟରରୁ କମାଣ୍ଡୋମାନେ ଏୟାର-ଲିଫ୍ଟ ଅପରେସନ ପ୍ରଦର୍ଶିତ କରିଥିଲେ । ପରେ ‘ଚେତକ’, ‘ରୋମିଓ’, ହାଲ-ଧ୍ରୁବ, ଡ୍ରୋନିୟର, ମିଗ-29 ଓ ଆଣ୍ଟି-ସବମେରାଇନ ବିମାନ ପ୍ରମୁଖ ଉଡାଣ ଭରି ଗୋଳା ବର୍ଷଣ କରିଥିଲେ । କାର୍ଯ୍ୟକ୍ରମରେ 15ଟି ଯୁଦ୍ଧ ଜାହାଜ ଓ 40ଟି ଏୟାରକ୍ରାଫ୍ଟ ଅଂଶଗ୍ରହଣ କରିଥିଲେ ।
ସର୍ବୋଚ୍ଚ କମାଣ୍ଡରଙ୍କୁ ଗାର୍ଡ-ଅଫ-ଅନର ଦେଉଛି ନୌସେନା (ETV Bharat Odisha) - ବିକଶିତ ଭାରତ ଗଠନରେ ନୌସେନାର ରହିଛି ବଡ ଭୂମିକା: ରାଷ୍ଟ୍ରପତି
ଡେମୋନଷ୍ଟ୍ରେସନ ଅପରେସନ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ନୌବୀରଙ୍କ ସାହସ ଓ ଭାରତୀୟ ଜଳସୀମା ସୁରକ୍ଷାରେ ନୌସେନାର ଭୂମିକାକୁ ପ୍ରଂଶସା କରିଥିଲେ ରାଷ୍ଟ୍ରପତି । ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି,‘‘ଭାରତର ଭୌଗୋଳିକ ଅବସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବାକୁ ଆବଶ୍ୟକ କରୁଥିବା ସମସ୍ତ ଉପାଦାନ ଯୋଗାଇ ଦେଇଛି । ବିସ୍ତୀର୍ଣ୍ଣ ଉପକୂଳ, ଦ୍ୱୀପପୁଞ୍ଜ ଅଞ୍ଚଳ, ଉପକୂଳ ଜନସଂଖ୍ୟା ଏବଂ ବିକଶିତ ସାମୁଦ୍ରିକ ଭିତ୍ତିଭୂମି 5 ହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଉପକୂଳ ତଥା ମହାସାଗରରେ ଭାରତର ସାମୁଦ୍ରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଆସିଛି । ଏକ ଗର୍ବିତ ସାମୁଦ୍ରିକ ଐତିହ୍ୟ ସମ୍ପନ୍ନ ଇତିହାସ ଏବଂ ଭବିଷ୍ୟତର ପ୍ରତିବଦ୍ଧତା ସହ ଭାରତ ସର୍ବଦା ଏକ ଶକ୍ତିଶାଳୀ ସାମୁଦ୍ରିକ ରାଷ୍ଟ୍ର ହୋଇଆସିଛି । ଆମର ଭାଗ୍ୟ, ଗର୍ବ ଏବଂ ପରିଚୟ, ସବୁକିଛି ସମୁଦ୍ର ଦ୍ୱାରା ହିଁ ବ୍ୟାଖ୍ୟା କରାଯାଇଛି । 2047 ସୁଦ୍ଧା ବିକଶିତ ଭାରତ ଗଠନରେ ଭାରତୀୟ ନୌସେନା ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବ ।’’
ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ (ETV Bharat Odisha) ମଞ୍ଚରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି, ସାଙ୍ଗରେ ଅଛନ୍ତି ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ (ETV Bharat Odisha) - ନୌସେନାରେ ନାରୀଶକ୍ତିକୁ ମିଳିଥିବା ଅବସରକୁ ରାଷ୍ଟ୍ରପତିଙ୍କ ପ୍ରଶଂସା
ସେହିପରି ରାଷ୍ଟ୍ରପତି ନୌବାହିନୀରେ ଭାରତୀୟ ନାରୀଶକ୍ତିକୁ ମିଳିଥିବା ଭାଗିଦାରୀକୁ ମଧ୍ୟ ପ୍ରଶଂସା କରିଛନ୍ତି । କହିଛନ୍ତି,‘‘ନାରୀଶକ୍ତିକୁ ଉପଯୁକ୍ତ ବିକାଶ ସୁଯୋଗ ଯୋଗାଇବାରେ ନୌସେନା ଅଗ୍ରଣୀ ଉଦ୍ୟମ କରିଛି । ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରିବାରେ ନୌସେନା ହେଉଛି ପ୍ରଥମ ସେବା ।’’ ବିଶେଷ କରି କାର୍ଯ୍ୟକ୍ରମ ସଂଧ୍ୟାରେ ସମୁଦ୍ରରେ ଥିବା ନୌସେନା ଜାହାଜଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ଲେଜର ସୋ’ ମଧ୍ୟ ଆୟୋଜିତ ହୋଇଥିଲା ।
ଭାରତୀୟ ନୌସେନା ପ୍ରତିବର୍ଷ ଏପରି ଢଙ୍ଗରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଓଡିଶା ଉପକୂଳରେ ଏହାଥିଲା ପ୍ରଥମ ଆୟୋଜନ । ଏହାକୁ ନେଇ ସାରା ରାଜ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ଦୁଇଦିନ ଧରି ନୌସେନା ରିହରର୍ସାଲ ମଧ୍ୟ କରିଥିଲା । ଆଜି କାର୍ଯ୍ୟକ୍ରମରେ ପ୍ରାୟ 3 ଲକ୍ଷ ଦର୍ଶକ ପୁରୀ ବେଳାଭୂମିରେ ଏକାଠି ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ସ୍ବତନ୍ତ୍ର ବସ ଯୋଗେ ପୁରୀକୁ ନିଆଯାଇଥିଲା । ସ୍କୁଲ-କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଲକ୍ଷ ଲକ୍ଷ ସାଧାରଣ ପର୍ଯ୍ୟଟକଙ୍କ ଗହଳିରେ ଜନସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା ପୁରୀ ବେଳାଭୂମି । ନୌସେନାର ପରାକ୍ରମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ନୌବୀରଙ୍କୁ ସାହସ ଓ ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ।
ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ (ETV Bharat Odisha) ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ