ଓଡିଶା

odisha

ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳିଲେ ନବୀନ: ସଂଗ୍ରାମୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଓ ଦାୟଦଙ୍କୁ କଲେ ସମ୍ମାନିତ - Independence Day in BJD office

By ETV Bharat Odisha Team

Published : Aug 15, 2024, 2:06 PM IST

Independence Day at Shankh Bhawan: ପାର୍ଟି କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ସ୍ବାଧୀନତା ଦିବସ ପାଳିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଶଙ୍ଖ ଭବନରେ ସ୍ୱାଧୀନତା ଦିବସ: ପତାକା ଉତ୍ତୋଳନ ସହ ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ମାନିତ କଲେ ନବୀନ
ଶଙ୍ଖ ଭବନରେ ସ୍ୱାଧୀନତା ଦିବସ: ପତାକା ଉତ୍ତୋଳନ ସହ ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ମାନିତ କଲେ ନବୀନ (ETV Bharat Odisha)

ଭୁବନେଶ୍ବର: ଦୀର୍ଘ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଭାବେ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଆସୁଥିବା ନବୀନ ପଟ୍ଟନାୟକ ଆଜି ପାର୍ଟି ଅଫିସରେ ସ୍ବାଧୀନତା ଦିବସ ପାଳିଛନ୍ତି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏଥିରେ ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଉପସ୍ଥିତ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବା ସହ ନବୀନ ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି ।

ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳିଲେ ନବୀନ: ସଂଗ୍ରାମୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଓ ଦାୟଦଙ୍କୁ କଲେ ସମ୍ମାନିତ (ETV Bharat Odisha)
  • ସଂଗ୍ରାମୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି:-

ଶଙ୍ଖ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ନବୀନ ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁ ବାବୁଙ୍କ ପରି ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ । ନବୀନ ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ ।

  • ନବୀନଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିବା ସଂଗ୍ରାମୀଙ୍କ ଦାୟଦମାନେ ହେଲେ:-

ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଓ କିରଣବାଳା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା, ଧାମନଗରର ବିଶିଷ୍ଟ ସଂଗ୍ରାମୀ ମୁରଲୀଧର ଜେନାଙ୍କ ବୋହୂ ମମତା ଜେନା, ବିଶିଷ୍ଟ ସଂଗ୍ରାମୀ ନୀଳମଣି ସାମଲଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ, ବେଗୁନିଆ ଗାନ୍ଧୀ ନୀଳକଣ୍ଠ ମିଶ୍ରଙ୍କ ପୁତ୍ର ଶିବ ନାରାୟଣ ମିଶ୍ର, ଭଦ୍ରକ ତାଳପଡାର ବିଶିଷ୍ଟ ସଂଗ୍ରାମୀ କୃପାସିନ୍ଧୁ ଦାଶଙ୍କ ନାତୁଣୀ କିରଣ ବାଳା ଦାଶ, ଏରସମାର ବିଶିଷ୍ଟ ସଂଗ୍ରାମୀ ଭୀମଚରଣ ଦାସଙ୍କ ପୁତ୍ର ଶିବବ୍ରତ ଦାସ, ଭୁବନେଶ୍ୱର ଲଷ୍ମୀସାଗରର ବିଶିଷ୍ଟ ସଂଗ୍ରାମୀ ଝୁଲ ଲେଙ୍କାଙ୍କ ପୁତ୍ର ବିଜୟ ଲେଙ୍କା, ବଡ଼ଚଣାର ବିଶିଷ୍ଟ ସଂଗ୍ରାମୀ ଭିକାରୀ ଚରଣ ମହାନ୍ତିଙ୍କ ପୁତ୍ର ପ୍ରମେଶ ମହାନ୍ତି ଏବଂ ବିଶିଷ୍ଟ ସଂଗ୍ରାମୀ ହରି ବାରିକଙ୍କ ପୁଅ ହିମାଂଶୁ ବାରିକ ପ୍ରମୁଖ ରହିଛନ୍ତି ।

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ:-ଏହି ଅବସରରେ ନବୀନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କବିବର ରାଧାନାଥ ରାୟଙ୍କ ପ୍ରସିଦ୍ଧ ‘ସର୍ବେସାଂନୋ ଜନନୀ ଭାରତ’ ସଙ୍ଗୀତ ଗାନ କରାଯାଇଥିଲା । ଭକ୍ତକବି ମଧୁସୂଦନ ଦାସଙ୍କ ଲୋକପ୍ରିୟ ‘ତୁହି ମା ଜନମ ଭୂମି ପବିତ୍ର ଉତ୍କଳ ଭୂମି’ ସଙ୍ଗୀତ ସହ ସଭା ଶେଷ ହୋଇଥିଲା । କାର୍ଯ୍ୟକ୍ରମରେ ବିଜେଡି ବିଧାୟକ, କର୍ମକର୍ତ୍ତା, ଭୁବନେଶ୍ୱର ମେୟର, ପୂର୍ବତନ ମନ୍ତ୍ରୀ, ବିଧାୟକ, କର୍ପୋରେଟର ଓ ଦଳୀୟ କର୍ମୀମାନେ ବହୁସଂଖ୍ୟାରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details