ଓଡିଶା

odisha

ଦୁର୍ଦ୍ଦିନରେ ଶହୀଦ ସଂଗ୍ରାମୀଙ୍କ ବଂଶଧର; ନା ଅଛି ଘର ନା ପାନୀୟ ଜଳ, ଜରିପାଲ ଟଣା ଘରେ ବିତୁଛି ଜୀବନ - Boudh Freedom fighter

By ETV Bharat Odisha Team

Published : Aug 14, 2024, 8:36 PM IST

Freedom fighter family deprived from basic facilities: ବୌଦ୍ଧର ପ୍ରଥମ ଶହୀଦ ସଂଗ୍ରାମୀ ନାଏକା କହଁର, ଦିନେ ବ୍ରିଟିଶଙ୍କ ବିରୋଧରେ ଲଢେଇ କରି ଫାଶୀ ଖୁଣ୍ଟରେ ଝୁଲିଥିଲେ । ହେଲେ ଦେଶ ଏବେ ୭୮ତମ ସ୍ବାଧୀନତା ଦିବସ ପାଳୁଥିବାବେଳେ ଏହି ସଂଗ୍ରାମୀଙ୍କୁ ଯେମିତି ଭୁଲି ଯାଇଛନ୍ତି ସମସ୍ତେ । ସଂଗ୍ରାମୀ ନାଏକାଙ୍କ ବଂଶଧରମାନେ ଅତି ଦୁର୍ବିସହ ଅବସ୍ଥାରେ ଜୀବନ ବିତାଉଛନ୍ତି । ଅଧିକ ପଢନ୍ତୁ

ଦୁର୍ଦ୍ଦିନରେ ଶହୀଦ ସଂଗ୍ରାମୀଙ୍କ ବଂଶଧର
ଦୁର୍ଦ୍ଦିନରେ ଶହୀଦ ସଂଗ୍ରାମୀଙ୍କ ବଂଶଧର (ETV Bharat Odisha)

ବୌଦ୍ଧ:ସ୍ବାଧୀନତାର ୭୮ତମ ବର୍ଷ ପାଳନ କରୁଛି ଦେଶ । ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ସହିତ ଦେଶ ମାତୃକାର ମୁକ୍ତି ପାଇଁ ନିଜର ଲହୁ ଲୁହ ଦେଇଥିବା ସଂଗ୍ରାମୀଙ୍କ ସ୍ମୃତିଚାରଣ କରାଯାଉଛି । ଓଡ଼ିଶାରେ ମଧ୍ୟ ଏମିତି ଜଣେ ସଂଗ୍ରାମୀ ଥିଲେ, ଯିଏ ବ୍ରିଟିଶ ବିରୋଧରେ ଲଢେଇ କରି ଫାଶୀ ଖୁଣ୍ଟରେ ଝୁଲିଥିଲେ । ସେ ହେଉଛନ୍ତି ଶହୀଦ ନାଏକା କହଁର, ଏକଦା ବୌଦ୍ଧରେ କନ୍ଧ ମେଳିର ନେତୃତ୍ବ ନେଇଥିଲେ । ମାତ୍ର ତାଙ୍କର ବଳିଦାନକୁ ଯେମିତି ପାଶୋରି ଯାଇଛନ୍ତି ସମସ୍ତେ । ଫଳରେ ଏହି ସଂଗ୍ରାମୀଙ୍କ ଦାୟାଦମାନେ ଏବେ ଦୁର୍ଗମ ଇଲାକାରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ଦୁର୍ଦ୍ଦିନରେ ଶହୀଦ ସଂଗ୍ରାମୀଙ୍କ ବଂଶଧର (ETV Bharat Odisha)

କିଏ ଏହି ନାଏକା କହଁର ?

ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଥିବା ଡିମିରିଖୋଲ ଗ୍ରାମର ନାଏକା କହଁର । ନାଏକା କହଁର ଓ ତାଙ୍କ ଭାଇ ଡିମିଣା କହଁର ଘୁମୁସରର କନ୍ଧ ବିଦ୍ରୋହର ନେତୃତ୍ବ ନେଉଥିବା ଚକରା ବିଶୋୟୀ ଓ ଦୋହରା ବିଶୋୟୀଙ୍କ ଦ୍ବାରା ପ୍ରଭାବିତ ହୋଇ କନ୍ଧ ମେଳିରେ ଯୋଗ ଦେଇଥିଲେ । ଉଭୟଙ୍କ ପୂର୍ବଜ ସାରାଗାଡୁ ଗ୍ରାମରେ ବସବାସ କରୁଥିବା ବେଳେ ୧୮୦୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସେନା ବୌଦ୍ଧ ରାଜ୍ୟକୁ ଦଖଲ ପରଠାରୁ କନ୍ଧ ଦମନ ନୀତି ଆପଣେଇ ଥିଲେ । ବିଶେଷକରି କନ୍ଧ ଗଡତିଆ ଉଚ୍ଛେଦ ପାଇଁ କମ୍ପାନୀର କୁତ୍ସିତ ଚକ୍ରାନ୍ତକୁ ଠଉରାଇ ନାଏକା ଓ ଡିମିଣା କନ୍ଧ ବିଦ୍ରୋହରେ ସାମିଲ ହେଲେ ।

ଦୁର୍ଦ୍ଦିନରେ ବୌଦ୍ଧ ଅଞ୍ଚଳର ପ୍ରଥମ ଶହୀଦ ନାଏକାଙ୍କ ବଂଶଧର (ETV Bharat Odisha)

ବ୍ରିଟିଶ ବିରୋଧରେ ଲଢି ଫାଶୀରେ ଝୁଲିଲେ:

ଇଷ୍ଟ ଇଣ୍ଡିଆ କମ୍ପାନୀର ଚାପରେ ଡିମିଣା ଆତ୍ମସମର୍ପଣ କରିଥିବା ବେଳେ ନାଏକା କିନ୍ତୁ ଆନ୍ଦୋଳନକୁ ଆହୁରି ଜୋରଦାର କରିଥିଲେ । ସେ କନ୍ଧମାନଙ୍କୁ ସଂଗଠିତ କରି ବ୍ରିଟିଶ ସେନା ବିରୋଧରେ ଲଢେଇ କରିଥିଲେ । ଏଥିରେ ରାଗି ଯାଇ ଇଷ୍ଟ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ନାଏକାଙ୍କ ମୁଣ୍ଡରେ ପୁରସ୍କାର ଘୋଷଣା କରିଥିଲେ । ଶେଷରେ ନାଏକା କହଁର ଧରାପଡିବା ସହିତ ୧୮୩୬ ମସିହାରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ନାଏକା ଥିଲେ କନ୍ଧ ଆନ୍ଦୋଳନରେ ସାମିଲ ହୋଇ ଫାଶୀ ପାଇଥିବା ବୌଦ୍ଧର ପ୍ରଥମ ଶହୀଦ ସଂଗ୍ରାମୀ ।

ସଂଗ୍ରାମୀ ପରିବାର କରୁଛନ୍ତି ସଂଘର୍ଷ:

ଦୁର୍ଦ୍ଦିନରେ ବୌଦ୍ଧ ଅଞ୍ଚଳର ପ୍ରଥମ ସହୀଦ ନାଏକାଙ୍କ ବଂଶଧର (ଦୁର୍ଦ୍ଦିନରେ ବୌଦ୍ଧ ଅଞ୍ଚଳର ପ୍ରଥମ ସହୀଦ ନାଏକାଙ୍କ ବଂଶଧର)

ନାଏକାଙ୍କ ବଳିଦାନର ଶହେ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହିତ ଦେଶ ୧୯୪୭ ମସିହାରେ ସ୍ବାଧୀନ ହୋଇଥିଲା । ହେଲେ ବୌଦ୍ଧ ଏହି ସଂଗ୍ରାମୀଙ୍କୁ ସତେ ଯେପରି ସମସ୍ତେ ଭୁଲି ଯାଇଛନ୍ତି । ତେବେ ଆଜି ମଧ୍ୟ ନାଏକାଙ୍କ ସେହି ବୀରତ୍ବର କାହାଣୀ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଥାଏ । କିନ୍ତୁ ଦୁଃଖ ପରିତାପର ବିଷୟ ଏହି ବୀର ସଂଗ୍ରାମୀଙ୍କ ଦାୟାଦମାନେ ଏବେ ବି ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ତାଙ୍କର ବଂଶଧର ଡିମିରିଖୋଲ ଗ୍ରାମରେ ଅତି ଦୁର୍ବିସହ ଜୀବନ ବିତାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭାରତର ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ସଂଗ୍ରାମୀଙ୍କ ଭୂମିକା, ଏହି ସେନାନୀ ଦେଇଥିଲେ ଇଂରେଜ ବିରୋଧରେ ରଣହୁଙ୍କାର - Odia freedom fighters

ଭୁଲିଗଲେ ସରକାର, ଦୁର୍ଦ୍ଦିନରେ ଶହୀଦ ସଂଗ୍ରାମୀଙ୍କ ଦାୟାଦ:

ଗୁନ୍ଦୁଳିଆ ପଞ୍ଚାୟତର ତିଲପଙ୍ଗା ରାସ୍ତା ଦେଇ ଡିମିରିଖୋଲ ଯିବାକୁ ପଡେ । ପ୍ରାୟ ପାଞ୍ଚଟି ଛୋଟ ବଡ ପାହାଡି ଝରଣା ତଥା ଜଙ୍ଗଲ ଘାଟି ଡେଇଁ ଏଠାରେ ପହଞ୍ଚିବାକୁ ହୁଏ । ବୌଦ୍ଧ ଜିଲ୍ଲାର ଏହି ପ୍ରଥମ ଶହୀଦଙ୍କ ଗ୍ରାମକୁ ନା ଅଛି ରାସ୍ତା, ନା ପାନୀୟଜଳ ବ୍ୟବସ୍ଥା, ନା ଅନ୍ୟ କୌଣସି ଯୋଗାଯୋଗର ବ୍ୟବସ୍ଥା । ତେଣୁ ଏଠାରେ ବସବାସ କରୁଥିବା କନ୍ଧ ସଂପ୍ରଦାୟର ଅଧିବାସୀ ବଣ ମଣିଷଙ୍କ ଭଳି ବଞ୍ଚୁଥିବା ଅଭିଯୋଗ କରିଛନ୍ତି । ଏପରିକି ଏହି ଶହୀଦଙ୍କ ପରିବାର ପକ୍କା ଘର ଖଣ୍ଡିଏ ନପାଇ ଜରିପାଲ ଟଣା ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି ।

ଦୁର୍ଦ୍ଦିନରେ ବୌଦ୍ଧ ଅଞ୍ଚଳର ପ୍ରଥମ ସହୀଦ ନାଏକାଙ୍କ ବଂଶଧର (ETV Bharat Odisha)

ଏନେଇ ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ବର ସିଂଙ୍କୁ ପଚରା ଯିବାରୁ ସେ ଏହି ଶହୀଦଙ୍କ ବଂଶଧରଙ୍କୁ ଉପଯୁକ୍ତ ସମ୍ମାନ ଜଣାଯିବ ବୋଲି ସୂଚନା ଦେଇଛନ୍ତି । ବୌଦ୍ଧ ବିଡିଓ ମଧ୍ୟ ସରକାରୀ ଯୋଜନା କିଭଳି ଏହି ନାଏକା କହଁରଙ୍କ ଦାୟାଦମାନେ ପାଇପାରିବେ ସେନେଇ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details