ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବା ପରେ ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାପରେ ଲଘୁଚାପଟି ବଙ୍ଗୋପସାଗରରେ ଅବପାତର ରୂପ ନେବ । ତେବେ ଦକ୍ଷିଣ ଭାରତରେ ଲଘୁଚାପର ବିଶେଷ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
କମୁଛି ତାପମାତ୍ରା:
ଖସୁଛି ପାରଦ,ବଢ଼ୁଛି ଶୀତ । ସାରା ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରୀ । ତଳମୁହାଁ ରାତି ତାପମାତ୍ରା । ୫ ଡିଗ୍ରୀ ଯାଏ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା । ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତାର ପ୍ରକୋପ ବଢ଼ୁଥିବାରୁ ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିପାରେ । ସେହିପରି ଅନେକ ଜିଲ୍ଲାରେ କୁହୁଡ଼ି ହେବ ।
ଏହି ଜିଲ୍ଲାରେ ହେବ କୁହୁଡ଼ି:
ଗତ କିଛିଦିନ ଧରି ରାଜ୍ୟରେ ଅନେକ ଅଞ୍ଚଳରେ କୁହୁଡ଼ି ଦୃଶ୍ୟ ମାନ ହୋଇଥିବା ବେଳେ ଆଗକୁ ମଧ୍ୟ କୁହୁଡ଼ି ଲାଗି ରହିବ । ଆଗାମୀ ୨ ଦିନରେ ଓଡିଶାର ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହପିର ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ପରିମାଣ ବଢିବାର ସମ୍ଭାବନା ରହିଛି ।