ଭୁବନେଶ୍ବର: ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ । ଆଭ୍ୟନ୍ତରୀଣରେ ତାତି ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଆଗକୁ ଆହୁରି ୨ ଦିନ ଯାଇ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ ରାତିର ଅନୁଭୂତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଗାମୀ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ବର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ ରାତିର ସ୍ଥିତି ପାଇଁ ସମ୍ବଲପୁର, କଳାହାଣ୍ଡି , କନ୍ଧମାଳ ଓ ବଲାଙ୍ଗିରରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆଦ୍ରତା ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଲାଗି ରହିଛି ।ଏଥିପାଇଁ ଉଷ୍ମ ଦିନ ଓ ଉଷ୍ମ ରାତି ସ୍ଥିତି ରାଜ୍ୟରେ ତିନିଦିନ ଯାଏ ଲାଗି ରହିବ । ଏହାସହ ୩ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ଆକଳନ କରିଛି ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ଟି ସହରରେ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ୪୬.୫ ଡିଗ୍ରୀ ତାପମାତ୍ରା ଟିଟିଲାଗଡରେ ରେକର୍ଡ ହୋଇଛି । ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୬୪.୦୦ ମିମି ବର୍ଷା ରେକର୍ଡ କରାଯାଇଛି ।