ଓଡିଶା

odisha

ମୋହନ ସରକାରଙ୍କ 100 ଦିନ, ରିପୋର୍ଟ କାର୍ଡ କେତେ ସଫଳ ? - 100 days Of Odisha BJP GOVT

By ETV Bharat Odisha Team

Published : Sep 18, 2024, 8:48 PM IST

Updated : Sep 18, 2024, 10:22 PM IST

100 days Of Odisha BJP GOVT: 100 ଦିନରେ ବିଜେପି ସରକାର । କ୍ଷମତାକୁ ଆସିବାରେ ଆସନ୍ତାକାଲି 100 ଦିନ ପୂରଣ କରିବେ ମୋହନ ସରକାର । ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି । ତାହାର ରିପୋର୍ଟ ଜନତାଙ୍କ ଆଗରେ ରଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ବିଜେପି ସରକାରର 100 ଦିନରେ ଚାଲନ୍ତୁ ଜାଣିବା କଣ କଣ ପ୍ରତିଶ୍ରୁତି ଦେଇଥିଲା ବିଜେପି । ପୂରଣ କରିବାରେ କେତେ ସଫଳ ?

100 days Of Odisha BJP GOVT
100 days Of Odisha BJP GOVT (ETV Bharat Odisha)

ଭୁବନେଶ୍ବର: 24 ବର୍ଷ ପରେ ରାଜ୍ୟରେ ବଦଳିଲା ସତ୍ତା । ବିଜେଡି ହାତରୁ କ୍ଷମତା ଡୋରି ଛଡାଇ ଆଣି ଶାସନ ଗାଦିରେ ବସିଛି ବିଜେପି । ଆଉ ଏହାରି ମଧ୍ୟରେ ବିଜେପିକୁ ସରକାରକୁ ଆସିବାରେ 100 ଦିନ ପୂରିଛି । ଶହେ ଦିନରେ କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର । ତାର ଟିକନିକ୍‌ ହିସାବ ଜନତାଙ୍କୁ ଦେବେ । ଲୋକଙ୍କ ଆଗରେ 100 ଦିନର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ମୋହନ ସରକାର । ଜଗନ୍ନାଥ ଧାମରେ ଏଥିପାଇଁ ବଡଧରଣର କାର୍ଯ୍ୟକ୍ରମ କରୁଛି ବିଜେପି । ରାଜ୍ୟବ୍ୟାପି ଚାରି ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି( 19 ସେପ୍ଟେମ୍ବର) ଶରଧାବାଲିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ।

ମୋହନ ସରକାରଙ୍କ 100 ଦିନ (ETV Bharat Odisha)

4 ଦିନ ଧରି ଚାଲିବ କାର୍ଯ୍ୟକ୍ରମ:

ରାଜ୍ୟବ୍ୟାପୀ ଚାରି ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ପ୍ରଥମ ଦିନ ଅର୍ଥାତ୍‌ ଆସନ୍ତାକାଲି(19 ସେପ୍ଟେମ୍ବର)ରେ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ 100 ଦିନ କାର୍ଯ୍ୟର ରିପୋର୍ଟ ଉପସ୍ଥାପନ କରିବେ । ପରେ ଆସନ୍ତା ୨୦, ୨୧, ୨୨ ତାରିଖରେ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଓଡ଼ିଶାରେ ବିଜେପି ସରକାରଙ୍କ ଶହେ ଦିନର ପୂର୍ତ୍ତିରେ ଉତ୍ସବ ହେବ । ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନର ସଫଳତା । ଲୋକଙ୍କ ପାଇଁ ଶହେ ଦିନ ଭିତରେ ବିଜେପି ସରକାର କଣ କଣ କରିଛନ୍ତି ? ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସରକାରକୁ ଆସିବା ପରେ କଣ କଣ ପଦକ୍ଷେପ ନେଇଛନ୍ତି ସାଧାରଣ ଲୋକଙ୍କୁ ଅବଗତ କରାଯିବ ।

କଣ କଣ ପ୍ରତିଶ୍ରୁତି ଦେଇଥିଲା ବିଜେପି ?

  • ନିର୍ବାଚନୀ ଇସ୍ତାହାରରେ 21ଟି ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର । କ୍ଷମତାକୁ ଆସିଲେ ଭକ୍ତଙ୍କ ପାଇଁ ଚାରି ଦ୍ବାର ଖୋଲିବୁ ବୋଲି କହିଥିଲା ବିଜେପି ।
  • ଧାନ କ୍ବିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା
  • ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ 50 ହଜାର ଟଙ୍କା ଦେବା
  • 18 ମାସରେ ଚିଟଫଣ୍ଡ ଟଙ୍କା ଫେରସ୍ତ
  • ରାଜ୍ୟରେ 25 ଲକ୍ଷ ଲକ୍ଷପତି ଦିଦି ତିଆରି କରିବା
  • 2029 ସୁଦ୍ଧା 3 ଲକ୍ଷ 50 ହଜାର ଲୋକଙ୍କୁ ନିଯୁକ୍ତି
  • ଓଡ଼ିଆରେ ଆଇନ, ମେଡିକାଲ ଇଞ୍ଜିନିୟରି ପାଠ୍ୟକ୍ରମ ପ୍ରଚଳନ
  • ଖାଲି ଥିବା ଦେଢଲକ୍ଷ ପଦବୀ ପୂରଣ
  • କେନ୍ଦୁପତ୍ର ତୋଳାଳିଙ୍କୁ 10ପ୍ରତିଶତ ବୋନସ
  • ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ
  • ପିଏମ ଆବାସରେ 15 ଲକ୍ଷ ଘର ତିଆରି
  • ଅଣସଙ୍ଗଠିତ କ୍ଷେତ୍ରରେ ଶ୍ରମିକଙ୍କୁ 5 ଲକ୍ଷ ବୀମା ସୁବିଧା
  • ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା
  • ଡ୍ରପଆଉଟ ରୋକିବା ପାଇଁ ଶହୀଦ ମାଧୋ ସିଂ ଯୋଜନା ଲାଗୁ କରିବା
  • ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ 3 ହଜାର ଟଙ୍କା ପେନସନ ଲାଗୁ ବ୍ୟବସ୍ଥା
  • ପ୍ରତି ଜିଲ୍ଲାରେ ନର୍ସିଂ କଲେଜ ଓ ଏକ ମେଡିକାଲ କଲେଜ
  • ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା
  • ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକାରେ ଓଡ଼ିଶାକୁ ସ୍ଥାନିତ କରିବା
  • ପଶ୍ଚିମ ଓଡ଼ିଶାରେ 3ଟି ଇଣ୍ଟିଗ୍ରେଡ ଟେକ୍ସଟାଇଲ ପାର୍କ ସ୍ଥାପନ
  • ପ୍ରତି ପଞ୍ଚାୟତ ଓ ଜିଲ୍ଲା ସଦରକୁ ରାଜଧାନୀ ସହ ସଂଯୋଗ
  • ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ 10 ହଜାର ସହାୟତା ରାଶି ପ୍ରଦାନ
  • ସମସ୍ତ ମେଟ୍ରୋ ସହରରେ ଓଡିଆଙ୍କ ପାଇଁ ଭବନ ପ୍ରତିଷ୍ଠା

100 ଦିନରେ କେଉଁ ପ୍ରତିଶ୍ରୁତି ପାଳନ କରିଛି ବିଜେପି ?

  • ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର । କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ 4 ଦ୍ବାର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା ।
  • ଧାନ କ୍ବିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ବଢାଇଛନ୍ତି ସରକାର
  • ଓଡ଼ିଆରେ ପ୍ରଚଳିତ ହୋଇଛି ପାଠ୍ୟକ୍ରମ
  • ଖୋଲିଲା ରତ୍ନଭଣ୍ଡାର
  • ବଜେଟରେ ସାମାଜିକ ସୁରକ୍ଷା ଭତ୍ତା ବଢାଇଛନ୍ତି ମୋହନ ସରକାର । ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ 3 ହଜାର 500 ଟଙ୍କା ବଢାଇଛନ୍ତି ସରକାର । ହେଲେ କେବଳ 80 ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାର ଏହାର ଫାଇଦା ପାଇବେ ।
  • ପିଏମ ଆବାସରେ ହିତାଧିକାରୀଙ୍କ ପାଇଁ ତିଆରି ହୋଇଛି ଘର ।
  • ଶହୀଦ ମାଧୋ ସିଂ ଯୋଜନା ଲାଗୁ କରିଛନ୍ତି ମୋହନ ସରକାର
ଲୋକଙ୍କ ପାଇଁ କଣ କରାଯିବ କରୁଛନ୍ତି ସରକାର (ETV Bharat Odisha)

ଲୋକଙ୍କ ପାଇଁ କଣ କରାଯିବ କରୁଛନ୍ତି ସରକାର:

ଏହାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ କହିଛନ୍ତି, ‘ରାଜ୍ୟରେ ବିଜେପି ପ୍ରଥମ ଥର ସରକାର କରିଛି। ବିଜେପି ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ କେଉଁ କେଉଁ ବର୍ଗର ଲୋକମାନଙ୍କ ପାଇଁ କଣ କରାଯିବ ରାଜ୍ୟ ସରକାର କରୁଛନ୍ତି। ମୋହନ ସରକାର ରେ 100 ଦିନ ପୂର୍ତ୍ତି ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ କେମିତି ପହଞ୍ଚିବ ସେ ପାଇଁ ଏହା କରାଯାଉଛି । ଏବଂ ସଂକଳ୍ପ ପତ୍ରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସେଥିରୁ କେତେ ପୂରଣ ହୋଇଛି ଏହା ହେବା ଦ୍ଵାରା ଆଗାମୀ ଦିନରେ ଲୋକମାନେ ଜାଣିପାରିବେ ପାଞ୍ଚ ବର୍ଷ ରେ କଣ କରିଛି ସରକାର।’

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ:

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆସନ୍ତାକାଲି ପୁରୀରେ ସରକାର 100 ଦିନ ପୂରଣର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀ, ଅଧିକାଂଶ ମନ୍ତ୍ରୀ ମଣ୍ଡଳ ସଦସ୍ୟ ଉପସ୍ଥିତ ରହିବେ । ଦଳର ତୁଙ୍ଗ ନେତା ମାନେ ରହିବେ । 20, 21, 22 ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 100 ଦିନର ଉପଲବ୍ଧିର ରିପୋର୍ଟ ଦେଲା ବିଜେପି । ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଗୋଟି ଗୋଟି ହିସାବ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ ।

ମୋଦି ସରକାରଙ୍କ ବିକାଶର ହିସାବ ଦେଲେ ମନମୋହନ:

ଦେଶରେ ବିଜେପି ଏନଡିଏ ନେତୃତ୍ବ ସରକାରର ତୃତୀୟ ପାଳିର 100 ଦିନ ପୂରଣ ହୋଇଛି । ଓଡ଼ିଶାରେ ସରକାରଙ୍କ 100 ଦିନ ଆସନ୍ତାକାଲି ହେବ । ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରର 100 ଦିନ ପୂରିବା ପୂର୍ବରୁ ନିଜ ଜନ୍ମଦିନ ପାଳନ କରିଥିଲେ । ବିଜେପି ସରକାର ହେବା ଦିନ ଠାରୁ ପ୍ରତି ବର୍ଷ ରିପୋର୍ଟ କାର୍ଡ ଦେଇଥାଉ । 10 ବର୍ଷ ରିପୋର୍ଟ କାର୍ଡ ପ୍ରଧାନମନ୍ତ୍ରୀ ଦେଇଛନ୍ତି । ଗୋଟିଏ ସାଧାରଣ ପରିବାରରୁ ଆସିଥିବା ଜଣେ ଅସାଧାରଣ ବ୍ୟକ୍ତିତ୍ଵ ନରେନ୍ଦ୍ର ମୋଦି । ସମଗ୍ର ବିଶ୍ବ ଯାହାଙ୍କୁ ନେତା ବୋଲି ଗ୍ରହଣ କରିଛି । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ସଂକଳ୍ପ ପତ୍ରରେ କହିଥିଲୁ, ଲକ୍ଷପତି ଦିଦି କରିବୁ । 3 କୋଟି ପିଏମ ଆବାସ ଦେବାର ପ୍ରକ୍ରିୟା ଚାଲିଛି । 11 ଲକ୍ଷ ଲକ୍ଷପତି ଦିଦି ହେଲେଣି । 3 ଲକ୍ଷ କୋଟିରୁ ଅଧିକ ଟଙ୍କା ଭିତ୍ତିଭୂମି ପ୍ରତିଷ୍ଠାରେ ବିନିଯୋଗ କରାଯାଇଛି । ରେଳବାଇରେ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହୋଇଛି । ବନ୍ଦେ ଭାରତ ଟ୍ରେନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ରେଳ ସଂଯୋଗ କରାଯାଇଛି ।

ମନମୋହନ ସାମଲଆହୁରି କହିଛନ୍ତି, ‘ଦେଶରେ ଆର୍ଥିକ ସ୍ଥିତି ଅଭିବୃଦ୍ଧି କରିବା ପାଇଁ ବିକଶିତ ଭାରତ ଗଠନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ । ସବୁ ଘରକୁ ବିଜୁଳି, ଗ୍ୟାସ, ମୌଳିକ ସୁବିଧା ଯୋଗାଇବା ପାଇଁ 100 ଦିନ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ମୋଦି ସରକାର ହାତକୁ ନେଇଛନ୍ତି । ବିଶ୍ଵକର୍ମା ଯୋଜନା କାର୍ଯ୍ୟକାରୀ ହୋଇଛି । 2 ଲକ୍ଷ କୋଟିର ପ୍ୟାକେଜ ଯୁବକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । 1 କୋଟି ଯୁବକଙ୍କୁ ଶିଳ୍ପରେ ନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଚାଷୀଙ୍କୁ 17ଟି କିସ୍ତି ଦିଆସାରିଲାଣି । 1310 ଟଙ୍କା ରୁ 2300 ଟଙ୍କାରେ ପହଞ୍ଚିଲାଣି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ।’

ସରକାର ଆସିବା ପରେ କଣ କରିଛନ୍ତି କହିଲେ ମହମୋହନ:

ମନମୋହନ ସାମଲ ଆହୁରି କହିଛନ୍ତି, ‘ଆୟକରରେ ରିହାତି ଏକ ଯୁଗାନ୍ତକାରୀ ପଦକ୍ଷେପ । ଆୟୁଷ୍ମାନ କାର୍ଡରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ଦିଆଯାଉଛି । 70 ବର୍ଷରୁ ବ୍ୟୟସ୍କଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାର ତୁଲାଇବା ପାଇଁ ଦାୟିତ୍ଵ ନେଇଛନ୍ତି । ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଇଁ 12 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ଜାତୀୟ ରାଜପଥ ବିକାଶ ପାଇଁ ବ୍ୟାପକ ଅନୁଦାନ ମିଳିଛି । ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଟଙ୍କା କେନ୍ଦ୍ର ସରକାର ଦେବେ । ଓଡ଼ିଶାରେ ସମଗ୍ର ବିଶ୍ବରେ ଟୁରିଷ୍ଟ ପଏଣ୍ଟ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେବେ ।’

100 ଦିନରେ ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ବ୍ୟବସ୍ଥା:

ମନମୋହନ ସାମଲ ଆହୁରି କହିଛନ୍ତି, ‘ରେଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ସହାୟତା ଯୋଗାଇ ଦେଉଛନ୍ତି । ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଛି, ରତ୍ନଭଣ୍ଡାର ଖୋଲିଛି, ଶ୍ରୀମନ୍ଦିର ବିକାଶ ପାଇଁ 200 କୋଟି ଟଙ୍କାର କର୍ପସ ଫଣ୍ଡ ହୋଇଛି । ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବଢିଛି, ଚାଷୀଙ୍କୁ 3100 ଟଙ୍କା ଧାନର ଏମଏସପି ମିଳିବାର ପ୍ରତିଶ୍ରୁତି ପାଳନ ହୋଇଛି । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ । 25 ଲକ୍ଷ ମହିଳାଙ୍କୁ 1250 କୋଟି ଟଙ୍କା ସୁଭଦ୍ରା ଯୋଜନାରେ ଦେଇଛନ୍ତି । ସରକାର ଗଠନର 100 ଦିନ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ଶିଳ୍ପ ହେବାର ଭଲ ପରିବେଶ ତିଆରି ହେବା ଆରମ୍ଭ ହୋଇଛି । ଓଡ଼ିଶାବାସୀଙ୍କ ବିଶ୍ବାସକୁ ନେଇ କାମ କରିବେ ସରକାର । ଚିଟଫଣ୍ଡ କ୍ଷତଗ୍ରସ୍ତଙ୍କ ପାଇଁ କମିଟି ଗଠନ ହୋଇଛି । ତୁରନ୍ତ ନିଷ୍ପତ୍ତି ନିଆଯିବ ।’

କଂଗ୍ରେସ ସାମ୍ବାଦିକ ସମ୍ମିଳନୀ (ETV Bharat Odisha)

କେଉଁ ପ୍ରତିଶ୍ରୁତି ପାଳନ କରିନାହାନ୍ତି ମୋହନ ସରକାର ଗଣାଇଲା କଂଗ୍ରେସ:

ମୋହନ ସରକାର ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଡ. ବିଶ୍ବରଞ୍ଜନ ମହାନ୍ତି । ବିଶ୍ବରଞ୍ଜନ କହିଛନ୍ତି, ୩୦୦ ୟୁନିଟ ବିଜୁଳି ମାଗଣା ଦେବା, ସମସ୍ତ ବୃଦ୍ଧାବୃଦ୍ଧ ହିତାଧିକାରୀଙ୍କୁ ମାସିକ ୩ ହଜାର ୫ଶହ ଟଙ୍କା ଦେବା, ୨୦ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ଇତ୍ୟାଦି ଅନେକ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ମୋହନ ସରକାର ।

ଓଡ଼ିଆ ଅସ୍ମିତାର କଥା କହୁଥିବା ସରକାର ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ଅଣଓଡ଼ିଆ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ଚାପି ଦେବାପାଇଁ ସରକାର ଉଦ୍ୟମ କରିବା ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ଖଣିରୁ ୧.୫ ଲକ୍ଷ କୋଟି ଟଙ୍କା କେବେ ରାଜ୍ୟ ରାଜକୋଷକୁ ଫେରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଦୁଟିଏ ନକହିବା ସେମାନଙ୍କର ଅସଲମୁଖାକୁ ଖୋଲି ଦେଇଛି । ଏଥ‌ିରୁ ସ୍ପଷ୍ଟ ଓଡ଼ିଶାର ସମ୍ପତ୍ତିକୁ ଜଣେ ଅଣଓଡ଼ିଆ ପୁଞ୍ଜିପତି ଆଦାନୀଙ୍କ ହାତରେ ଟେକି ଦେବାପାଇଁ ସରକାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରଚୁଛନ୍ତି । ବିହାର ଓ ଆନ୍ଧ୍ରକୁ ମୋଦି ସରକାର ଆର୍ଥିକ ପ୍ୟାକେଜ ଦେଇଥିବା ବେଳେ ଓଡ଼ିଶା କଥା କିପରି ଭୁଲିଗଲେ ପ୍ରଧାନମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ବରଂଜନ ।

ଟାର୍ଗେଟ କଲା ବିଜେଡି (ETV Bharat Odisha)

କଣ କହିଲା ବିଜେଡି: (4ଟି ମୁଖ୍ୟ ପ୍ରସଙ୍ଗରେ ସରକାର ନିରୁତ୍ତର)

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, "4ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆସ୍ଥା ରଖି ଲୋକେ ନୂଆ ସରକାର ଆଣିଥିଲେ । ବିଜେପି ସରକାର ଯାହା ଯାହା ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବ ବୋଲି ଲୋକେ ଆଶା ରଖିଥିଲେ । ତାହା ଆଜି ନିରାଶରେ ପରିଣତ ହୋଇଛି । 100 ଦିନରେ ଓଡିଶା ଜନସାଧାରଣ ଯେଉଁ ଆଶା, ଆକାଂକ୍ଷା ରଖିଥିଲେ ତାହା ପୂରଣ ହୋଇନାହିଁ । ମାଗଣା ବିଜୁଳି, 3 ହଜାର ଟଙ୍କା ଭତ୍ତା ପ୍ରସଙ୍ଗରେ ସରକାର ନିରୁତ୍ତର ।"

ସୁଭଦ୍ରା କରିବ ନାହିଁ ସ୍ୱାବଲମ୍ବୀ:

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ସୁଭଦ୍ରା ଯୋଜନା ଦ୍ୱାରା ଲୋକଙ୍କର ବିକାଶ ସହ ଆର୍ଥିକ ଅଗ୍ରଗତି ହେବା ସହ ମହିଳା ସ୍ୱାବଲମ୍ବୀ ହୋଇପାରିବେ । ନିର୍ବାଚନ ସମୟରେ କୁହାଯାଇଥିବା 2 ଟି କିସ୍ତିରେ 50 ହାଜର ଦେବେ ବୋଲି କହି ଏବେ କିନ୍ତୁ ତାକୁ 5 ବର୍ଷ ଯାଏ ନେଲେଣି । ପ୍ରତ୍ୟେକ ଦିନ 27 ଓ ମାସକୁ 833 ଟଙ୍କାରେ ମହିଳା ସଶକ୍ତ କେମିତି ହେବେ ? ନବୀନ ସରକାରରେ ମହିଳା ସଶକ୍ତିକରଣ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ହୋଇଥିଲା । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରତାରିତ କରାଯାଇଛି ।"

ଆନ୍ଧ୍ର ଓ ବିହାରକୁ ଅଛି, ଓଡ଼ିଶାର ନାହିଁ:

ସେ ଏହା ମଧ୍ୟ କହିଛନ୍ତି, "100 ଦିନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ବାଲେଶ୍ଵର, ଖୋର୍ଦ୍ଧା ଓ ଅନ୍ୟାନ୍ୟ ସ୍ଥାନରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ହୋଇଛି । ରାଜ୍ୟପାଳଙ୍କ ପୁଅର ଗୁଣ୍ଡାରାଜ ବିରୋଧରେ ସରକାର ନିରବ । ବିଜୁ ବାବୁ କହିଥିଲେ, ପ୍ରାଚୁର୍ଯ୍ୟ ପୂର୍ଣ୍ଣ ଓଡିଶା କେବେ ଗରିବୀ ଭିତରେ ରହିପାରିବ ନାହିଁ । ନବୀନ ବାବୁଙ୍କ ନେତୃତ୍ୱରେ ଏ କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇଛି । ବିଭିନ୍ନ କ୍ଷେତ୍ରରେ ଦେଶରେ ଓଡିଶା ଏକ ପ୍ରମୁଖ ରାଜ୍ୟ ହୋଇ ଛିଡା ହୋଇଛି । କିନ୍ତୁ ବିଜେପି ସରକାର ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ମାସ ଭିତରେ ଅବହେଳା କରିଛନ୍ତି । 20 ସାଂସଦ ନେଲେ ହେଲେ ବଜେଟରେ ଓଡିଶା ପାଇଁ କିଛି ନାହିଁ । କିନ୍ତୁ ଆନ୍ଧ୍ର ଓ ବିହାରକୁ ସ୍ଵତନ୍ତ୍ର ଅନୁଦାନ ମିଳିଲା ।"

ଡବଲ ଇଞ୍ଜିନ ସରକାରର ବୈମାତୃକ ମନୋଭାବ:

ସଞ୍ଜୟ ଆହୁରି ଏହା ମଧ୍ୟ କହିଛନ୍ତି, "ପ୍ରତ୍ୟେକ ବର୍ଷ ଆମେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଛେ । ଓଡ଼ିଶାର ଏକ ଉଜୁଡା ଅର୍ଥନୀତିକୁ ନବୀନ ବାବୁ ରାଜସ୍ଵ ବଳକା ରାଜ୍ୟରେ ପରିଣତ କରିଛନ୍ତି । କିନ୍ତୁ ଓଡିଶା ପ୍ରତି ଡବଲ ଇଞ୍ଜିନ ସରକାରର ବୈମାତୃକ ମନୋଭାବ ରହିଛି । ଆମେ ଆଶା ରଖିବୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେବ । କୋଇଲା ରୟାଲଟି ସଂଶୋଧନ ହେବା ସହ ଆମେ ପ୍ରତିବର୍ଷ ହରାଉଥିବା 10 ହଜାର କୋଟି ମିଳିବ । ନୂତନ ସରକାରଙ୍କୁ ଜନତା ଦେଇଥିବା ଦାୟିତ୍ୱକୁ ସେମାନେ ତୁଲାଇବେ । 100 ଦିନରେ ପ୍ରତିଶ୍ରୁତି ପ୍ରତାରଣା ପାଲଟିଲା । ଯଦି ଏମିତି ହୁଏ ତେବେ ଓଡିଶା ବାସୀ ତାର ଜବାବ ଦେବେ ।"

ଜୁନ 12ରୁ ରାଜ୍ୟରେ ବିଜେପି ସରକାର:

ଜୁନ 4ରେ ଫଳାଫଳ ବାହାରିବା ପରେ 12 ଜୁନରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ 2 ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । 24 ବର୍ଷ ପରେ ରାଜ୍ୟରେ ବଦଳିଥିଲା ସରକାର । ବିରୋଧି ଆସନ ଛାଡି କ୍ଷମତା ଡୋରି ଧରିଥିଲା ବିଜେପି । ଏବେ ରାଜ୍ୟରେ ବିଜେପି ସରକାରକୁ 100 ଦିନ ପୂରଣ ହେବାକୁ ଯାଉଛି । ଏଥିପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ବିଜେପି ସରକାରଙ୍କ ସମ୍ପର୍କିତ ଅନ୍ୟ କିଛି ଖବର ପଢନ୍ତୁ:

ବିଜେପି ସରକାରକୁ ୧୦୦ ଦିନ, ପୁରୀ ଶରଧାବାଲିରେ ପୂର୍ତ୍ତି ପାଳିବେ ମୋହନ ସରକାର

ମୋହନ ସରକାରଙ୍କ ମେଗା ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ

ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର, ସ୍ମାର୍ଟ ପ୍ରଣାଳୀରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାରେ NH ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ 21ହଜାର କୋଟିର ପ୍ୟାକେଜ; ୮ ଲେନ୍ ହେବ ବଡବିଲ-ଚଣ୍ଡିଖୋଲ ରୋଡ, ଭୁବନେଶ୍ବର-ପୁରୀ ୬ ଲେନ୍

ବଜେଟରେ ବଡ ଘୋଷଣା; ଏହି କାମ କଲେ ଜାଳିବେ ମାଗଣା ବିଜୁଳି, ପଡୋଶୀଙ୍କୁ ବିକି ହେବେ ଲକ୍ଷପତି

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2024, 10:22 PM IST

ABOUT THE AUTHOR

...view details