ରାଉରକେଲା:ସୁନ୍ଦରଗଡରେ ଚାଲିଛି ନାବାଳିକା ଚୋରା ଚାଲାଣ । ସୁନ୍ଦରଗଡରୁ ରାଜସ୍ଥାନକୁ ହେଉଥିଲେ ଚାଲାଣ । ଚାକିରି ଲୋଭ ଦେଖାଇ ବିବାହ କରାଇ ଦେଉଥିଲେ ଦଲାଲ । ଏହାପରେ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିଲେ ନାବାଳିକା । ଏପରି ରାକେର୍ଟର ପର୍ଦ୍ଦାଫାସ କରି 2 ଜଣ ନାବାଳିକାଙ୍କୁ ରାଜସ୍ଥାନରୁ ଉଦ୍ଧାର କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ସୁନ୍ଦରଗଡର ହୋଇଥିବା ବେଳେ ଅନ୍ୟ ଜଣେ ରାୟଗଡାର । ଏହି ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର 4 ଜଣ ଓ ରାଜସ୍ଥାନର 2 ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ସୋନୁ ଶର୍ମା, ପିଙ୍କି ଦେବୀ, ସେକ୍ ଅସରଫ ଅଲୀ (ଦିବ୍ୟାଙ୍ଗ), ମନୁ ଶର୍ମା, ରାଜସ୍ଥାନର ସଚିନ ରାୟ ଗୌତମ ଓ ରମେଶଚନ୍ଦ କୁଶୱାହା ।
ଗତବର୍ଷ ନିଖୋଜ ହୋଇଥିଲେ ବର୍ଷକ ପରେ ଉଦ୍ଧାର:ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ପ୍ରାୟ ୭ ମାସ ପରେ ଗତ ମେ ମାସରେ ସେ ଘରକୁ ଫୋନ କରି ଉଦ୍ଧାର ପାଇଁ କହିଥିଲେ । ନାବାଳିକାଙ୍କ ଠାରୁ ଫୋନ୍ ପାଇବା ପରେ ପରିବାର ଲୋକ କୁତ୍ରା ଥାନାରେ ଏତଲା ଦେଇଥିଲେ । ରାଜଗାଙ୍ଗପୁର ଏସ୍ଡିପିଓଙ୍କ ନେତୃତ୍ବରେ କୁତ୍ରା ଥାନା ଅଧିକାରୀଙ୍କ ସମେତ ଏକ ୯ଜଣିଆ ଟିମ୍ ଘଟଣାର ତଦନ୍ତ କରିବା ସହ ମୋବାଇଲ କଲ୍ ଟ୍ରାକ୍ କରି ରାଜସ୍ଥାନର ବାରା ଜିଲ୍ଲାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।