ନିମାପଡ଼ା: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ । ଟିକେଟ କାଉଣ୍ଟରରେ ଟିକେଟ ନମିଳିବାରୁ ମନ୍ଦିର ମୁଖ୍ୟ ଫାଟକରେ ତାଲା ପକାଇଲେ ମନ୍ଦିର କର୍ତ୍ତୃପକ୍ଷ । ଆଜି (ରବିବାର) ଛୁଟିଦିନ ହୋଇଥିବା କାରଣରୁ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ଲାଗିରହିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଅବହେଳା କାରଣରୁ ଟିକେଟ ସମୟରେ ମିଳିନଥିଲା । ଯାହା ଫଳରେ ଭିଡ଼ ଅଧିକରୁ ଅଧିକ ଜମା ହୋଇଥିବା ଅଭିଯୋଗ କରାଯାଇଛି ।
ଅତ୍ୟଧିକ ଭିଡ଼ କାରଣରୁ ପର୍ଯ୍ୟଟକ ମାନେ ପାଟିତୁଣ୍ଡ କରିବା ସହିତ ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଆରମ୍ଭ କରିଥିଲେ । ସୂର୍ଯ୍ୟ ମନ୍ଦିରର ଦାୟିତ୍ଵରେ ଥିବା ସ୍ଥାନୀୟ ଅଧିକାରୀ ମନ୍ଦିରର ମୁଖ୍ୟ ଗେଟେକୁ ତାଲା ପକାଇ ଦେଇଥିଲେ । ଫଳରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଗେଟ୍ ସମ୍ମୁଖରେ ରୁଣ୍ଡ ହୋଇ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହଜାର ହଜାର ପର୍ଯ୍ୟଟକମାନେ ଟିକେଟ ପାଇଁ ଲମ୍ବା ଧାଡିରେ ଅପେକ୍ଷା କରିଥିଲେ । ଗୋଟିଏ ଟିକେଟ କାଉଣ୍ଟର ଥିବାବେଳେ ଭିଡ଼ କାରଣରୁ ସେଠାରେ ଥିବା ବୃଦ୍ଧ, ମହିଳା ଏବଂ ଛୋଟ ଛୁଆ ମଧ୍ୟ ସେହି ଧାଡିରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।