ନୟାଗଡ଼:ପୁଣି ସାମ୍ନାକୁ ଆସିଲା ମେଡ଼ିକାଲରୁ ଶିଶୁ ଚୋରି ଘଟଣା । ନବଜାତ ଶିଶୁ ମେଡିକାଲରୁ ଗାଏବ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ନୟାଗଡ଼ ରାଜସୁନାଖଳା ସ୍ଵାସ୍ଥ୍ୟ କେନ୍ଦ୍ରରୁ ପିଲା ଚୋରି ଅଭିଯୋଗ ଆସିଛି । ସେପଟେ ସିସିଟିଭି ଯାଞ୍ଚ ପରେ ହସ୍ପିଟାଲରୁ ପିଲା ଚୋରି ଘଟଣାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
BABY THEFT FROM MEDICAL (ETV Bharat Odisha)
ପୁଣି ଛୁଆ ଚୋରି ଅଭିଯୋଗ:
ଅଭିଯୋଗ ଅନୁସାରେ, ଗତକାଲି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା । ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସୁଧୀସ୍ମିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ପ୍ରସବର କିଛି ସମୟ ପରେ କେହି ନ ଥିବାର ସୁଯୋଗ ନେଇ ନବଜାତ ଶିଶୁକୁ କିଏ ଗାଏବ କରିନେଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏଥିରେ ମେଡିକାଲ କର୍ତ୍ତୃପକ୍ଷଙ୍କ ହାତ ଥିବା ନେଇ ପରିବାର ଲୋକ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଏ ଘଟଣାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା । ସେପଟେ ମେଡିକାଲର ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ ।
'ଛୁଆ କେହି ଚୋରି କରି ନେଇଯାଇଛି':
ଏନେଇ ସୁଧୀସ୍ମିତା ସମ୍ପର୍କିୟାଶକୁନ୍ତଳା ପରିଡା କହିଛନ୍ତି, "ଆଜି ସୁଧୀସ୍ମିତାର ପ୍ରସବ ହେବା ପରେ ଶିଶୁପୁତ୍ର ଜନ୍ମ ହୋଇଥିଲା । ପ୍ରସବ ପରେ ସୁଧୀସ୍ମିତା କିଛି ବଟିକା ଦେଇ ତାଙ୍କୁ ମେଡିକାଲ ବାହାରେ ପକାଇ ଦେଇଥିଲେ । ଆମେ ତା ପାଖରେ କେହି ନଥିଲୁ । ଆମେ ଆସିବା ବେଳକୁ ଛୁଆ ନାହିଁ । ପିଲାକୁ କେହି ଚୋରି କରି ନେଇଯାଇଛି ।"
ସେପଟେ ସୁଧୀସ୍ମିତାଙ୍କ ସ୍ବାମୀ ବିଜୟ କୁମାର ପରିଡ଼ା କହିଛନ୍ତି, "ମୋ ସ୍ତ୍ରୀଙ୍କ ଗର୍ଭବତୀ ଥିବାରୁ ତାଙ୍କୁ ଚେକ୍ଅପ ପାଇଁ ମେଡିକାଲ ଆଣିଥିଲୁ । ପ୍ରଥମେ ମେଡିକାଲରେ ଯାଞ୍ଚ ପରେ ତାଙ୍କୁ ନେଇ ମେଡିକାଲ ପାଖରେ ଥିବା ଜଣେ ସମ୍ପର୍କିୟଙ୍କ ଘରେ ରଖିଥିଲୁ । ପରେ ମେଡିକାଲରୁ ଫୋନ ଆସିବା ପରେ ମୁଁ ସୁଧୀସ୍ମିତାଙ୍କୁ ନେଇ ମେଡିକାଲ ଯାଇଥିଲା । ମୁଁ ମେଡିକାଲରେ ଏକା ଥିବାରୁ ମୋ ମାଙ୍କୁ ଆଣିବା ପାଇଁ ସମ୍ପର୍କିୟଙ୍କ ଘରକୁ ଯାଇଥିଲି । ଏହାରି ଭିତରେ ମୋ ସ୍ତ୍ରୀଙ୍କର ପ୍ରସବ ହୋଇଥିଲା । ଶିଶୁପୁତ୍ର ଜନ୍ମ ହୋଇଥିବା ନେଇ କେହି ଜଣେ କହୁଥିବା ବେଳେ ମୋ ସ୍ତ୍ରୀ ଶୁଣିଥିଲେ । ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଆମେ ମେଡିକାଲରେ ପହଞ୍ଚି ଦେଖିଲୁ ମୋ ସ୍ତ୍ରୀ ମୋଡିକାଲ ବାହାରେ ପଡ଼ିଛନ୍ତି । ଛୁଆକୁ କିଏ ଚୋରି କରି ନେଇଯାଇଛି ।"
ଛୁଆ ଚୋରି ଅଭିଯୋଗକୁ ଖଣ୍ଡନ:
ସେପଟେ ନବଜାତ ଚୋରି ଘଟଣାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏନେଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟ କହିଛନ୍ତି, "ଛୁଆ ଚୋରି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟ । ଏଥିରେ କୌଣସି ସତ୍ୟତା ନାହିଁ । ସେମାନେ ସକାଳ ୯.୩୯ରେ ମେଡିକାଲକୁ ଆସିଥିଲେ । ଲବିରେ ପାଖାପାଖି ୨୦ ମିନିଟ ବସିଥିଲେ । ପରେ ସେ ୯.୫୯ରେ ପ୍ରଥମ ମହଲାକୁ ଯାଇଥିଲେ । ଲେବର ରୁମ ସାମ୍ନାରେ ସେମାନେ ପାଖାପାଖି ୨୦ରୁ ୨୫ ମିନିଟ ବସିଥିଲେ । ପରେ ସେ ତଳ ମହଲାକୁ ପୁଣି ଯାଇଥିଲେ । ୧୦.୨୫ ସମୟରେ ବାଥରୁମରୁ ବାହାରି ଅଭିଯୋଗ କରିଥିଲେ ଯେ, ଛୁଆ ଚୋରି ହୋଇଯାଇଛି । ସେ ଓପିଡି ଟିକେଟ ବି ନେଇ ନଥିଲେ କି କୌଣସି ଡାକ୍ତରଙ୍କ ସହ ଦେଖା କରିନଥିଲେ । ଏସବୁର ସିସିଟିଭି ଫୁଟେଜ ରହିଛି । ଅଭିଯୋଗ ମିଥ୍ୟା । ଏ ଦିଗରେ ଆମେ ଏକ FIR ଦେବୁ । ଏଦିଗରେ ସଠିକ ତଦନ୍ତ ପାଇଁ ଲେଖିବୁ ।"
ଇଟିଭି ଭାରତ, ନୟାଗଡ଼