ଭୁବନେଶ୍ବର: ହୋଲି ଉତ୍ସବ ପାଳନ ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟ ସରିବା ପରେ ପୋଲିସର ଆକ୍ସନ । ହୋଲି ସେଲିବ୍ରେସନ ବେଳେ ବନ୍ଦ ହେଲା ପାର୍ଟି । ପ୍ରଥମେ ପୋଲିସ ତାଗିଦ କରିବା ପରେ ଜବତ କଲା ସାଉଣ୍ଡ୍ ମେସିନ । ତେବେ ରାଜଧାନୀର ଭୁବନେଶ୍ବରରେ ଏପରି ଏକ ହୋଲି ଡିଜେ ପାର୍ଟିରେ ରେଡ୍ କରିଛି ସହିଦନଗର ଥାନା ପୋଲିସ । ଯାହାକୁ ନେଇ କିଛି ଯୁବକଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ହୋଲି ଅବସରରେ ଆଜି ଦିନ ପ୍ରାୟ ୨ଟା ସମୟରେ ରାଜଧାନୀର ସହିଦନଗର ଅଞ୍ଚଳର ରମାଦେବୀ ବିଶ୍ବବିଦ୍ୟାଳୟ ସାମ୍ନାରେ ହୋଲି ପାର୍ଟି ଚାଲିଥିଲା । ଶତାଧିକ ଯୁବକ ଯୁବତୀଙ୍କ ଏକାଠି ହୋଇ ହୋଲି ସେଲିବ୍ରେସନ କରୁଥିଲେ । ଏହାସହ ଉଚ୍ଚ ସ୍ବରରେ ଗୀତ ବଜାଇ ନାଚୁଥିଲେ । ଆଉ ଏତିକି ବେଳେ ପହଞ୍ଚିଥିଲା କମିସନରେଟ ପୋଲିସ ଟିମ୍ । ତେବେ ସମୟ 2ଟା ଅତିକ୍ରମ କରିଥିବାରୁ ହୋଲି ପାର୍ଟି ବନ୍ଦ କରିବାକୁ ବାରଣ କରିଥିଲା ପୋଲିସ । ସେପଟେ ପୋଲିସକୁ ଦେଖି କିଛି ପିଲା ସେଠାରୁ ଛତ୍ରଭଙ୍ଗ ଦେଇଥିବା ବେଳେ ଆଉ କିଛି ସେହିଠାରେ ବିରୋଧ କରିଥିଲେ । ଏପରିକି ପୋଲିସ ହୋଲି ସେଲିବ୍ରେସନ କାହିଁକି ବନ୍ଦ କରୁଛି ବୋଲି ପଚାରିଥିଲେ । ସେପଟେ ପୋଲିସ ସେମାନଙ୍କୁ ଡିଜେ ବଜାଇବା ପାଇଁ ଅନୁମତି ଓ ଅନ୍ୟାନ୍ୟ ଅନୁମତି ପାଇଁ ପ୍ରମାଣପତ୍ର ମାଗିଥିଲା । ଯାହାକୁ ଯୁବକମାନେ ଦେଇ ପାରିନଥିଲେ । ପୋଲିସକୁ ବିରୋଧ କରିବା ଏବଂ ଆଇନ ଭାଙ୍ଗି ଡିଜେ ବଜାଇ ପାର୍ଟି କରିବାକୁ ନେଇ ଶେଷରେ ପୋଲିସ ଡିଜେ ମେସିନ ସିଜ କରିଥିଲା । ଫଳରେ କିଛି ସମୟ ପାଇଁ କିଛି ଯୁବକଙ୍କ ସହ ପୋଲିସର ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ।