ସମ୍ବଲପୁର:ହୋଲି ପୂର୍ବରୁ ସମ୍ବଲପୁରରେ ଆରମ୍ଭ ହୋଇଛି ସେଲିବ୍ରେସନ । ବୁଢାରାଜା ପାହାଡରେ ନିଆରା ଢଙ୍ଗରେ ଏହି ପର୍ବ ପାଳନ ହୋଇଛି । ବୁଢ଼ାରଜା ବନ ସୁରକ୍ଷା ସମିତିର ସଭ୍ୟମାନେ ବୃକ୍ଷ ମାନଙ୍କ ସହିତ ହୋଲି ଖେଳିଛନ୍ତି । ଏହି ହୋଲି ଖେଳ ମାଧ୍ୟମରେ ସମାଜକୁ 'ଜଙ୍ଗଲ ସୁରକ୍ଷା' ନେଇ ସଚେତନତାର ବାର୍ତ୍ତା ଦିଆଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ ଗ୍ଲୋବାଲ ୱାର୍ମିଂ ଏକ ବଡ଼ ସମସ୍ୟା ହୋଇଥିବାବେଳେ ଏହାର ମୁକାବିଲା ପାଇଁ ବୃକ୍ଷ ଲତାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।
ଏଭଳି ସ୍ଥିତିରେ ବୃକ୍ଷ ଲତାଙ୍କୁ ସୁରକ୍ଷା ଦେବା ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ବୁଢାରଜା ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଗଛ ସହ ହୋଲି ଖେଳିଛନ୍ତି । ସମ୍ବଲପୁର ସହର ଭିତରେ ଥିବା ବୁଢାରଜା ଜଙ୍ଗଲରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୁରକ୍ଷା ସମିତିର ସଦସ୍ୟମାନେ ପ୍ରଥମେ ବୃକ୍ଷ ଗୁଡ଼ିକୁ ପୂଜାର୍ଚ୍ଚନା କରିବା ପରେ ସେମାନଙ୍କୁ ହୋଲିର ରଙ୍ଗ ବୋଳି ଜୀବନ ତମାମ ସୁରକ୍ଷା ଦେବାର ପଣ କରିଥିଲେ । ବୃକ୍ଷଙ୍କୁ ସୁରକ୍ଷା ଦେବା ପାଇଁ ହାତରେ ଦୀପ ଧରି ଶଙ୍ଖ ବଜାଇ ଆଧ୍ୟାତ୍ମିକ ପରିବେଶରେ ହୋଲି ଖେଳିଥିଲେ ବୁଢାରାଜା ବନ ସୁରକ୍ଷା ସମିତିର ସଦସ୍ୟ । ସମସ୍ତେ ରଙ୍ଗର ପର୍ବ ହୋଲିକୁ ନିଜ ପରିବାର ଓ ସାଙ୍ଗସାଥୀଙ୍କ ଗହଣରେ ପାଳନ କରୁଥିବାବେଳେ ବୁଢ଼ାରଜା ବନ ସୁରକ୍ଷା ସମିତିର ସଭ୍ୟମାନଙ୍କ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି । ଯାହା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।