ଭୁବନେଶ୍ବର: ମହାନଦୀର ଉପର ଓ ତଳ ମୁଣ୍ଡରେ ପ୍ରଚୁର ବର୍ଷା ହୋଇଛି । ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ହୀରାକୁଦରୁ 14 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଅଧିକ ଗେଟ ଖୋଲିବା ନେଇ ଆଜି ଅପରାହ୍ନରେ ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
ବଢୁଛି ହୀରାକୁଦ, ଜଳସ୍ତର 610 ଫୁଟ:
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, "ବର୍ତ୍ତମାନ ହୀରାକୁଦ ଜଳସ୍ତର 610 ଫୁଟ ଅଛି । ଉପର ମୁଣ୍ଡରୁ ହୀରାକୁଦକୁ 2 ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି 2.5 ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦରୁ 14 ଗେଟ ଦ୍ୱାରା ଜଳ ନିଷ୍କାସନ ହେଉଛି । ଗତକାଲି ମହାନଦୀର ଉପର ମୁଣ୍ଡରେ ବହୁତ ବର୍ଷା ହୋଇଛି । ଖଇରମାଳ, ବାଙ୍କୀ, ସୋନପୁର, ନୟାଗଡରେ ବହୁତ ବର୍ଷା ହୋଇଛି । ତେଲ ସବ ବେସିନ ଅନ୍ତର୍ଗତ କଳାହାଣ୍ଡି ଓ ବଲାଙ୍ଗୀରରେ ଜୋର ବର୍ଷା ହୋଇଛି । ଫଳରେ ମହାନଦୀ ଜଳସ୍ତର ବଢିବ । ହୀରାକୁଦର ତଳ ସ୍ତରରେ ଖଇରମାଳ ପରେ ବାଙ୍କୀ, ବୌଦ୍ଧ, ସୋନପୁର, ନୟାଗଡ଼ରେ ଅତ୍ୟଧିକ ବର୍ଷା ହୋଇଛି ।"
ସାଢେ 4ରେ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର କମିଟି ବୈଠକ:
ହୀରାକୁଦ ବାବଦରେ ଆଜି ଅପରାହ୍ନ ସାଢେ 4ରେ ବସିବ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର କମିଟି ବୈଠକ । ବୈଠକ ଡାକିଛି ଜଳ ସମ୍ପଦ ବିଭାଗ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ମାନେ ଉପସ୍ଥିତ ରହିବେ । ହୀରାକୁଦର କେତେ ଗେଟ ଖୋଲିବା ନେଇ ମତାମତ ନିଆଯିବ । ସେହିପରି ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ନେଇ ସେମାନଙ୍କ ମତାମତ ନିଆଯିବ । ବୈଠକ ବେଳକୁ ଛତିଶଗଡ଼ରେ କେତେ ବର୍ଷା ହୋଇଛି ସେନେଇ ସବିଶେଷ ସୂଚନା ହସ୍ତଗତ ହୋଇଯାଇଥିବ । ଏହା ପରେ ହୀରାକୁଦର ଗେଟ ଖୋଲିବା ନେଇ ନିଷ୍ପତ୍ତି ହେବ ।