କଟକ: ଘରୋଇ ସ୍କୁଲରେ ଗରିବ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି ନ କରେଇବା ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ । ଏ ନେଇ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ମେ ୧୬ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ପ୍ରାଇଭେଟ ସ୍କୁଲରେ 25% ମାଗଣା ସିଟ ଆଡ଼ମିସନ ତ୍ରୁଟି ମାମଲାକୁ ଅତି ଗୁରୁତର ଭାବେ ନେଇଛନ୍ତି ହାଇକୋର୍ଟ । ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ତ୍ରୁଟି, ଦାୟିତ୍ବହୀନତା ପାଇଁ ରାଜ୍ୟରେ 20 ହଜାରରୁ ଉର୍ଦ୍ଧ୍ବ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ, ମାଗଣା ସିଟରେ ପ୍ରାଇଭେଟ ସ୍କୁଲରେ ନାମ ଲେଖାରୁ ବଞ୍ଚିତ ହେଉଛନ୍ତି ।
ଅଭିଭାବକ ମାନେ ଚାହୁଁଥିବା ସ୍କୁଲ ପୋର୍ଟାଲରେ ନଥିବା ଆଦି ସମସ୍ୟାକୁ ନେଇ ଓଡିଶା ଅଭିଭାବକ ମହାସଂଘ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ତଥା ଆରଟିଇର ନୋଡାଲ ଅଫିସର ଜ୍ୟୋତି ରଞ୍ଜନ ମିଶ୍ର କୋର୍ଟରେ ହାଜର ହୋଇ ଜବାବ ରଖିଥିଲେ । ଗତବର୍ଷ ପ୍ରି ପ୍ରାଇମେରୀ ବା ନର୍ସରୀ ଶ୍ରେଣୀରେ ମଧ୍ୟ ଆଡ଼ମିସନ ପାଇଁ ସୁବିଧା ଥିବା ବେଳେ ଏବର୍ଷ ବହୁତ ସ୍କୁଲରେ ସେ ସୁବିଧା ନଥିବା ଆବେଦନକାରୀ କୋର୍ଟଙ୍କୁ ଅବଗତ କରାଇଛନ୍ତି ଏବଂ ସମାନ ସ୍କୁଲରେ ଗତବର୍ଷ ଯେତିକି ସିଟ ଥିଲା ଏବର୍ଷ ସିଟ ସଂଖ୍ୟା କମ ଦେଖାଉଥିବା ତଥ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି । ତେବେ ଏସମସ୍ତ ଅସୁବିଧାର ସୁଧାର ଆଣିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଶୁଣାଣି ସମୟରେ ନିର୍ଦେଶକ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ସମ୍ମତି ଦେଇଥିବା ଆବେଦନକାରୀ କହିଛନ୍ତି ।