ବଲାଙ୍ଗୀର: ଗତବର୍ଷର ଲଗାଣ ବର୍ଷା ବଲାଙ୍ଗୀର ଜିଲ୍ଲାର ଅନେକ ପରିବାର ପାଇଁ ଆଣି ଦେଇଥିଲା ଦୁଃଖ ବେଦନା । ଏହାକୁ ଦୀର୍ଘ ୯ ମାସ ବିତିଯାଇଥିଲେ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଗରିବ ପରିବାରକୁ ପ୍ରଶାସନ ତରଫରୁ ଏଯାବତ୍ କୌଣସି ସହୟତା ମିଳିନାହିଁ । ତେବେ ବଲାଙ୍ଗୀରରେ ଗତ 2023 ଜୁଲାଇ ମାସରେ ଲଗାଣ ବର୍ଷା ହୋଇଥିଲା । ଯେଉଁଥିରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ । ସେଥିରେ ଜିଲ୍ଲାର ରୁଗୁଡି ପଡ଼ାର ଗରିବ କଳାକାହ୍ନୁ ଦୋରାଙ୍କ ମାଟି ଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଫଳରେ ଏହି ପୀଡିତ ପରିବାର ଦୀର୍ଘ ୯ ମାସ ହେବ ନିଜ ଝିଅ ଜ୍ବାଇଁ ଘରେ ଆଶ୍ରୟ ନେଇଛନ୍ତି ।
ଏନେଇ ସରକାରୀ ସହାୟତା ପାଇଁ ପ୍ରଶାସନକୁ ଗୁହାରି ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳୁନି । ସେପଟେ ଦୀର୍ଘ ମାସ ପରେ ପୌର ପ୍ରଶାସନ ଏହାର ଖବର ପାଇ ନିଜେ ଅଧ୍ୟକ୍ଷା ସରଜମିନ ତଦନ୍ତ କରି ଶୀଘ୍ର ସାହାଯ୍ୟର ପ୍ରତିଶୃତି ଦେଇଛନ୍ତି । ଏନେଇ ପୀଡିତ ବୃଦ୍ଧ କଳାକାହ୍ନୁ ଦୋରା କହିଛନ୍ତି ଯେ, ମାଟି ଛପର ଥିବା ୪ ବଖରା ଘରେ ଦୁଇ ପୁଅ ବହୁ ଓ ପିଲାମାନଙ୍କ ସହ ରହି ଆସୁଥିଲି । ହେଲେ ଗତ 2023 ଜୁଲାଇର ବଡ ବର୍ଷାରେ ଘର ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡିଥିଲା । ପରିବାରର ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପୁଅ ଆହତ ହୋଇଥିଲା । ଏହି ଘରର ମାଟି ତଳେ ଘରର ସବୁ ସାମଗ୍ରୀ ପୋତି ହୋଇ ନଷ୍ଟ ହୋଇଯାଇଛି । ପାଖରେ ଟଙ୍କା ନଥିବାରୁ ପରିବାର ନୂଆ ଘର କରି ପାରୁନାହାନ୍ତି । ତେଣୁ ଅନ୍ୟ ଉପାୟ ନ ପାଇ ଆମେ ଝିଅ ଜ୍ବାଇଁ ଘରେ ଆଶ୍ରୟ ନେଇଛୁ ବୋଲି ସେ କହିଛନ୍ତି ।