ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି । ଏହି ଲଘୁଚାପ ପଛକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ସାରା ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଥିବା ବେଳେ ଆସନ୍ତା ୫ରୁ ୭ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ଲାଗିରହିବ । ଆସନ୍ତାକାଲି 17 ତାରିଖରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ । ସେହିପରି 18 ତାରିଖରେ ମଧ୍ୟ ଗଞ୍ଜାମ, ଗଜପତି, ନାୟଗଡ଼, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି 18 ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ 19 ତାରିଖରେ ଲଘୁଚାପରେ ପରିଣତ ହୋଇପାରେ । ଏହା ପ୍ରଭାବରେ 21 ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । 19 ଓ 20 ତାରିଖରେ କିଛି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । 19 ତାରିଖରେ ମାଲକାନଗିରି, ରାୟଗଡ଼ା, ପୁରୀ, କଟକ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହିପରି 20 ତାରିଖରେ ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ପୁରୀ, କଟକ, ଗଞ୍ଜାମ, ନୟାଗଡ଼, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା କିଛି ମାତ୍ରାରେ ଭରଣ ହୋଇପାରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।