ରାଇରଙ୍ଗପୁର:ଦୀର୍ଘ ୪୨ବର୍ଷ ଧରି ସାନ୍ତାଳୀ ସଂପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଛି ଗୁରୁ ଦର୍ଶନ ଦିବସ । ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ସଦୃଶ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଦିବାସୀ ସଂପ୍ରଦାୟ ତରଫରୁ ପାଳନ କରାଯାଇଛି ଗୁରୁ ଦର୍ଶନ ଦିବସ । ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନରେ ତାଙ୍କ ତିରୋଧାନ ଦିବସକୁ ଗୁରୁ ଦର୍ଶନ ଦିବସ ଭାବେ କାହିଁକି ପାଳନ କରାଯାଉଛି, ସାନ୍ତାଳୀ ସମ୍ପ୍ରଦାୟ ପ୍ରତି କ'ଣ ଅବଦାନ ରହିଛି ଓ କାହିଁକି ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀଙ୍କ ଭଗବାନ ସଦୃଶ୍ୟ ଆସନ୍ତୁ ଜାଣିବା ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର କପିଡୁଙ୍ଗୁରିଠାରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ତିଥି ଉପଲକ୍ଷେ ଗୁରୁ ଦର୍ଶନ ଦିବସ ପାଳିତ ହୋଇଆସୁଛି । ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଭଗବାନ ସଦୃଶ୍ୟ । ତେଣୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୪୨ ତମ ଶ୍ରାଦ୍ଧ ଦିବସ ଅବସରରେ ଦାଣ୍ଡବୋଷ କୋପିତୁଙ୍ଗୁରିଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସାନ୍ତାଳୀ ଶ୍ରଦ୍ଧାଳୁମାନେ ଉପବାସ ରଖି ସମାଧିସ୍ଥଳରେ ସ୍ମୃତି ଚାରଣ ସହ ପୂଜାର୍ଚ୍ଚନା କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାନ୍ତି । ପଣ୍ଡିତଙ୍କ ସମାଧି ପୀଠରେ ଯିଏ ଯାହା ମନାସି ଥାନ୍ତି ତାହା ଅବଶ୍ୟ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ସାନ୍ତାଳୀ ସମ୍ପ୍ରଦାୟର।
ଅଲଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁ:ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଶ୍ରଦ୍ଧାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଗୁରୁ ଗୋମକେ ବୋଲି ସମ୍ବୋଧନ କରିଥାନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ୧୯୦୫ ମସିହା ମଇ ୧୮ ତାରିଖରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର ଦାଣ୍ଡବୋଷ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ମଧ୍ୟ ଥିଲେ। ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ଭାବରେ ବେଶ ଜଣାଶୁଣା। ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଯାଇଥିଲା । ସାନ୍ତାଳୀ ଜନ ଜୀବନରେ ଉନ୍ନତି ଆଣିବା ନିମନ୍ତେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ତେଣୁ ସ୍ବର୍ଗତ ମୁର୍ମୁଙ୍କ ସ୍ମୃତିରେ ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲା ଜାମବଣୀ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ଶିଦାବାଦ ଠାରେ କଲ୍ୟାଣୀ ବିଶ୍ବ ବିଦ୍ୟାଳୟ ଅଧୀନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସରକାର ମଧ୍ୟ ବାରିପଦା ସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାଁ ରେ ନାମିତ କରିଛନ୍ତି।