ଦେବଗଡ: ପ୍ରତିଶ୍ରୁତି ରକ୍ଷା କଲେ ରାଜ୍ୟପାଳ ରଘୁବର ଦାସ । ଗତ ମାର୍ଚ୍ଚ ମାସ ୩ ତାରିଖ ଦିନ ଦିନିକିଆ ବରଗଡ ଗସ୍ତରେ ଆସି ଜଣେ ଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜ୍ୟପାଳ । ପିତାମାତାଙ୍କୁ ହରାଇଥିବା ଦେବଗଡ଼ ଜିଲ୍ଲାର ଜଣେ ଅନାଥ ବାଳିକାକୁ ପାଠ ପଢିବା ପାଇଁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ନିଜ ଉଦାରତାର ପରିଚୟ ଦେଇଛନ୍ତି ରଘୁବର ଦାସ ।
ଗତ ମାର୍ଚ୍ଚ ମାସ 3 ତାରିଖ ଦିନ ରାଜ୍ୟପାଳ ରଘୁବର ଦାସ ଦିନିକିଆ ଦେବଗଡ଼ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଷୀଙ୍କ ସହିତ ଏକ ଆଲୋଚନା କରୁଥିଲେ । ସେହି ସମୟରେ ନିଜ ଆପତ୍ତି ନେଇ ସେଠାକୁ ପହଞ୍ଚିଥିଲେ ନୂଆଗାଁ ଗ୍ରାମର ପିତାମାତାଙ୍କୁ ହରାଇଥିବା ଜଣେ 14 ବର୍ଷର ଅନାଥ ବାଳିକା ପୂଜା କିଷାନ । ରାଜ୍ୟପାଳଙ୍କ ଦୃଷ୍ଟି ପଡିଥିଲା ସେହି ଅନାଥ ବାଳିକାଙ୍କ ଉପରେ । ତାଙ୍କୁ ପାଖକୁ ଡାକି ଆପତ୍ତି ଶୁଣିଥିଲେ । ବାଳିକା ଜଣକ ନୂଆଗାଁ ଆବାସିକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ପୂଜା କିଷାନ ଓ ସେ ବର୍ଷେ ପୂର୍ବରୁ ପିତାମାତାଙ୍କୁ ହରାଇ ଏକୁଟିଆ ଜୀବନଯାପନ କରୁଥିବାରୁ ତାଙ୍କ ଆର୍ଥିକ ସଙ୍କଟ ମଧ୍ୟରେ ପାଠପଢ଼ାରେ ସମସ୍ୟା ଦେଖାଦେଇଥିବା ନେଇ ଜଣାଇବା ସହ ସାହାଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଥିଲେ ।