ଭୁବନେଶ୍ବର:ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ । ଗତକାଲି (ଶୁକ୍ରବାର) କାର୍ଯ୍ୟକ୍ରମର ଦ୍ଵିତୀୟ ତଥା ଉଦଯାପନୀ ଦିବସର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ।
ତେବେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ମାନବ ସମ୍ବଳ ପରିଚାଳନା, ପେନସନ ମାମଲା ଠାରୁ ଆରମ୍ଭ କରି ଜମିଜମା ସଂକ୍ରାନ୍ତୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଭାଗରେ ହେଉଛି । କାର୍ଯ୍ୟବ୍ୟସ୍ତ ଜୀବନ ଶୈଳୀ ମଧ୍ୟରେ ସାଂସ୍କୃତିକ ଓ କ୍ରୀଡା ଆଦି କାର୍ଯ୍ୟକ୍ରମର ଆୟୋଜନ ସଂସଦର ପ୍ରଶଂସନୀୟ ପ୍ରୟାସ । କର୍ମମୟ ଜୀବନରେ ମନୋରଞ୍ଜନର ଆବଶ୍ୟକତା ରହିଛି । ଏହା ମନକୁ ହାଲୁକା କରିବା ସହ କର୍ମଚାରୀଙ୍କ ମଧ୍ୟରେ ଏକତା ଓ ଭ୍ରାତୃତ୍ୱ ବଜାୟ ରଖିବାରେ ସହାୟକ ହୋଇଥାଏ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦୀର୍ଘ ବର୍ଷ ଧରି ବାର୍ଷିକ ସଂସ୍କୃତିକ ଉତ୍ସବ ଆୟୋଜନ କରୁଥିବା ଆନନ୍ଦର କଥା । ଏହି ଅବସରରେ ସେ ସଂସଦ ଦ୍ୱାରା ଆୟୋଜିତ କ୍ରୀଡ଼ା, କଳା ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।