ବ୍ରହ୍ମପୁର:ପୁଣି ବ୍ଲୁଫ୍ଲାଗ ବିଚ୍ ମାନ୍ୟତା ପାଇଲା ସୁନାପୁର ବେଳାଭୂମି । ଗଞ୍ଜାମର ସୋନାପୁର ବେଳାଭୂମି ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇଛି । ରାଜ୍ୟରେ ପୁରୀ ବ୍ଲୁଫ୍ଲାଗ ବିଚ୍ ପ୍ରଥମ ରହିଥିବା ବେଳେ ସୋନାପୁର ବେଳାଭୂମି ଦ୍ଵିତୀୟ ସ୍ଥାନ ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ।
ସୁନାପୁରକୁ ଦ୍ୱିତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା:
ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର କହିଛନ୍ତି," ଅନ୍ତର୍ଜାତୀୟସ୍ତରରେ ସମୁଦ୍ର ବେଳାଭୂମିକୁ ନେଇ ଫାଉଣ୍ଡେସନ ଫର ଏନଭାଇରୋମେଣ୍ଟାଲ ଏଜୁକେସନ ପକ୍ଷରୁ ଏଭଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ । ମୁଖ୍ୟତଃ ସ୍ୱଚ୍ଛତା ଓ ପର୍ଯ୍ୟଟକଙ୍କ ପାଇଁ ରହିଥିବା ସୁବିଧାକୁ ଏବଂ ୩୩ଟି ମାନଦଣ୍ଡକୁ ନେଇ ଯାଞ୍ଚ କରାଯାଇଥାଏ । ଯାହାକି ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ ମାନଦଣ୍ଡକୁ ବଜାୟ ରଖି ଦ୍ୱିତୀୟ ଥର ପାଇଁ ସୁନାପୁର ବେଳାଭୂମି ଆନ୍ତର୍ଜାତୀୟ ବ୍ଲୁଫ୍ଲାଗ୍ ବିଚ୍ ମାନ୍ୟତା ପାଇଛି । ଏହି କ୍ଷେତ୍ରରେ ସ୍ଥାନୀୟ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ନିରନ୍ତର ପ୍ରୟାସ ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଏଭଳି ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଛି । "
ମନ ମୋହୁଛି ସୁନାପୁର ବିଚ୍:
ଗଞ୍ଜାମ ଚିକିଟି ବ୍ଲକର ସୋନାପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ବିକାଶ କାର୍ଯ୍ୟକୁ ହାତକୁ ନେଇଛନ୍ତି ସରକାର । କୋଟି କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରରୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ । ସେନେଇ ପ୍ରଚାର ପ୍ରସାର କରାଯାଉଛି । ପରିବେଶ ସନ୍ତୁଳନକୁ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ୨୦୨୩–୨୪ ପାଇଁ ଏହାକୁ ବ୍ଲୁଫ୍ଲାଗ୍ ବିଚ୍ର ମାନ୍ୟତା ମିଳିଥିବା ବେଳେ ୨୦୨୪-୨୫ ପାଇଁ ମଧ୍ୟ ସୁନାପୁର ଏହି ମାନ୍ୟତା ବଜାୟ ରଖିଛି । ଖୁବ୍ ଶୀଘ୍ର ଏନେଇ ପ୍ରମାଣପତ୍ର ମଧ୍ୟ ମିଳିବ ବୋଲି କହିଛନ୍ତି ସୁନାପୁର ବ୍ଲୁ ଫ୍ଲାଗ ବିଚ୍ର ନୋଡାଲ ଅଫିସର ତଥା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ।
ପ୍ରତ୍ୟେକ ଦିନ ଜମୁଛି ହଜାର ହଜାର ପର୍ଯ୍ୟଟକଙ୍କ ଭିଡ:
ରାଜ୍ୟରେ କେବଳ ପୁରୀ ଏବଂ ସୁନାପୁରରେ ହିଁ ବ୍ଲୁଫ୍ଲାଗ୍ ବିଚ୍ ରହିଥିବା ବେଳେ ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଛି ।ସେପଟେ ସରକାରଙ୍କ ପକ୍ଷରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂତନ ଭାବରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ସୁଟ୍ ଏବଂ କଟେଜ୍ ବ୍ୟବସ୍ଥା ମଧ୍ୟ ରହିଛି ।