ପାରଳାଖେମୁଣ୍ଡି:ଗଜପତି ପୋଲିସକୁ ମିଳିଛି ପୁଣି ମିଳିଛି ଏକ ସଫଳତା । ଚୋରା ଚାଲାଣ ହେଉଥିବା ୩୮୭ କିଲୋ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ରା.ଉଦୟଗିରି ବ୍ଲକ ଟିକାମାଳ ଗ୍ରାମର ମାନୁଏଲ୍ ଆନନ୍ଦ(୨୫), ଅସ୍ମାନ ଆନନ୍ଦ (୨୨) ବୋଲି ଆଜି ଗଜପତି ଜିଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଜତିନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି । ଏହି ଘଟଣାର ଅନ୍ୟ ୩ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସପି କହିଛନ୍ତି ।
ଗଞ୍ଜେଇ ଚାଲାଣ ପର୍ଦ୍ଦାଫାସ:
ସୂଚନା ଅନୁସାରେ, ଶନିବାର ଏକ ବୋଲେରୋ ଓ ୨ଟି ବାଇକ ଯୋଗେ ୫ ଜଣ ଯୁବକ ଗଜପତି ଜିଲ୍ଲା ଟିକାମାଳ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏ ସଂପର୍କରେ ଆଗୁଆ ସୂଚନା ପାଇ ଆର.ଉଦୟଗିରି ଥାନା ପୋଲିସ କଙ୍କଡାଗୁଡା ନିକଟରେ ଛକି ରହିଥିଲେ । ଗାଡିଟି ଆସିବା କ୍ଷଣି ପୋଲିସ ଅଟକାଇଥିଲା । ତେବେ ୨ଟି ବାଇକରେ ଥିବା ୩ ଜଣ ଯୁବକ ଘଟଣାସ୍ଥଳରୁ ଗାଡି ଛାଡି ଖସି ପଳାଇଥିଲେ । ସେପଟେ ବୋଲେରୋରେ ଥିବା ଅନ୍ୟ ୨ ଜଣ ଯୁବକଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ବୋଲେରୋ ଏବଂ ୨ ବାଇକ ଜବତ କରିବା ସହ ବୋଝେଇ ହୋଇଥିବା ଗଞ୍ଜେଇକୁ ଜବତ କରିଛି ।
୩୮୭ କିଗ୍ରା ଗଞ୍ଜେଇ ଜବତ:
ଏହି ଘଟଣାରେ ପୋଲିସ୍ ୨ ଜଣଙ୍କ ଅଭିଯୁକ୍ତଙ୍କ ଠାରୁ ୨ଟି ମୋବାଇଲ ଜବତ କରିଛି ପୋଲିସ । ୧୧ଟି ବସ୍ତାରେ ୩୮୭ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ଏସପି ଜତିନ୍ଦ୍ରନାଥ ପଣ୍ଡା କହିଛନ୍ତି । ସେପଟେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ୩ ଜଣ ଯୁବକଙ୍କୁ ସଂପର୍କରେ ବିଭିନ୍ନ ସ୍ତରରେ ତଥ୍ୟ ସଂଗ୍ରହ ଜାରି ରହିଛି । ସେମାନଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ଏସପି କହିଛନ୍ତି । ଏହି ଗଞ୍ଜେଇ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ସେ ସଂପର୍କରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି ।