ନିଆଳି/ନୟାଗଡ: ଦିନକ ପରେ ଅଗ୍ରପୂଜ୍ୟ ବିଘ୍ନବିନାଶକଙ୍କ ପୂଜା । ଚାଲିଛି ଜୋରଦାର ପ୍ରସ୍ତୁତି । ଗାଁଠୁ ସହର ସବୁଠି ଚଳଚଞ୍ଚଳ । ଆଉ ଏପଟେ କାରିଗରଙ୍କୁ ନିଶ୍ବାସ ମାରିବାକୁ ମଧ୍ୟ ଫୁରସତ ନାହିଁ । ଦିନ ରାତିକୁ ଏକ କରି ଗଣେଶ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । କେଉଁଠି ଅଗ୍ରପୂଜ୍ୟଙ୍କ ମୂର୍ତ୍ତି ଗଢିବାରେ ପିଢି ପରେ ପିଢି ଲାଗି ପଡିଥିବା ବେଳେ କେଉଁଠି ଆକର୍ଷଣ ସାଜିଛି ମୁମ୍ବାଇ କାରିଗରଙ୍କ ମୂର୍ତ୍ତି ।
କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଦାଦା-ପୁତୁରା:
ମୂର୍ତ୍ତି ଗଢିବା କଥା ଯେତେବେଳେ ଆସେ ଚର୍ଚ୍ଚାକୁ ଆସନ୍ତି ରାଜଧାନୀ ଉପକଣ୍ଠ କାକରୁଦ୍ରପୁର ଅଞ୍ଚଳରେ ଦାଦା ଓ ପୁତୁରା ଯୋଡି । ତାଙ୍କ ହାତ ତିଆରି ମୂର୍ତ୍ତି ସଭିଙ୍କୁ ଆକୃଷ୍ଟ କରେ । ଡିଜିଟାଲ ଯୁଗରେ ଲୋକେ ଚାକିରି ପାଇଁ ବାହାରକୁ ଚାଲିଯାଉଥିବା ବେଳେ ଏହି ଦାଦା-ପୁତୁରା ଯୋଡି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଲାଗି ପଡିଛନ୍ତି । ସେମାନେ ହେଲେ ବ୍ଲକ କାକରୁଦ୍ରପୁର ଅଞ୍ଚଳର ହରି ମୁଦୁଲି ବୟସ ୬୫ ଏବଂ ପୁତୁରା ରବି ମୁଦୁଲି ବୟସ ୩୨ । ପିଢି ପରେ ପିଢି ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି ।
ଦାଦା ହର ମୁଦୁଲି କୁହନ୍ତି...
ହରି ମୁଦୁଲି କହିଛନ୍ତି," ପିଲାଟି ଦିନରୁ ବାପା ଓ ମା'ଙ୍କ ସହିତ ମିଶି ମୂର୍ତ୍ତି ତିଆରି ଶିଖିଥିଲି । ୪୦ ବର୍ଷ ହେବ ନିଜେ ମୂର୍ତ୍ତି ତିଆରି କରି ଆସୁଛି । ମୂର୍ତ୍ତି ତିଆରି କରିବା ଏବଂ ପରିବାର ପ୍ରତିପୋଷଣ କରିବା ଏକ ମାତ୍ର ବିକଳ୍ପ। ବିଭିନ୍ନ ପର୍ବପର୍ବାଣି ପୂର୍ବରୁ ଗ୍ରାହକଙ୍କ ଚାହିଦା ଅନୁଯାୟୀ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଚଳିତ ମାସ ୭ ତାରିଖ ଦିନ ପାଳନ ହେବ ଗଣେଶ ପୂଜା । ଏଥିପାଇଁ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ମାଟି ବିଭିନ୍ନ ସ୍ଥାନରୁ ସଂଗୃହ ପରେ କାରିଗର ମାନଙ୍କୁ ନେଇ ଆରମ୍ଭ ହୋଇଥାଏ ଗଣେଶ ମୂର୍ତ୍ତି ନିର୍ମାଣ । ଗ୍ରାହକଙ୍କ ଚାହିଦା ଅନୁଯାୟୀ ପ୍ରସ୍ତୁତି ହୋଇଥାଏ ଗଣେଶ ମୂର୍ତ୍ତି । ତିନି ଫୁଟରୁ ୧୨ ଫୁଟ ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ତିଆରି ହୋଇଛି । ୫ ହଜାରରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ତିଆରି ହୋଇଛି ।
ଏହା ପଢନ୍ତୁ:ପାଟି ଫିଟୁନି କଥା କହୁଛି ତାଙ୍କ ହାତ କାରିଗରୀ, ଗଢୁଛନ୍ତି ସୁନ୍ଦର ଗଜାନନଙ୍କ ମୂର୍ତ୍ତ
ବର୍ଷକ ଯାକର ଖର୍ଚ୍ଚ ମୂର୍ତ୍ତିରୁ ମିଳେ:
ସେହିପରି ହରିଙ୍କ ପୁତୁରା ରବି ମୁଦୁଲି କହିଛନ୍ତି," ୧୦ ବର୍ଷ ତଳୁ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଛି । ଚଳିତ ବର୍ଷ ଗଣେଶ ପୂଜା ପାଇଁ ୭୦ ରୁ ୮୦ ମୂର୍ତ୍ତି ତିଆରି କରିଛୁ । ଏବେ ମୂର୍ତ୍ତି ଗୁଡିକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସବୁ ମୂର୍ତ୍ତି ତିଆରି ପାଇଁ ୧୦ ରୁ ୧୫ ଜଣ କାରିଗର ନିୟୋଜିତ ହୋଇଥାନ୍ତି । ମୂର୍ତ୍ତି ନିର୍ମାଣରୁ ଯାହା ମିଳେ ସେଥିରେ ବର୍ଷ ଯାକର ଖର୍ଚ୍ଚ ମିଳିଥାଏ ।
ମୂର୍ତ୍ତି ତିଆରିରେ ନିୟୋଜିତ କାରିଗର ବାବୁନି କହିଛନ୍ତି," ମୂର୍ତ୍ତି ତିଆରି କରିବା ପାଇଁ ଖୁସି ଲାଗେ । ଭଲ ଦି'ପଇସା ମିଳିଥାଏ । ଆମ ହାତ ତିଆରି ଗଣେଶ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବାରୁ ବହୁତ ଖୁସି ଅନୁଭଵ ଲାଗିଥାଏ ବୋଲି କହିଛନ୍ତି । ତେବେ ହରି ଓ ପୁତୁରା ରବି ମୂର୍ତ୍ତି ତିଆରି କରି ପରିବାର ଭରଣ ପୋଷଣ କରିବା ସହିତ ଅନ୍ୟକୁ ରୋଜଗାର ଦେବା ସହିତ କୈଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ।