ବାଲେଶ୍ୱର:ସୋର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ ଲାଗିଲା ଝଡକା । ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା । ଚଳିତ ନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି । ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଧାମନଗର ଅଞ୍ଚଳର ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା ପରେ ସୋର ବିଜେପି ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହି ବିବାଦ ସାମାନ୍ୟ ଥମିଥିବା ବେଳେ ଗତ ବୁଧବାର ଦିନ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ମାଧବ ଧଡାଙ୍କ ନାମ ଘୋଷଣା କରିବା ପରେ ଦୁଇଥର ବିଧାୟକ ହୋଇଥିବା ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଶ ବର୍ଷ ବିଜୁ ଜନତା ଦଳରେ ଜଣେ ସୈନିକ ଭାବେ କାର୍ଯ୍ୟ କରି ମଧ୍ୟ ଦଳ ତାଙ୍କ ପ୍ରତି ଅବିଚାର କରିଥିବା କହି ସେ ଦଳ ଛାଡ଼ିଛନ୍ତି ।
ଅନ୍ୟପଟେ ମାଧବ ଧଡ଼ା ବିଜେପି ଦଳର ସୋର ପୌରାଧ୍ୟକ୍ଷ ଭାବେ ରହିଥିବା ବେଳେ ସେ ବିଜେପି ଛାଡ଼ି ବିଜେଡିର ଯୋଗ ଦେବା ପରେ ତାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଛି । ଏହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ପର୍ଶୁରାମ ଏବଂ ତାଙ୍କ ସମର୍ଥକ । ଏଥିପାଇଁ ସେ ଅନ୍ୟ ଦଳରେ ମିଶିବା ନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ କଂଗ୍ରେସ ଦଳରୁ ଟିକେଟ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଶୁଣିବାକୁ ମିଳୁଛି ।
ଅନ୍ୟପଟେ ବିଧାୟକ ପ୍ରାର୍ଥୀ ଆଶାୟୀ ଭାବେ କିଛି ମାସ ହେବ ଭବାନୀ ଶଙ୍କର ରାୟ ଟିକଟ ଆଶାରେ ଥିବାବେଳେ ଦଳର ଏମିତି ନିଷ୍ପତ୍ତି ତାଙ୍କୁ ଆଘାତ ଦେଇଥିବା ସେ କହିଛନ୍ତି । ଭବାନୀଙ୍କ ସହ ଆମେ ଫୋନ ଯୋଗେ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ ତାଙ୍କର ପ୍ରତିକ୍ରିୟାରେ କହିଥିଲେ, ‘‘ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି, ହେଲେ ମନ ଭିତରେ ଥିବା ଆଶା ଚୁରମାର ହୋଇ ଯାଇଛି । ଅନ୍ୟପଟେ ଦଳ ଚୟନ କରିଥିବା ପ୍ରାର୍ଥୀ ମାଧବ ଧଡାଙ୍କୁ ସମର୍ଥନ କରାଯିବ କି ନାହିଁ ତାହା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ।’’