କଟକ:ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ ମହମ୍ମଦ ମୋକିମ । ମାଫିଆ ଆଉ ବ୍ଲାକ ଲିଷ୍ଟ କଣ୍ଟ୍ରାକ୍ଟର, ଆଉ ଲୁଟେରାଙ୍କ ସହ ମେୟରଙ୍କ ମଧୁଚନ୍ଦ୍ରିକା ରହିଥିବା ମୋକିମ କହିଛନ୍ତି । ବାଲି ମାଫିଆଙ୍କ ସହ ସେ ମିଶି କାମ କରନ୍ତି ବୋଲି ମୋକିମ କହିଛନ୍ତି । ଗତ କିଛି ଦିନ ତଳେ ବାଲି ଉଠାଣକୁ ନେଇ ବିଧାୟକ ଏବଂ ସାଂସଦ ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ହେଲେ ସୁବାସ ସିଂ ବାଲି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ରାସ୍ତା ଉପରୁ ବାଲି ଉଠାଇଥିବା ମୋକିମ ଅଭିଯୋଗ କରିଛନ୍ତି ।
ତ୍ରିଶୂଳିଆ ବ୍ରିଜରୁ ବାଲି ଉଠାଣ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମୋକିମ । କାହିଁକି ଏବଂ କେଉଁ ପରିସ୍ଥିତିରେ ଉପରେ ପଡି ମେୟର ସୁବାସ ସିଂ ରାସ୍ତା ଉପରୁ ବାଲି ଉଠାଇଲେ, ତାହା ଉପରେ ପ୍ରଶ୍ନ ଉଠାଇଲେ ମୋକିମ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମ ଅନୁଯାୟୀ ବାଲି ଉଠାଇବା ପାଇଁ ଟେଣ୍ଡର ପାଇଥିବା ବ୍ୟକ୍ତି ହିଁ ରାସ୍ତା ଉପରୁ ବାଲି ଉଠାଇବେ । ରାସ୍ତା ଉପରେ ବାଲି ପଡିରହିଲେ ବାଲିଘାଟରୁ ବାଲି ଉଠାଇବା ଉପରେ କଟକଣା ଜାରି କରିଥିଲେ ଜିଲ୍ଲାପାଳ । ମାତ୍ର ବାଲି ନିଲାମ ପାଇଁ ଟେଣ୍ଡର ପାଇଥିବା ବ୍ୟକ୍ତିଙ୍କ ବଦଳରେ ମେୟର କାହିଁକି ରାସ୍ତା ଉପରୁ ବାଲି ଉଠାଇଲେ ବୋଲି ବିଧାୟକ ପ୍ରଶ୍ନ କରିବା ସହ ମେୟରଙ୍କୁ ଟାର୍ଗେଟ କରିଛନ୍ତି ।
କ'ଣ ପୁରା ଘଟଣା
ରାସ୍ତାରୁ ବାଲି ସଫା ନହେବା ପର୍ଯ୍ୟନ୍ତ ବାଲି ଉଠାଣ ଉପରେ କଟକଣା ଜାରି କରିଥିଲା କଟକ ଜିଲ୍ଲା ପ୍ରଶାସନ । ଗତ ୨୨ ତାରିଖ ସନ୍ଧ୍ୟା ୬ଟାରୁ ଏନେଇ ଏକ ନିର୍ଦ୍ଧେଶନାମା ଜାରି କରିଥିଲେ କଟକ ଜିଲ୍ଳାପାଳ । ମାତ୍ର ଏହି ନିର୍ଦ୍ଦେଶନାମାକୁ ବାଲି ମାଫିଆ ମାନେ ସତେ ଯେପରି ଫୁ କରି ଉଡାଇ ଦେଇଛନ୍ତି । ରାସ୍ତା ଉପରେ ବାଲି ଆଉ ବାଲି । ତାହା ପୁଣି କଟକ ଭୁବନେଶ୍ୱରକୁ ସଂଯୋଗ କରୁଥିବା ତ୍ରିଶୂଳିଆ ବ୍ରିଜ ଉପରେ । ଏକଥା ଆମେ କହୁ ନାହୁଁ ବରଂ ସିଏମସି ମେୟର ଏକଥା କହିବା ସହ ରାସ୍ତା ଉପରୁ ବାଲି ସଫା କରିଛନ୍ତି । ଯାହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।