ଭୁବନେଶ୍ବର: ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ । ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ଗତକାଲି ଏଫଏସଏ ତଥ୍ୟ ପ୍ରକାଶ ପାଇଛି ଯେଉଁଥିରେ ରାଜ୍ୟରେ ଜଙ୍ଗଲ ନିଆଁ ସଙ୍କଟକୁ ପଦାରେ ପକାଇଛି । ତଥ୍ୟ ଅନୁସାରେ ରାଜ୍ୟରେ 92 ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଲାଣି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏକ ହଜାର ପଏଣ୍ଟରେ ନିଆଁ ଲାଗିଲାଣି । 96 ପ୍ରତିଶତ ଜଙ୍ଗଲ ନିଆଁକୁ ପ୍ରତିହତ କରାଯାଇଥିବା ବେଳେ ସେଥିମଧ୍ୟରୁ 40 ପ୍ରତିଶତ ଜଙ୍ଗଲ ନିଆଁ ଜଙ୍ଗଲ ବାହାରେ ଲାଗିଛି । ଆଗକୁ ଧୀରେ ଧୀରେ ଜଙ୍ଗଲ ନିଆଁ ବଢିବା ନେଇ ଅନୁମାନ କରାଯାଇଛି ।
ଏ ସମ୍ପର୍କରେ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି ଯେ ଆଇଟି ଟେକ୍ନୋଲୋଜି ଦ୍ଵାରା ଜଙ୍ଗଲ ନିଆଁ ଚିହ୍ନଟରେ କମ ସମୟ ମଧ୍ୟରେ ହୋଇପାରିଛି । ପୂର୍ବରୁ ଗୋଟିଏ ଫାୟାର ପଏଣ୍ଟରେ ହାରାହାରି ୦.୫ ହେକ୍ଟର ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏବେ ତାହା ହ୍ରାସ ପାଇ ୦.୨୫ ହେକ୍ଟରକୁ କମାଯାଇ ପାରିଛି । ବର୍ତ୍ତମାନ ଜଙ୍ଗଲ ନିଆଁ ଧୀରେ ଧୀରେ ବଢିବ।ର ଅନୁମାନ ରହିଛି । ସେଥିପାଇଁ ୩ଟି ପର୍ଯ୍ୟାୟରେ ଯଥା ବନାଗ୍ନି ଲାଗିବା ପୂର୍ବରୁ ସ୍ଥିତି, ବନାଗ୍ନି ଲାଗିଥିବା ସମୟ ଏବଂ ବନାଗ୍ନି ଲାଗିବା ପରେ ନିୟନ୍ତ୍ରଣର ସ୍ଥିତିର ପ୍ରସ୍ତୁତିକୁ ଗୁରୁତ୍ବାରୋପ କରାଯାଉଛି । ସେଥିପାଇଁ ଜାନୁଆରୀ ଏବଂ ଫେବୃଆରୀ ମାସରେ ପାଲା, ଦାସକାଠିଆ, ଘୋଡ଼ା ନାଚ ଭଳି ବିଭିନ୍ନ ପାରମ୍ପାରିକ ପଦ୍ଧତିରେ ଜଙ୍ଗଲ ନିକଟରେ ରହୁଥିବା ଜନବସତିରେ ସଚେତନତା କରିବା ସହ ପ୍ରଚାର ପ୍ରସାର କରାଯାଉଛି । ବିଭିନ୍ନ ବନଖଣ୍ଡରେ ସବଡିଭିଜନ ସ୍ତରରେ ବନାଗ୍ନିକୁ ରୋକିବା ନିମନ୍ତେ ବନ କର୍ମଚାରୀ ଓ ଗ୍ରାମବାସୀଙ୍କର ତାଲିମ ଓ ସଚେତନତା ଶିବିର ଆୟୋଜନ ଆରମ୍ଭ ହେଲାଣି ବୋଲି କହିଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ ।
ଏହା ମଧ୍ୟ ପଢନ୍ତୁ ...ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ