ପାରଳାଖେମୁଣ୍ଡି/ଢେଙ୍କାନାଳ: ବଜେଟରେ ମୋହନ ସରକାର ଆଣିଥିବା ଲୋକାଭିମୁଖୀ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବା ପାଇଁ ରାଜ୍ୟର 30 ଜିଲ୍ଲା ଗସ୍ତ କରିବେ 15 ମନ୍ତ୍ରୀ । ପ୍ରତି ମନ୍ତ୍ରୀ ୨ଟି ଜିଲ୍ଲା ଗସ୍ତ କରିବା ନେଇ ସୂଚନା ଦେଇଥିଲା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଯୋଜନା ଅନୁସାରେ ମନ୍ତ୍ରୀ ଓ ବିଜେପି ନେତା ଜିଲ୍ଲା ବୁଲିବା ଆରମ୍ଭ କରି ଦେଇଛନ୍ତି । ଆଜି ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଢେଙ୍କାନାଳ ଗସ୍ତ କରି କେନ୍ଦ୍ର ତଥା ରାଜ୍ୟ ଲୋକାଭିମୁଖୀ ବଜେଟକୁ ଜନସାଧାରଣଙ୍କ ନିକଟରେ ପ୍ରକାଶ କରିଛନ୍ତି ।
Manmohan Samal (ETV Bharat Odisha) ନିର୍ବାଚନ ପୂର୍ବର ପ୍ରତିଶୃତି ପାଳନ କରୁଛି ବିଜେପି:
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କୋରାପୁଟ ଓ ରାୟଗଡା ଜିଲ୍ଲା ଗସ୍ତ କରି ଆସି ଆଜି (ରବିବାର) ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ । ତାଙ୍କୁ ଦଳୀୟ କର୍ମୀ ଓ ନେତା ସ୍ବାଗତ କରିଥିଲେ । ଏହା ପରେ ସେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, "ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା, ଜଗନ୍ନାଥନ ମନ୍ଦିର ପଚିଚଳାନା ପାଇଁ ୫ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ନିର୍ମାଣ କରିବା, ଚାଷୀଙ୍କ ଠାରୁ ଧାନ କ୍ବଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବା ଏବଂ କଟନୀ ଛଟନୀ ବନ୍ଦ କରିବା ଏବଂ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକାରୀ କରାଯାଇଥିଲା ।"
Krushna Chandra Patra (ETV Bharat Odisha) ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ:
ପ୍ରଥମ ଥର ପାଇଁ ଏକାକୀ ସରକାରରେ ଥିବା ବିଜେପି ତାର ପ୍ରଥମ ବଜେଟ ଘୋଷଣା କରିଛି। ଯେଉଁଥିରେ ପ୍ରତ୍ୟେକ ବର୍ଗକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜ୍ୟରେ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ କରିବା ସହ ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପ ନିର୍ମାଣ କରାଯିବ । ରାଜ୍ୟରେ ଯାହା ବେକାରୀ ସମସ୍ୟ ରହିଥିଲା ତାହାକୁ ଦୂର କରିବା ପାଇଁ ପ୍ରତ୍ୟେକ ବର୍ଷ ରାଜ୍ୟରେ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇ ଖାଲି ପଡିଥିବା ପଦବୀ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ନିବେଶକାରୀଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯିବ ।"
ପର୍ଯ୍ୟଟନସ୍ଥଳୀ ବିକାଶ ସହ ରୋଜଗାର ସୃଷ୍ଟି କରିବା ପ୍ରୟାସ:
ସେହିପରି ରାଜ୍ୟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନମାନଙ୍କୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚନା କରାଯାଇ ଏହାକୁ ଉନ୍ନତି କରିବା ସହ ଏହା ମାଧ୍ୟମରେ ଅନେକ ରୋଜଗାର ସୃଷ୍ଟି କରିବାର ପ୍ରୟାସ କରାଯିବ । ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ଅନୁଦାନ ପ୍ରଦାନ କରିଛନ୍ତି । ତେଣୁ ତାକୁ କିଭଳି ସଠିକ ଭାବେ କାର୍ଯ୍ୟକାରୀ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ବିଧାନସଭାରେ ବିଜେପିର ପରାଜୟ ସଂପର୍କରେ ସମୀକ୍ଷା:
ଆଜି ସେ ଗଜପତି ଜିଲ୍ଲା ଗସ୍ତରେ ଆସିଥିବାର କାରଣ ସଂପର୍କରେ ସେ କହିଛନ୍ତି, "ପାରଳାଖେମୁଣ୍ଡି ଏବଂ ମୋହନା ବିଧାସନସଭା ଆସନରେ ବିଜେପିର ପରାଜୟ ସଂପର୍କରେ ସମୀକ୍ଷା କରାଯିବ । ପ୍ରଥମେ ପାରଳାଖେମୁଣ୍ଡିରେ ଏବଂ ପରେ ମୋହନାରେ ହିଁ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।" ଏହି ଅବସରରେ ପାରଳାଖେୁଣ୍ଡିର ପୂର୍ବତନ ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ, ମୋହନାର ପୂର୍ବତନ ବିଧାୟ ଚକ୍ରଧର ପାଇକ ଏବଂ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ସମେତ ସବୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।"
ବଜେଟକୁ ଜନସଧାରଣଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ସରକାର:
"ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ଗସ୍ତ କରି କହିଛନ୍ତି, "୧୯୩୬ ମସିହାରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ପ୍ରଦେଶ ଗଠନର ଆଗାମୀ ୨୦୩୬ ମସିହାରେ ଶହେ ବର୍ଷ ପୂରଣ ହେବାକୁ ଯାଉଛି । ଆଉ ଏହି ଅବସରରେ ଓଡିଶାକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ ଭାବେ ଗଠନ କରିବାର ଆମ ସରକାର ଲକ୍ଷ୍ୟ ନେଇଛନ୍ତି । ନିକଟରେ କେନ୍ଦ୍ର ତଥା ରାଜ୍ୟରେ ବିଜେପି ସରକାରର ଉପସ୍ଥାପିତ ହୋଇଥିବା ପ୍ରଥମ ବଜେଟ ସବୁ ବର୍ଗର ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ବଜେଟରେ ଅନେକ ନୂଆ ପଦକ୍ଷେପ ନିଆଯାଇଛି । ସବୁ ଵର୍ଗର ଲୋକଙ୍କୁ ଏହା ଛୁଇଁଥିବା ବେଳେ ଏହା ଏବେ ଜନସଧାରଣଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ସରକାର ।"
୨୪ ବର୍ଷର କଳା ଅଧ୍ୟାୟ ଅବସାନ ଘଟିଛି:
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଗତ ୨୪ବର୍ଷରେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ଓଡ଼ିଆ ଅସ୍ମିତାର ଦାନା ବାନ୍ଧିଛି । ଆଉ ୨୪ବର୍ଷର କଳା ଅଧ୍ୟାୟର ଅବସାନ ଘଟାଇ ଓଡିଶାବାସୀ ରାଜ୍ୟରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି । ଫଳରେ ରାଜ୍ୟବାସୀଙ୍କ ଭରସା ମୁତାବକ ରାଜ୍ୟରେ ଆମ ସରକାର ପ୍ରଥମ ବଜେଟକୁ ବିକଶିତ ଓଡ଼ିଶାର ଲକ୍ଷ୍ୟ ନେଇ ମୁଖ୍ୟତଃ ଗରିବ, ମହିଳା, ଯୁବକ ଓ କୃଷକଙ୍କ କଲ୍ୟାଣ ପାଇଁ ଏହି ବଜେଟ ଆଣିଛି । ପ୍ରତିଶୃତି ମୁତାବକ ସରକାର ଗଠନ ପରେ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା, କୃଷକ ନିଧି ଯୋଜନା ଭାବେ ଧାନର କୁଇଁଣ୍ଟାଲ ପିଛା ୩୧୦୦ ଟଙ୍କା ଅର୍ଥାତ ୮ ଶହ ଟଙ୍କା ଅଧିକ ଘୋଷଣା ଓ ମଠ ମନ୍ଦିର ପାଇଁ କର୍ପସ ପାଣ୍ଠି ଆଦି ରାଜ୍ୟ ସରକାରଙ୍କର ଏକ ଐତିହାସିକ ପଦକ୍ଷେପ ।"
ପୂର୍ବ ସରକାର ରାଜ୍ୟବାସୀଙ୍କୁ ଆତ୍ମନିର୍ଭଶୀଳ କରାଇବାରେ ଅକ୍ଷମ :
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, "ଅପରପକ୍ଷରେ ବୟସ୍କ ଓ ଭିନ୍ନକ୍ଷମମାନଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ଘୋଷଣା ଆଦି କରାଯାଇଛି । ପୂର୍ବ ସରକାର ଗତ ୨୪ ବର୍ଷ ଧରି ଶାସନ କରିଥିଲେ ମଧ୍ୟ ରାଜ୍ୟବାସୀଙ୍କ ଆତ୍ମନିର୍ଭଶୀଳ କରାଇବାରେ ଅକ୍ଷମ ହୋଇଛନ୍ତି । ରାଜ୍ୟବାସୀଙ୍କୁ ଅତ୍ୟାବଶ୍ୟକ ଆଳୁ, ପିଆଜ, ଅଣ୍ଡା ଓ ମାଛ ଆଦି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଆଉ ଆଳୁ ମିଶନ ଗଠନ ନାମରେ ୨୭୦ କୋଟି ଟଙ୍କା ଆତ୍ମସାତ କରିଛନ୍ତି । କାରଣ ସରକାର ଲୋକମାନଙ୍କ ଉନ୍ନତି କରିବା ଲୋକଙ୍କ ହାତରେ ରହିବା ପରିବର୍ତ୍ତେ ଲୋକଙ୍କୁ ଲୁଟିବା ଲୋକଙ୍କ ହାତରେ ରହିଲା । ଅଣ ଓଡ଼ିଆମାନଙ୍କ ହାତରେ ମୁଖ୍ୟମନ୍ତ୍ରୀ ରବର ଷ୍ଟାମ୍ପ ହୋଇ ରହିଥିଲେ । ଯାହା ଫଳରେ ଆଜି ପୋଡ଼ଶୀ ରାଜ୍ୟମାନେ ଆମକୁ ବ୍ଲାକ ମେଲ କରୁଛନ୍ତି । ଓଡିଶା ବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମ ସରକାର କେବେ ହେଲେ ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। ସେଥିପାଇଁ ଆମେ ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କରିବା ଆରମ୍ଭ କରିଦେଉଛୁ। ଏଥିପାଇଁ ମଧ୍ୟ ରାଜ୍ୟରେ ବଣିକ ସଂଘ ମାନଙ୍କ ସହିତ ଆଲୋଚନା ମୁତାବକ ଚରମ ପଦକ୍ଷେପ ନିଆଯାଇଛି ।"
ରାଜ୍ୟରେ ଖୋଲାଯିବ ଶୀତଳ ଭଣ୍ଡାର:
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, "ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ୫୮ଟି ଶୀତଳ ଭଣ୍ଡାର ଖୋଲାଯିବ । ଆଳୁ ଚାଷ, ପିଆଜ, ଅଣ୍ଡା ଓ ମାଛ ଆଦି ଦିଗରେ ଚାଷୀମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯାଇ ରାଜ୍ୟରେ ବଳକା କରାଯିବା ପାଇଁ ଆମେ ପଦକ୍ଷେପ ନେବା ଆରମ୍ଭ କରିଦେଇଛୁ । ଶିକ୍ଷା କ୍ଷେତ୍ରରେ ଖାଲି ଘର କାନ୍ଥ ବଡ ରଙ୍ଗ କରିଦେଲେ ଶିକ୍ଷାର ଉନ୍ନତି ହେବନି । ଆଉ ସେଥିପାଇଁ ରାଜ୍ୟରେ ପ୍ରତ୍ୟେକ ସ୍କୁଲ କଲେଜ ପାଇଁ ୧୭ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଚଳିତ ବଜେଟରେ ପ୍ରାବଧାନ ରହିଛି। ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ, କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରୋଜେକ୍ଟ ଓ ପ୍ରତି ବ୍ଲକ ରେ ପିଇବା ପାଇଁ ମେଗା ପ୍ରୋଜେକ୍ଟ ଆଦି ବଜେଟ୍ ପ୍ରାବଧାନ ରହିଛି । କେନ୍ଦ୍ର ବଜେଟରେ ପିଏମ ଆବାସ ଠାରୁ ଆରମ୍ଭ କରି ୬୩ ହଜାର ଜନଜାତି ଗ୍ରାମ, ୧୦ ହଜାର ୫୦୦ କୋଟିର ରେଳ ବଜେଟ ଆଦି ଆହୁରି ଅନେକ ଯୋଜନା ଏକ ଲୋକାଭିମୁଖୀ ବଜେଟ ।"
ଏହା ମଧ୍ୟ ପଢ଼ନ୍ତୁ...୩୦ ଜିଲ୍ଲା ବୁଲିବେ ୧୫ ମନ୍ତ୍ରୀ, ବଜେଟର ବିଭିନ୍ନ ଦିଗ ଉପରେ କରିବେ ଆଲୋଚନା - Ministers To Visit 30 Districts
ଏହି ଅବସରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହିତ ବିଜେପିର ରାଜ୍ୟ ପ୍ରବକ୍ତା ତେଜସ୍ବର ପରିଡା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମ ଚନ୍ଦ୍ର ପାତ୍ର, ଜିଲ୍ଲା ବିଜେପି ସଭାପତି ଓ ଯୁବମୋର୍ଚା ଆଭାପତିବ କର୍ମକର୍ତ୍ତାଙ୍କ ସମେତ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।
ଇଟିଭି ଭାରତ, ଗଜପତି/ ଢେଙ୍କାନାଳ