ଓଡିଶା

odisha

ETV Bharat / state

ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି

ବାତ୍ୟାଜନିତ ଲଗାଣ ବର୍ଷାରେ ଭଦ୍ରକର ତଳିଆ ଅଞ୍ଚଳ ବୁଡିଲା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଷ୍ଟୋରେସନ କାମ ଜାରି । ସୋମବାର ସୁଦ୍ଧା ବିଜୁଳି ସେବା ସ୍ବାଭାବିକ କରିବାକୁ ଲକ୍ଷ୍ୟ ।

ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି
ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି (ETV Bharat Odisha)

By ETV Bharat Odisha Team

Published : 6 hours ago

ଭଦ୍ରକ: ବାତ୍ୟା ‘ଦାନା’ ପ୍ରଭାବରେ ଜିଲ୍ଲାରେ ଗତ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଫଳରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇରହିଛି । ତେଣୁ ଓଡ୍ରାଫ, ଅଗ୍ନିଶମ ଏବଂ ପୋଲିସ୍‌ ମିଳିତ ଭାବେ ପ୍ରଭାବିତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି । ଏହା ସହ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ସଡକ ଯୋଗାଯୋଗ, ବିଜୁଳି ସେବାର ପୁନରୁଦ୍ଧାର ମଧ୍ୟ ଜାରି ରହିଛି ।

  • ଜଳବନ୍ଦୀଙ୍କୁ କରାଯାଉଛି ଉଦ୍ଧାର

ବାଂଶଡା ଥାନା ଅଧିନସ୍ଥ ବଲିହାର ପୁର ଗାଁର ଗୋଟିଏ ପରିବାରର 5ଜଣ ଲୋକ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଥିଲେ । ଖବର ପାଇଁ ସ୍ଥାନୀୟ ପୋଲିସ ଏବଂ ଓଡ୍ରାଫ ଟିମ ଗତକାଲି ରାତିରେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲା । ସେହିପରି ଭାବେ ଚରମ୍ପା ଅଞ୍ଚଳରେ ଉଭୟ ପୋଲିସ ଏବଂ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 3ଟି ପରିବାରକୁ ସୁରକ୍ଷିତ ଭାବେ ଅଣାଯାଇଛି ।

ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି (ETV Bharat Odisha)
  • ୨ଦିନ ଲଗାଣ ବର୍ଷାରେ ବୁଡିଲା ତଳିଆ ଅଞ୍ଚଳ

ପାଣିପାଗ ବିଭାଗର ସୂଚନା ଗତ ଦୁଇଦିନ ଧରି ଜିଲ୍ଲାରେ ପ୍ରାୟ 1100 ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ଫଳରେ ଭଦ୍ରକ ସହରାଞ୍ଚଳର ତଳିଆ ଅଞ୍ଚଳ ସହ ଜିଲ୍ଲାର ବିଭିନ୍ନ ଖାଲୁଆ ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗତ ଦୁଇ ଦିନ ହେଲା ଭଦ୍ରକ ସହରର ଡାହାଣୀଗଡିଆ ଅଞ୍ଚଳରେ କେତେକ ଲୋକ ଜଳବନ୍ଦୀ ଭାବେ ରହୁଥିଲେ । ଆବଶ୍ୟକୀୟ ଜିନିଷପତ୍ର କିମ୍ବା ଔଷଧ ଆଣିବା ପାଇଁ ଘରୁ ବାହାରି ପାରୁ ନଥିଲେ । ସେଠାରେ ରାସ୍ତା ତଥା ଘର ଚାରିପଟେ ପ୍ରାୟ 4ଫୁଟରୁ ଅଧିକ ବର୍ଷା ପାଣି ଜମି ରହିଛି । ଭଦ୍ରକ ଏସପି ଏବଂ ପୂର୍ବାଞ୍ଚଳ ଡିଆଜି ଗତକାଲି ଅପରାହ୍ନରେ ‘ODRAF’ ଟିମ ସହିତ ଯାଇ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ।

ଭଦ୍ରକର ତଳିଆ ଅଞ୍ଚଳ ବୁଡିଲା । ଉଦ୍ଧାରକାର୍ଯ୍ୟ ଜାରି ରଖିଛି ପ୍ରଶାସନ । (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୂରଭଞ୍ଜକୁ ଅତିରିକ୍ତ ପାୱାର ବୋଟ

ଏହା ମଧ୍ୟ ପଢନ୍ତୁ:-ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

  • ବିଜୁଳି ରିଷ୍ଟୋରେସନ କାମ ସମୀକ୍ଷା କଲେ ଶକ୍ତି ସଚିବ:-

ଜିଲ୍ଲାରେ ବାତ୍ୟା ‘ଦାନା’ ପରବର୍ତ୍ତୀ ସ୍ଥିତି ଓ ବିଜୁଳି ସେବା ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଶକ୍ତି ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା । ଖବର ଅନୁଯାୟୀ ସମଗ୍ର ଜିଲ୍ଲାରେ ତୁରନ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସୁଧାର କରିବା ପାଇଁ 1800 କର୍ମଚାରୀ କାର୍ଯ୍ୟରତ ରହିଛନ୍ତି । ଜିଲ୍ଲାରେ ଥିବା ସମସ୍ତ 12ଟି 33 କେଭି ଫିଡର ଲାଇନ୍‌ ଏବେ କାର୍ଯ୍ୟକ୍ଷମ ହୋଇ ସାରିଛି । ତେବେ ସମସ୍ତ 186ଟି 11 କେଭି ଆଜି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟକ୍ଷମ ହୋଇଯିବ ।

ଭଦ୍ରକର ତଳିଆ ଅଞ୍ଚଳ ବୁଡିଲା । ଉଦ୍ଧାରକାର୍ଯ୍ୟ ଜାରି ରଖିଛି ପ୍ରଶାସନ । (ETV Bharat Odisha)

ଏହା ବି ପଢନ୍ତୁ- ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ ଆହୁରି 24 ଘଣ୍ଟା: ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

  • କାଲି ସୁଦ୍ଧା ଶତପ୍ରତିଶତ ସ୍ବାଭାବିକ ହେବ ବିଜୁଳି ସେବା:-

ଅନ୍ୟପକ୍ଷରେ ଆଜି ରାତି ସୁଦ୍ଧା 80 ପ୍ରତିଶତ ଉପଭୋକ୍ତଙ୍କୁ ବିଦ୍ୟୁତ ଯୋଗାଣ ସମ୍ଭବ ହେବା ସହ ବାକି ସମସ୍ତ ଉପଭୋକ୍ତ ଆସନ୍ତାକାଲି(ସୋମବାର) ସୁଦ୍ଧା ବିଦ୍ୟୁତ ସେବା ପାଇ ପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଯାହାକି 2000ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ 2ଟି 33 କେଭି ଫିଡର ମଧ୍ୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଗୁଡିକ ସ୍ଵାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ତେବେ ଗତକାଲି ଲଗାଣ ବର୍ଷା ଯୋଗୁଁ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଆଜି ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ବ୍ୟବସ୍ଥାକୁ ସୁଧାର କରାଯାଇପାରିବ ବୋଲି ଶକ୍ତି ସଚିବ କହିଛନ୍ତି ।

ଭଦ୍ରକର ତଳିଆ ଅଞ୍ଚଳ ବୁଡିଲା । ଉଦ୍ଧାରକାର୍ଯ୍ୟ ଜାରି ରଖିଛି ପ୍ରଶାସନ । (ETV Bharat Odisha)

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details