ମାଲକାନଗିରି: ଲଗାଣ ବର୍ଷାରେ ଜଳବନ୍ଦୀରେ ରହି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମାଲକାନଗିରିବାସୀ । ଯଦିଓ ସକାଳେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା କିନ୍ତୁ ଏବେ ପୁଣିଥରେ ଅନେକ ସ୍ଥାନରେ ଜଳ ସ୍ଥର ବୃଦ୍ଧି ପାଇଛି । ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ମଧ୍ୟରେ ଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ।
ଗତ 3 ଦିନ ଧରି ମାଲକାନଗିରିରେ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ ୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ୧୯ରୁ ୨୦ ତାରିଖ ମଧ୍ୟରେ ୧୯୦ ମିଲିମିଟର ବର୍ଷା ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ପ୍ରଭାବରେ ଜିଲ୍ଲାର ୩୨୬ ଜାତୀୟ ରାଜପଥ ଉପରେ ରହିଥିବା ସମସ୍ତ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବର୍ତ୍ତମାନ ଜିଲ୍ଲାର ପଟୋରୁ ନଦୀ ଉପରେ 2ରୁ 3 ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ କାଙ୍ଗରୁକୋଣ୍ଡା ପୋଲ ଉପରେ 5 ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଉଛି । ଫଳରେ ମାଲକାନଗିରି, କାଲିମାେଳା ମୋଟୁ ଓ ଆନ୍ଧ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସକାଳ ଜଳ ସ୍ତର କମିଥିବା ବେଳେ ଏବେ ପୁଣିଥରେ ବୃଦ୍ଧି ପାଇଛି । 326 ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ସେହିପରି ମାଲକାନଗିରିରୁ ଛତିଶଗଡ଼ ସୁକମା ରାସ୍ତାର ସୁକମାର ସାବେରୀ ନଦୀ ପୋଲ ଉପରେ 5 ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଛତିଶଗଡକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।