ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖାରବେଳ ଭବନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମସ୍ତ ବିଭାଗର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି । ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନାଭିମୁଖୀ କାଯ୍ୟକ୍ରମଗୁଡି଼କୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
'ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାର'
ବୈଠକରେ ଆର୍ଥିକ ବର୍ଷ 2024-25 ବଜେଟ ମୁତାବକ ଅଦ୍ୟାବଧି ହୋଇଥିବା ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଯେଉଁ ସବୁ ବିଭାଗରେ ଅଦ୍ୟାବଧି ଖର୍ଚ୍ଚ କମ ହୋଇଛି, ସେହିସବୁ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ସମସ୍ତ ବିଭାଗଙ୍କୁ ମଧ୍ୟ ଅନୁରୂପ ଭାବେ ଆଗାମୀ ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଉନ୍ନତି, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା:
ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ତରଫରୁ ରାସ୍ତା ଓ ସେତୁ ନିର୍ମାଣର ଅଗ୍ରଗତି ସହ ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତିକରଣ ସମ୍ପର୍କରେ ଆଲୋଚନା ହୋଇଛି । କୃଷି ବିଭାଗ ତରଫରୁ ଶୀତଳ ଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରାଯାଇଛି । ବିଦ୍ୟାଳୟ ଉନ୍ନତିକରଣ, ଜଳ ସମ୍ପଦ ବିଭାଗ ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଛି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ଦେବା ସହିତ ଆଗାମୀ ଦ୍ୱିତୀୟ କିସ୍ତି ପ୍ରଦାନ ସମ୍ପର୍କିତ ଆଲୋଚନା ହୋଇଛି ।

ପୋଲିସ ସେବା ସୁଦୃଢ଼ୀକରଣକୁ ଗୁରୁତ୍ୱ:
ପୋଲିସ ସେବା ସୁଦୃଢ଼ୀକରଣକୁ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସଚିବମାନଙ୍କୁ ନୂଆ ନୂଆ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଅନେକ ବିଭାଗ ଭଲ କାମ କରିଛନ୍ତି । ମୋଟାମୋଟି ଭାବେ କାର୍ଯ୍ୟ ଓ ଖର୍ଚ୍ଚ ଠିକ ଚାଲିଛି ।" ସମସ୍ତଙ୍କୁ ବିଭାଗ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଗାମୀ 2 ମାସ ମଧ୍ୟରେ ବଜେଟ ପୂର୍ବରୁ ବିଭାଗମାନେ ଶତ ପ୍ରତିଶତ ଖର୍ଚ୍ଚ ଲକ୍ଷ୍ୟ ହାସଲ ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚିରାଚରିତ ଢାଞ୍ଚାରୁ ବାହାରି ନିଜ ନିଜ ବିଭାଗରେ ଦୀର୍ଘ ସୂତ୍ରୀ ଏବଂ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।


ଭିଜନ ଡକ୍ୟୁମେଣ୍ଟ ପାଇଁ 3 ଲକ୍ଷ 20 ହଜାର ପ୍ରସ୍ତାବ:
ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ପାଇଁ 3 ଲକ୍ଷ 20 ହଜାର ପ୍ରସ୍ତାବ ଆସିଛି । ସେଥିରୁ ଭଲ ଭଲ ପ୍ରସ୍ତାବଗୁଡି଼କୁ ଗ୍ରହଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉତ୍କର୍ଷ ଓଡ଼ିଶା ଆୟୋଜନ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତିଶ୍ରୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ନିଜ ନିଜ ବିଭାଗକୁ ଶକ୍ତିଶାଳୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଅନ୍ୟ ସମସ୍ତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର