ଜଗତସିଂହପୁର:ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାକୁ ଥିବା ବେଳେ ସମୁଦ୍ର ମଝିକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆଜି ପାରାଦ୍ୱୀପ ଠାରେ ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗୁ କରିଛି ପ୍ରାଣୀ ଓ ମତ୍ସ ସମ୍ପଦ ବିକାଶ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ ପାରାଦ୍ୱୀପର ମାଛଧରା ବନ୍ଦରରେ ଏ ନେଇ ସଚେତନତା ସୃଷ୍ଟି କରାଯାଇଛି ।
ତେବେ ରାଜ୍ୟରେ ବର୍ଷା ସହ ଝଡ଼ ତୋଫାନ ହେବା ସମ୍ଭାବନା ରହିଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାପାଇଁ ବାରଣ କରାଯାଇଛି । ଏନେଇ ପ୍ରାଣୀ ଓ ମତ୍ସ ସମ୍ପଦ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜି ପାରାଦ୍ୱୀପ ବନ୍ଦରରେ ସଚେତନତା ସୃଷ୍ଟି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଜିଠାରୁ ଅର୍ଥାତ 5 ତାରିଖ ଠାରୁ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ଓ ରାଜ୍ୟର ବିଭିନ୍ନ ଉପକୂଳ ଅଞ୍ଚଳରେ ଉଚ୍ଚ ଜୁଆର 0.5 ମିଟରରୁ 1.2 ମିଟର ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ଫଳରେ ସମସ୍ତ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ନ ଯିବାକୁ ସତର୍କ କରାଇ ଦିଆଯାଇଛି । ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ପ୍ରବଳ ବର୍ଷା ପ୍ରଭାବରେ ସମୁଦ୍ର ମଧ୍ୟରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି । ଫଳରେ ଏହାର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେବା ସହିତ କୂଳଲଙ୍ଘନ କରିବ । ଲହଡି ମାଡ଼ରେ ମାଛଧରା ଡ଼ଙ୍ଗା, ବୋଟ ଆଦି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀମାନେ ଆଜିଠାରୁ ସେମାନଙ୍କ ଡଙ୍ଗା ଓ ବୋଟକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବା ସହିତ ମାଛ ମାରିବାରେ ବ୍ୟବହୃତ ହେଉଥିବା ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।