ଭୁବନେଶ୍ବର:ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ୧୯୪୪ ମସିହାରୁ ଏହି ଦୁଇଟି ପତ୍ରିକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି । ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ ।
ସେହିପରି ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ କହିଛନ୍ତି, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ପୁରାତନ ସଂସ୍କରଣର ଡିଜିଟାଇଜେସନ୍ କରାଯାଇଛି । ଏହା ବିଭାଗୀୟ ୱେବସାଇଟ୍ରେ ପାଠକମାନଙ୍କ ଲାଗି ଉପଲବ୍ଧ ହେଉଛି । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ଏନେଇ ଅନ୍ୟପଟେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍ ମହାନ୍ତି କହିଛନ୍ତି ଯେ, ଏହି ଦୁଇ ପତ୍ରିକାରେ ଓଡ଼ିଶାର ଭାଷା, ସାହିତ୍ୟ ନେଇ ବହୁ ଦୁଷ୍ପ୍ରାପ୍ୟ ଓ ଉପାଦେୟ ତଥା ପୁରାତନ ଆଲେଖ୍ୟ ସ୍ଥାନ ପାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଗବେଷକମାନେ ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର କ୍ରମବିକାଶ ସଂପର୍କରେ ଅବଗତ ହୋଇପାରିବେ ।
ଏହା ମଧ୍ୟ ପଢନ୍ତୁ - ସାହିତ୍ୟରେ ଦେଖିବାକୁ ମିଳୁନାହିଁ ଗ୍ରାମ୍ୟ ଜୀବନର ପ୍ରତିଫଳନ: ଦାସ ବେନହୁର